ପୁରୀ ଜିଲ୍ଲା କଣାସ ଥାନା ଶିମିଳିପାଟଣା ଗ୍ରାମରେ ଗୋଷ୍ଠୀ ସଂଘର୍ଷ । ଗତକାଲି ରାତିରେ ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନିର୍ମାଣକୁ ନେଇ ୨ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଛି। ଏହି ଗୋଷ୍ଠୀ ସଂଘର୍ଷ ରେ ୧୦ ଜଣ ଆହତ ହୋଇଥିବା ବେଳେ ୩ ଜଣଙ୍କ ଅବସ୍ଥା ଗୁରୁତର ହୋଇଛନ୍ତି ।ସେମାନଙ୍କୁ ତୁରନ୍ତ ଭୁବନେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ଘଟଣାସ୍ଥଳରେ କଣାସ ଥାନା ଆଇଆଇସି, ଡେଲାଙ୍ଗ ଥାନା ଆଇଆଇସି, ପିପିଲି ଏସ୍ଡିପିଓ ପହଞ୍ଚି ତଦନ୍ତ କରୁଛନ୍ତି। ସୂଚନା ଅନୁଯାୟୀ, କଣାସ ସିମିଳିପାଟଣା ଗ୍ରାମ ରେ ନୂତନ ଅଙ୍ଗନୱାଡ଼ି ଗୃହ ନିର୍ମାଣ ପାଇଁ ଅର୍ଥ ବରାଦ ହେବା ପରେ ୨ ଗୋଷ୍ଠୀର ବ୍ୟକ୍ତିମାନେ ଗୃହ ନିର୍ମାଣ କରିବା ପାଇଁ ଜିଦ୍ ଧରି ବସିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣା ହୋଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଘଟଣାସ୍ଥଳରେ ପ୍ରଥମେ କଣାସ ଥାନା ଅଧିକାରୀ ପ୍ରଦୀପ କୁମାର ଜୁହାର ସିଂ ଓ ଡେଲାଙ୍ଗ ଥାନା ଆଇଆଇସି ଦେବାଶିଷ ମହାନ୍ତି ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଉତ୍ତେଜନା ଲାଗିରହିବାରୁ ପିପିଲି ଏସ୍ଡିପିଓ ପହଞ୍ଚି ଉଭୟ ପକ୍ଷକୁ ବୁଝାଶୁଝା କରିବା ସହ ପୋଲିସ ଫୋର୍ସ ମୂତୟନ କରି ସ୍ଥିତି ନିୟନ୍ତ୍ରଣ କରିଥିଲେ। ତେବେ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଥିବା ବେଳେ ଗିରଫ ଭୟରେ ୨ ଗୋଷ୍ଠୀର ଅନେକ ବ୍ୟକ୍ତି ଲୁଚିରହିଥିବା ଜଣାପଡ଼ିଛି। ଗ୍ରାମ ରେ ପୋଲିସ ଫୋର୍ସ ମୁତୟନ କରାଯିବା ସହ ପରିସ୍ଥିତି ଉପରେ ନଜର ରଖାଯାଇଛି ବୋଲି ପିପିଲି ଏସଡିପିଓ ବିରଂଚି ନାରାୟଣ ପତି କହିଛନ୍ତି ।