ବିଜେପି ସରକାରରେ ଦରଦାମ ବଢୁଛି । ଲୋକଙ୍କ ପକେଟ ଖାଲି ହେଉଛି । ଜାତୀୟସ୍ତରରେ ଏହି ଅଭିଯୋଗ କଂଗ୍ରେସ ଦୀର୍ଘ ଦିନ ଧରି କରିଆସୁଥିବା ବେଳେ ରାଜ୍ୟରେ ଏବେ ତାର ପରିଣାମ ଭୋଗୁଛନ୍ତି ଜନତା । ଆସା ଥିଲା ରାଜ୍ୟରେ ବିଜେପି ସରକାର ଆସିବା ପରେ କେନ୍ଦ୍ର ଅନୁଦାନରେ ରାଜ୍ୟର ଉନ୍ନତି ହେବ । ମାତ୍ର ମହଙ୍ଗା ମାଡ ଏବେ ଖାଉଟିକୁ ଭୁଲ ବୋଲି ପ୍ରମାଣିତ କରିଛି । ଯାହା ଫଳରେ ବିଜେଡି ସରକାରଙ୍କୁ ଝୁରୁଛନ୍ତି ରାଜ୍ୟବାସୀ । ନିର୍ବାଚନ ପୂର୍ବରୁ ବିଜେପି ଏକାଧିକ ଜନ ହିତକର ସ୍ଲୋଗାନ ଦେଇ ଓଡ଼ିଶାରେ ସରକାର ଗଢ଼ିଥିଲା। ମାତ୍ର ଛଅଟା ମାସ ଯାଇ ନାହିଁ, ମହଙ୍ଗା ମାଡ଼ରେ ରାଜ୍ୟର ଖାଉଟିଙ୍କ ଅବସ୍ଥା ସାଂଘାତିକ ହେଲାଣି। ଅଟା, ଚାଉଳ, ଡ଼ାଲି, ତେଲ ମୂଲ୍ୟ ୨୦%ରୁ ୨୫% ବୃଦ୍ଧି ପାଇଥିବାବେଳେ ଆଳୁ ଓ ପିଆଜ ମୂଲ୍ୟ ଦୁଇଗୁଣରେ ପହଞ୍ଚିଛି। ସବୁଠାରୁ ଉଦ୍ବେଗର ବିଷୟ ହେଉଛି ସାରା ଦେଶର ଗ୍ରାମୀଣ ବଜାର ମଧ୍ୟରେ ଓଡ଼ିଶାର ଗ୍ରାମୀଣ ବଜାର ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଛି । ଡିସେମ୍ୱର ମାସରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ୪ ମାସ ମଧ୍ୟରେ ୫.୨୨%କୁ ହ୍ରାସ ପାଇଛି। ତେବେ ଏହି ରିପୋଟ ପ୍ରକାଶ ପାଇବାର ଦିନକ ପରେ ଖାଉଟିଙ୍କୁ ଲାଗିଛି ଜବରଦସ୍ତ ଝଟ୍କା। ଖୁଚୁରା ମୁଦ୍ରାସ୍ପୀତି କମିଥିବାବେଳେ ଡ଼ିସେମ୍ବରରେ ପାଇକାରୀ ମୁଦ୍ରାସ୍ଫୀତି ନଭେମ୍ବର ମାସଠାରୁ ଢେ଼ର ଅଧିକ ରହିଛି। ଆଳୁ,ପିଆଜ, ଫଳ ଏବଂ ମାଂସ ମୂଲ୍ୟରେ ବୃଦ୍ଧି ଯୋଗୁ ଡିସେମ୍ୱରରେ ପାଇକାରୀ ମୁଦ୍ରାସ୍ଫୀତି ବୃଦ୍ଧି ପାଇଥିବା କୁହାଯାଉଛି। ଉଚ୍ଚ ମୂଲ୍ୟବୃଦ୍ଧି କ୍ଷେତ୍ରରେ ଦେଶର ଶୀର୍ଷ ୩ଟି ରାଜ୍ୟ ମଧ୍ୟରେ ଓଡ଼ିଶା ସ୍ଥାନ ପାଇଛି। ବିଡ଼ମ୍ବନା ହେଉଛି ଜାତୀୟ ମୁଦ୍ରାସ୍ଫୀତି ହାର ୫.