ଠକିବାରେ ମାହିରି ବିଜେପି ସରକାର । ସବୁ ପ୍ରତିଶ୍ରୁତି ପ୍ରତାରଣା ସାଜିଛି । ରାଜ୍ୟର ଜନତା ଏବେ ସରକାରଙ୍କୁ ଟାର୍ଗେଟ କଲେଣି । ମହିଳା, ଯୁବବର୍ଗଙ୍କ ପରେ ଏବେ ବରିଷ୍ଠଙ୍କୁ ମଧ୍ୟ ସରକାରଙ୍କ ପ୍ରତାରଣାର ଶୀକାର ହେବାକୁ ପଡିଛି । ୨୦୨୪ ବର୍ଷ ସରିଲାଣି 2025 ଆସିଲାଣି ସେପଟେ ସରକାରଙ୍କୁ ୨୦୦ ଦିନ ପୂରିଲା। ମାତ୍ର ନିର୍ବାଚନ ପୂର୍ବରୁ ବିଜେପି ଘୋଷଣା ପତ୍ରରେ ସ୍ଥାନୀତ ୩୦୦୦ ଟଙ୍କା ଭତ୍ତା ହିତାଧିକାରୀଙ୍କ ପାଇଁ ସ୍ୱପ୍ନ ହୋଇଗଲା। ୮୦ ବର୍ଷରୁ ଊର୍ଦ୍ଧ୍ବ ଓ ୮୦%ରୁ ଊର୍ଦ୍ଧ୍ବ ଅକ୍ଷମଙ୍କୁ ଯେଉଁ ୩୫୦୦ ଟଙ୍କା ଦିଆଯିବା ପାଇଁ ବଜେଟରେ ବ୍ୟବସ୍ଥା ହେଲା ତାହା ଏଯାଏ ମିଳିଲା ନାହିଁ। ବିଡ଼ମ୍ବନା ହେଉଛି; ପୂର୍ବରୁ ନବୀନ ସରକାର ସମୟରେ ଯେଉଁ ୧୦୦୦ ଟଙ୍କା ଭତ୍ତା ମିଳୁଥିଲା ତାହା ବି ବିଳମ୍ବିତ ହୋଇ ଚାଲିଛି। ପୂର୍ବରୁ ହିତାଧିକାରୀଙ୍କୁ ୧୬ ତାରିଖ ମଧ୍ୟରେ ଭତ୍ତା ରାଶି ପ୍ରଦାନ କରାଯାଉଥିବା ବେଳେ ଏବେ ୨୭ ତାରିଖ ପର୍ଯ୍ୟନ୍ତ ତାହା ମିଳି ନ ଥିବା ଅଭିଯୋଗ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗତ ଜୁଲାଇ ମାସରେ ଆଗତ ପୂର୍ଣ୍ଣାଙ୍ଗ ବଜେଟରେ ୮୦ ବର୍ଷ ବା ତଦୁର୍ଦ୍ଧ୍ବ ଏବଂ ୮୦ ପ୍ରତିଶତରୁ ଊର୍ଦ୍ଧ୍ବ ଭିନ୍ନକ୍ଷମ ମାସିକ ଭତ୍ତା ରାଶି ୩୫୦୦ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ମୋଟ ୩୭୦୦୭୭ ଜଣ ୮୦ ବର୍ଷ ବା ତଦୁର୍ଦ୍ଧ୍ବ ବୟସ୍କ ଭତ୍ତା ହିତାଧିକାରୀ ଏହାଦ୍ୱାରା ଉପକୃତ ହୋଇଥାନ୍ତେ। ମାତ୍ର ୨୦୨୪ ସରିବାକୁ ବସିଥିଲେ ହେଁ ଏଯାବତ୍ ବର୍ଦ୍ଧିତ ଭତ୍ତା ରାଶି ପ୍ରଦାନ କରାଗଲା ନାହିଁ। ଘୋଷଣାକୁ କାର୍ଯ୍ୟକାରୀ କରିବାରେ କାହିଁକି ବିଳମ୍ବ ହେଉଛି, ସେ ସମ୍ପର୍କରେ ସରକାରଙ୍କ ପାଖରେ ଉତ୍ତର ନାହିଁ। ପ୍ରତି ମାସରେ ସେମାନଙ୍କୁ ବର୍ଦ୍ଧିତ ଭତ୍ତା ରାଶି ପାଇଁ ଅଶୀତିପର ହିତାଧିକାରୀ ଚାହିଁ ବସିଥିବାବେଳେ ଏ ପର୍ଯ୍ୟନ୍ତ ସେମାନଙ୍କୁ ତାହା ମିଳିପାରି ନାହିଁ । ଅନ୍ୟପକ୍ଷରେ ଡ଼ିସେମ୍ବର ମାସରେ ଜାତୀୟ ସାମାଜିକ ନିରାପତ୍ତା ସହାୟତା କାର୍ଯ୍ୟକ୍ରମ ଅଧୀନରେ ହିତାଧିକାରୀଙ୍କୁ ଭତ୍ତା ରାଶି ୨୭ ତାରିଖ ପର୍ଯ୍ୟନ୍ତ ମିଳି ନ ଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି କାର୍ଯ୍ୟକ୍ରମ ଅଧିନରେ ଭତ୍ତା ଟଙ୍କା ମାସର ଦ୍ୱିତୀୟ ସପ୍ତାହ ସୁଦ୍ଧା ମିଳୁଥିଲା। ନୂଆ ସରକାର ଆସିବା ପରେ ଭତ୍ତା ପ୍ରଦାନ ଅବଧି ୨୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚି ଆସିଲା। ମାତ୍ର ଚଳିତ ମାସରେ ୪ର୍ଥ ସପ୍ତାହ ପର୍ଯ୍ୟନ୍ତ ଏହି ଭତ୍ତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ଜମା ହୋଇ ନାହିଁ। ମିଳିଥିବା ସୂଚନା ଅନୁସାରେ ୨୮ ତାରିଖ ବିଳମ୍ବିତ ରାତିରେ କିଛି ଅଞ୍ଚଳର ହିତାଧିକାରୀଙ୍କ ବ୍ୟାଙ୍କକୁ ଭତ୍ତା ରାଶି ପଠାଯାଇଛି । ମାତ୍ର ଅନେକ ସ୍ଥାନରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ । ତା ଠାରୁ ଅଧିକ ଦୁଃଖର ବିଷୟ ହେଉଛି ବର୍ଦ୍ଧିତ ଭତ୍ତାକୁ ଚାହିଁ ଚାହିଁ ଏହା ମଧ୍ୟରେ ଅନେକ ହିତାଧିକାରୀ ମଧ୍ୟ ଆଖି ବୁଜିଲେଣି। ମାତ୍ର କ୍ଷମତା ଦଖଲର ୨୦୦ ଦିନ ପୂର୍ତ୍ତି କରି ସାରିଥିବା ସରକାର ଏହି ସାଧାରଣ ସମସ୍ୟାଟିର ସମାଧାନ କରିବାରେ ବିଫଳ ହୋଇଛନ୍ତି। ଯାହାକୁ ନେଇ ତୀବ୍ର ଜନ ଅସନ୍ତୋଷ ବୃଦ୍ଧି ପାଇଛି ।