ଅଦିନିଆ ବର୍ଷ।ରେ ଫସଲ ନଷ୍ଟ ଦେଖି ବିଲରୁ ଘରକୁ ଫେରୁନି ଚାଷୀ । ଚାଷୀଙ୍କ ଲୁହ ପୋଛି ସମବେଦନା ଓ କ୍ଷତିପୂରଣ ଦେବା ପାଇଁ ମଇଦାନକୁ ଓହ୍ଲାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧି ନେତା ନବୀନ ପଟ୍ଟନାୟକ । ଚାଷୀଙ୍କ ପାଇଁ ଦିନେ ନବୀନ ସରକାର ଉତ୍ସର୍ଗୀକୃତ ରହିଥିଲା । ଚାଷୀଙ୍କୁ ବିପଦ ଆସିବା ପୂର୍ବରୁ ଆଗୁଆ ସତର୍କ କରାଇବା ସହ କ୍ଷତିପୂରଣ ଦେଇ ଚାଷୀଙ୍କ ମନୋବଳ ଦୃଢ କରୁଥିଲେ ପୂର୍ବ ସରକାର । ମାତ୍ର ନୂଆ ସରକାର ଉପରେ ଚାଷୀଙ୍କ ଭରସା ପାଉନି । ଯେଉଁଥିବା ପାଇଁ ଚାଷୀ ଆତ୍ମହତ୍ୟା ବଢିଥିବା ବେଳେ ଏହା ସରକାରଙ୍କ ଚିନ୍ତା ବଢାଇଛି । ଏବେ ଚାଷୀଙ୍କ ମନ ଜିତିବା ପାଇଁ କସରତ ଆରମ୍ଭ କରିଦେଇଛନ୍ତି ସରକାର ଓ ବିରୋଧି । ଚାଷୀଙ୍କ ବିଶ୍ବାସ ଜିତିବା ପାଇଁ ବିଭିନ୍ନ ଜିଲ୍ଲା ବୁଲି ଧାନ ଚାଷ କ୍ଷୟକ୍ଷତି ଦେଖିବା ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅନ୍ୟପଟେ ଆଜି ଗଞ୍ଜାମ ଯାଇ ଚାଷୀଙ୍କୁ ଭେଟୁଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଅଦିନିଆ ବର୍ଷା ଯୋଗୁଁ ଚାଷୀ ବ୍ୟାପକ କ୍ଷତିର ସମ୍ମୁଖୀନ ହୋଇଥିବାର ଦୃଶ୍ୟ ସାମନାକୁ ଆସିବା ପରେ ଗାଁରେ ପହଞ୍ଚିଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୟାଗଡ, ଗଜପତି, ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷାଜନିତ କ୍ଷୟକ୍ଷତି ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଘଟିଥିବା ଅଦିନିଆ ବର୍ଷା ଜନିତ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ ପାଇଁ ନୟାଗଡ, ଗଜପତି ଓ ଗଞ୍ଜାମ ଜିଲ୍ଲା ଗସ୍ତ କରି ସବୁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ନିଶ୍ଚୟ ସହାୟତା ମିଳିବ ବୋଲି ଆଶ୍ଵାସନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମଧ୍ୟ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡ଼ିକ ବୁଲି ଦେଖିଥିଲେ । ରାଜ୍ୟର କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଗୁଡିକର ଜିଲ୍ଲାପାଳ ମାନଙ୍କୁ ପୁନଃ ଆକଳନ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସଠିକ ଆକଳନ ତଥ୍ୟ ମିଳିବା ପରେ ଚାଷୀ ମାନଙ୍କୁ ସହାୟତା ରାଶି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଅନ୍ୟପଟେ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟନାୟକ। ପ୍ରଥମେ ନିଜ ନିର୍ବାଚନୀ ମଣ୍ଡଳୀ ଶେରଗଡ଼ ବ୍ଲକର ଚାଷୀ ଙ୍କ ସହ ସାକ୍ଷାତ କରି କ୍ଷୟକ୍ଷତି ବିଷୟରେ ଆଲୋଚନା କରିବା ପରେ ହିଞ୍ଜିଳି କାଟୁ ପରେ ଆସିକା ରେ ଚାଷୀଙ୍କ ସହ ଆଲୋଚନା କରି କବିସୂର୍ୟ୍ୟନଗର , ଖଲିକୋଟ ନିର୍ବାଚନ ମଣ୍ଡଳୀ ର କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତେବେ ନବୀନଙ୍କ ଗସ୍ତ ମୋହନଙ୍କ ଉପରେ ଭାରି ପଡିପାରେ ବୋଲି ଆଲୋଚନା ହେଉଛି । ପ୍ରିୟ ନେତା ନବୀନଙ୍କ ପାଇଁ ଚାଷୀ ସରକାର ବିରୋଧି ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି ।