ଆସନ୍ତା ଫେବୃୟାରୀରେ ଦିଲ୍ଲୀ ନିର୍ବାଚନ। ନିର୍ବାଚନ ପାଖେଇ ଆସୁଥିବା ବେଳେ ଦେଖିବାକୁ ମିଳୁଛି ରୋଚକ ମୁକାବିଲା । ଏଥର ଆମ୍ ଆଦମୀ ପାର୍ଟି ଆଗରେ ଗୋଟିଏ ନୁହଁ ବରଂ ଡବଲ୍ ଚ୍ୟାଲେଞ୍ଜ । ଦିଲ୍ଲୀ ନିର୍ବାଚନରେ ମୁଖ୍ୟ ଲଢେଇ ବିଜେପି ଓ ଆପ୍ ମଧ୍ୟରେ ହେବ ବୋଲି ଆଶା କରାଯାଉଥିଲା। ହେଲେ କଂଗ୍ରେସ ସକ୍ରିୟ ହେବା ପରେ ଏବେ ତ୍ରିକୋଣୀୟ ମୁକାବିଲା ହେବ। ବିଜେପି ଅପେକ୍ଷା ଆପକୁ ଅଧିକ ଟାର୍ଗେଟ କରୁଛି କଂଗ୍ରେସ । ଏମିତିକି କଂଗ୍ରେସକୁ ଇଣ୍ଡିଆ ମେଣ୍ଟରୁ ବାହାର କରିବାକୁ କହିଲାଣି ଆପ୍ । ଅରବିନ୍ଦ କେଜ୍ରିଓ୍ବାଲଙ୍କ କିଛି ଘୋଷଣାକୁ ନେଇ ତିନି ଦଳ ମଧ୍ୟରେ ଜୋରଦାର ବୟାନବାଜି ଦେଖାଯାଉଛି।
ନିର୍ବାଚନ ପାଖେଇ ଆସୁଥିବା ବେଳେ ଆପ୍ ଗୋଟେ ପରେ ଗୋଟେ ଯୋଜନା ଘୋଷଣା କରିଚାଲିଛି । ନିକଟରେ କେଜ୍ରିଓ୍ବାଲ ବରିଷ୍ଠ ନାଗରିକଙ୍କ ପାଇଁ ସଂଜୀବନୀ ଯୋଜନା ଓ ମହିଳାଙ୍କ ପାଇଁ ମହିଳା ସମ୍ମାନ ଯୋଜନା ଘୋଷଣା କରିଛନ୍ତି। ମହିଳା ସମ୍ମାନ ଯୋଜନା ପାଇଁ କୌଣସି ବିଜ୍ଞପ୍ତି ବାହାରିନଥିବା ବେଳେ ସଂଜୀବନୀ ଯୋଜନା ଚାଲିନଥିବା କୁହାଯାଇଛି।ଏଥିସହ ପଂଜୀକରଣ ନାଁରେ ବ୍ୟକ୍ତିଗତ ସୂଚନା ନଦେବାକୁ ପରାମର୍ଶ ଦିଆଯାଇଛି । ଏହାପରେ ଦିଲ୍ଲୀ ଯୁବ କଂଗ୍ରେସ ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଯୋଜନା ମାଧ୍ୟମରେ ଦିଲ୍ଲୀ ଜନତାଙ୍କ ସହ ଆପ୍ ଧୋକା କରୁଥିବାରୁ କେଜ୍ରିଓ୍ବାଲଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରୁଛି କଂଗ୍ରେସ । ଏପରିକି ଆପ୍ ସହ ମେଣ୍ଟକୁ କଂଗ୍ରେସର ସବୁଠୁ ବଡ ଭୁଲ ବୋଲି କହିଛନ୍ତି ଦଳର ନେତା ଅଜୟ ମାକେନ । ଏହାପରେ ମାକେନଙ୍କ ବିରୋଧରେ ଆକ୍ସନ ନନେଲେ କଂଗ୍ରେସକୁ ଇଣ୍ଡିଆ ମେଣ୍ଟରୁ ବାହାର କରିବାକୁ ବିରୋଧୀ ନେତାଙ୍କ ସହ କଥା ହେବେ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅତିସି ଚେତାବନୀ ମଧ୍ୟ ଦେଇଛନ୍ତି ।