୨% ଥିବାବେଳେ ଓଡ଼ିଶାରେ ଏହା ୭%ରେ ପହଞ୍ଚିଛି। ପରିଣତି ସ୍ୱରୂପ ଗ୍ରାମାଞ୍ଚଳରେ ଦରବୃଦ୍ଧି କ୍ଷେତ୍ରରେ ସାରା ଦେଶରେ ଓଡ଼ିିଶା ଏକ ନମ୍ୱର ରାଜ୍ୟ ପାଲଟିଛି। ସହରାଞ୍ଚଳରେ ସ୍ଥିତି ନିୟନ୍ତ୍ରଣରେ ଥିଲେ ବି ଓଡ଼ିଶାର ହାର ଜାତୀୟ ହାରଠାରୁ ଅଧିକ ରହିଛି। ଦେଶର ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହାର ୫.୭୬ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୭.୭୯ ପ୍ରତିଶତରେ ପହଞ୍ଚିଛି। ସହରାଞ୍ଚଳରେ ଜାତୀୟ ହାର ୪.୫୮ ଥିବା ବେଳେ ଓଡ଼ିିଶାରେ ମୁଦ୍ରାସ୍ଫୀତି ୪.୭୫ ପ୍ରତିଶତ ରହିଛି। ଏଭଳି ସ୍ଥିିତିରେ ପାଇକାରୀ ମୁଦ୍ରାସ୍ଫୀତି ଯେଉଁଭଳି ଭାବେ ବଢ଼ିଛି ସେଥିରେ ଆଗକୁ ଖୁଚୁର ମୁଦ୍ରାସ୍ଫୀତିରେ ମଧ୍ୟ ବୃଦ୍ଧି ଘଟିବ। ଦରଦାମ ବୃଦ୍ଧି କ୍ଷେତ୍ରରେ ଦେଶର ଶ୍ରେଷ୍ଠ ମହଙ୍ଗା ରାଜ୍ୟ ମଧ୍ୟରେ ଓଡ଼ିଶା ୩ୟ ସ୍ଥାନରେ ରହିଛି। ଓଡ଼ିଶା ଉପରେ ଦୁଇ ରାଜ୍ୟରେ ମଧ୍ୟ ଡ଼ବଲ ଇଞ୍ଜିନ୍ ସରକାର ରହିଛି। ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଆନ୍ତର୍ଜାତୀୟ ସମସ୍ୟା ଦେଶ ପାଇଁ ବିପଦ ଆଣିବାକୁ ଯାଉଛି, ଯାହା ଓଡ଼ିଶା ଉପରେ ମଧ୍ୟ ସମାନ ପ୍ରଭାବ ପକାଇବା ଆଶଙ୍କା ରହିଛି। ଆମେରିକା ଲାଗୁ କରିଥିବା ଅଶୋଧିତ ତୈଳ କଟକଣା ଭାରତରେ ଇନ୍ଧନ ମୂଲ୍ୟ ବଢ଼ାଇବାର ଆଶଙ୍କା ଥିବାରୁ ବଜାର ଆହୁରି ମହଙ୍ଗା ହେବ ବୋଲି ଅର୍ଥନୀତି ବିଶାରଦମାନେ ଆକଳନ କରୁଛନ୍ତି। ୧୨ ମାସ ତଳେ ଦେଶରେ ପାଇକାରୀ ମୁଦ୍ରାସ୍ଫୀତି ୦.୮୬ ପ୍ରତିଶତ ରହିଥିଲା। ମାତ୍ର ବିନିର୍ମାଣ କ୍ଷେତ୍ରର ସାମଗ୍ରୀର ମୂଲ୍ୟରେ ବୃଦ୍ଧି ଯୋଗୁ ବର୍ଷକ ମଧ୍ୟରେ ପାଇକାରୀ ମୁଦ୍ରାସ୍ଫୀତି ୨% ବୃଦ୍ଧି ପାଇଛି। ଅନୁରୂପ ଭାବରେ ଆଗାମୀ ଦିନରେ ଜଟିଳ ଆନ୍ତର୍ଜାତୀୟ ସ୍ଥିତି ଭାରତୀୟ ଅର୍ଥନୀତିକୁ ଗଭୀର ଭାବରେ ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ଓଡ଼ିଶାର ମହଙ୍ଗା ବଜାର ଆଗାମୀ ଦିନରେ ଆହୁରି ମହଙ୍ଗା ହୋଇପାରେ ବୋଲି ଆଶଙ୍କା କରାଯାଉଛି ।