କିଏ ସତ କହୁଛି କିଏ ମିଛ କହୁଛି । ସରକାର ବିରୋଧି ଲଢେଇରେ ବଳି ପଡିଛନ୍ଚି ଚାଷୀ । ଲଗାଣ ବର୍ଷାରେ ବିଲରେ ନଷ୍ଟ ହେଲା ଫସଲ । ତା ପରେ ପୁଣି ମଣ୍ଡିରେ ଖତ ହେଉଛି ଅମଳ । ସାରା ବର୍ଷର ପରିଶ୍ରମ ନଷ୍ଟ ହେଉଥିବାର ଦେଖି ନିରବ ରହିଛି ଉପାୟ ଶୂନ୍ୟ ଚାଷୀ । ଏ ଭିତେର କଥା କଟାକଟି ହୋଇଛନ୍ତି ଦୁଇ ଭାଇ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ବିଧାୟକ କଲିକେଶ ସିଂଦେଓଙ୍କ କଥା କଟାକଟି ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ କହୁଛନ୍ତି ସବୁ ଠିକ ଚାଲିଛି, କଳିକେଶ କହୁଛନ୍ତି ମଣ୍ଡିରେ ବ୍ୟପକ ଅବ୍ୟବସ୍ଥା । ସେପଟେ ମିଲର୍ସଙ୍କୁ ଉପ ମୁଖ୍ୟମନ୍ତ୍ରୀଙ୍କ ଧମକ ରହିଛି । ସରକାର ପାଖରେ ଅନେକ ବାଟ ଅଛି । କିନ୍ତୁ ଯେଉଁ ମିଲର୍ସ ସରକାରଙ୍କ ନିର୍ଦ୍ଦେଶକୁ ମାନିବେ ନାହିଁ, ସେହି ମିଲର୍ସର ବିଦ୍ୟୁତ ସଂଯୋଗ ବି କଟାଯାଇପାରେ । ଲିଫ୍ଟିଂ ଅର୍ଡର ବି ବନ୍ଦ କରିଦିଆଯାଇପାରେ । ଏ କଥା ଦାୟିତ୍ବ ସଂପନ୍ନ ଗଣମାଧ୍ୟମ ପହଞ୍ଚାଇବା ନିହାତି ଦରକାର । ସୁଶାସନ ଦିବସରେ ଏମିତି କିଛି କହିଥିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଅନ୍ୟପଟେ ସାତ ଦିନ ତଳେ ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓ ସାମ୍ବାଦିକ ସମ୍ମିଳନୀ ଡାକି ମିଲର୍ସ ଦେଉଥିବା ଚିରା ଅଖା ବସ୍ତାକୁ ଗଣମାଧ୍ୟମ ଆଗରେ ଦେଖାଇଥିଲେ। କଳିକେଶ ଚିରା ଅଖାକୁ ଦେଖାଇ କହିଥିଲେ ମଣ୍ଡି ବ୍ୟବସ୍ଥାର ଅବସ୍ଥା । ଚାଷୀଙ୍କ ପ୍ରତି ସରକାରଙ୍କ ଦରଦକୁ ନେଇ ସମାଲୋଚନା କରିଥିଲେ କଳିକେଶ । ଭାଇ କଳିକେଶଙ୍କ ଅଭିଯୋଗରେ ଅବଗତ ଥିବା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସୁଶାସନ ଦିବସରେ ମଂଚ ଉପରୁ କଳିକେଶଙ୍କୁ ଜବାବ ଦେଇଥିଲେ । ଅବଶ୍ୟ ଉପହାସ କରି କଳିକେଶଙ୍କୁ ଜବାବ ଦେବା ସମୟରେ ମଂଚରୁ ଉଠି ଆସିଥିଲେ ଦୁଇ ବିଜେଡି ନେତ୍ରୀ ଜିଲ୍ଳା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ଓ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ । ବିଜେଡି ବିଜେପିର ତୁ ତୁ…ମେ ମେ… ଭିତରେ ପଛରେ ପଡିନି କଂଗ୍ରେସ । ଚାଷ ଚାଷୀ ଓ ମଣ୍ଡିକୁ ନେଇ ଗଣମାଧ୍ୟମ ସମ୍ମିଳନୀ ଡାକିଥିଲେ ଭେଟେରାନ କଂଗ୍ରେସ ଲିଡର ନରସିଂହ ମିଶ୍ର । ମଣ୍ଡିରେ ହେଉଥିବା ଅବ୍ୟବସ୍ଥାକୁ ନେଇ ଗର୍ଜିଥିଲେ ନରସିଂହ । ମଣ୍ଡିରେ ବିନା କଟନୀ ଛଟନୀରେ ଧାନ ଉଠାଇବା ପାଇଁ ରାଜ୍ୟ ସରକାରଙ୍କ ପ୍ରତିଶୃତି ପାଣିର ଗାର ବୋଲି କହିଥିଲେ ନରସିଂହ । ତେଣୁ ମଣ୍ଡିରେ କଟନୀ ଛଟନୀ ବଦଳରେ ମିଲର୍ସଙ୍କ ସହିତ ବୁଝାମଣାରେ ଧାନ ଉଠାଇବା ମୁଖ୍ୟ ଯୋଗାଣ ଅଧିକାରୀ ସ୍ବୀକାର କରିଥିବାରୁ, ସି.ଏସ.ଓ, ବିଭାଗୀୟ ସଚିବ ଓ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ନରସିଂହ । ଏପରିକି ମିଲ ମାନଙ୍କୁ ଧମକ ଦେଇ ନେତା ଚାନ୍ଦା ଆଦାୟ କରୁଥିବା ସଂଗୀନ ଅଭିଯୋଗ ଆଣିଥିଲେ ନରସିଂହ । ହେଲେ ବିରୋଧିଙ୍କ ଏଭଳି ଅଭିଯୋଗର କଡା ଜବାବ ଦେଇଛନ୍ତି କେ.ଭି । କିନ୍ତୁ ନେତାଙ୍କ କହିବା କଥା। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ନେତା । କିନ୍ତୁ ବାସ୍ତବ ଚିତ୍ର ଭିନ୍ନ ରହିଛି । ଚାଷୀଙ୍କ ଦୁଃଖ ଶୁଣିବାକୁ ଏ ସରକାର ଯୋଗ୍ୟ ନୁହଁନ୍ତି ବୋଲି ସାଧାରଣରେ ଚର୍ଚ୍ଚା ବଢିଛି ।