ଅନ୍ୟପଟେ ଦିଲ୍ଲୀରେ ବିଜେପି ଏପର୍ଯ୍ୟନ୍ତ କାହାକୁ ମୁଖ୍ୟମନ୍ତ୍ରୀ ଚେହେରା ଭାବେ ଘୋଷଣା କରିନାହିଁ । ଏଥର ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିବ ବୋଲି ଜୋରଦାର ଚର୍ଚ୍ଚା ହେଉଛି। ଏମିତି ହେଲେ ଆଶା କରାଯାଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚେହେରାରେ ହିଁ ନିର୍ବାଚନ ଲଢିବ ବିଜେପି । ଅର୍ଥାତ ଦିଲ୍ଲୀରେ ମୋଦି ବନାମ କେଜ୍ରିଓ୍ବାଙ୍କ ମହାଲଢେଇ ହେବ । ବିଜେପି ଓ ମୋଦିଙ୍କର ସବୁଠୁ ବଡ ଚ୍ୟାଲେଞ୍ଜର ଯେ ଅରବିନ୍ଦ କେଜ୍ରିଓ୍ବାଲ, ସେନେଇ ସନ୍ଦେଶ ଦେବାକୁ ଚାହୁଁଛି ଆପ୍ । କେବଳ ସେତିକି ନୁହେଁ କଂଗ୍ରେସକୁ ବି ଲଗାତର ଟାର୍ଗେଟ୍ କରୁଛନ୍ତି କେଜ୍ରିଓ୍ବାଲ । କଂଗ୍ରେସକୁ ଭୋଟ୍ ଦେଲେ କିଛି ଲାଭ ନାହିଁ, ବରଂ ନିଜ ଭୋଟ୍ ବରବାଦ କରିବା ସହ ସମାନ ବୋଲି ଜନତାଙ୍କୁ ବୁଝାଇବାକୁ ଚେଷ୍ଟା କରୁଛି ଆପ୍। ତେଣୁ କଂଗ୍ରେସକୁ ନ ବାଛି ଆପକୁ ବାଛିବାକୁ ଜନତାଙ୍କୁ ଅପିଲ୍ କରୁଛନ୍ତି କେଜ୍ରିଓ୍ବାଲ ।
ବିଜେପି ଆରମ୍ଭରୁ ହିଁ ଆପକୁ ଟାର୍ଗେଟ୍ କରିଆସୁଥିବା ବେଳେ ଏବେ ଆକ୍ରାମକ ହୋଇଛି କଂଗ୍ରେସ । ଉଭୟ ଦଳ ଆପ ହାତରୁ କ୍ଷମତା ଛଡାଇନେବା ପାଇଁ ଉଦ୍ୟମ କରୁଛନ୍ତି । ଶାସନ ବିରୋଧୀ ଲହର, ଦୁର୍ନୀତି ଭଳି ପ୍ରସଙ୍ଗକୁ ନେଇ ଉଭୟ ଆପକୁ ଘେରୁଛନ୍ତି। ସେପଟେ ଆପ୍ ବି ଜାଣିଛି, ଏଥର ଦିଲ୍ଲୀ ଯୁଦ୍ଧ ସହଜ ନୁହେଁ । ସେଥିପାଇଁ ବିଭିନ୍ନ ଯୋଜନା ଘୋଷଣା ସହ ଜନତାଙ୍କୁ ନିଜ ସହ ରଖିବାକୁ ଉଦ୍ୟମ ଚଳାଇଛି ।