ରାଜନୀତିରେ ଦଳ ଅଦଳ ବଦଳ, ହାରିବା ଜିତିବା ସାଧାରଣ କଥା । ଗୋଟିଏ ରାଜନୈତିକ ଦଳ ଲଗାତର ବିଜୟ ପରେ ପୁଣି ପରାଜିତ ହେବା ଅନେକ ଥର ଦେଖିବାକୁ ମିଳିଛି । ଯଦିଓ ଲମ୍ବା ସମୟ ଧରି କିଛି ଦଳ ରାଜ୍ୟରେ ଶାସନ ଭାର ଗ୍ରହଣ କରିଥାନ୍ତି । ସେହିଭଳି ରାଜ୍ୟବାସୀ ମଧ୍ୟ ପୁରୁଣା ସରକାର ଭୁଲି ନୂଆ ସରକାରକୁ ସ୍ବାଗତ କରନ୍ତି । କିନ୍ତୁ ଓଡିଶାରେ ତାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ରାଜ୍ୟରେ ବିଜେପି ସରକାରକୁ 6 ମାସ ପୁରିଛି । ହେଲେ ବି ରାଜନେତାଙ୍କ ଠୁ ଜନତା ପର୍ଯ୍ୟନ୍ତ ସମସ୍ତଙ୍କୁ ଗୋଟିଏ ଚିନ୍ତା ଘାରିଛି କାହିଁକି ହାରିଲେ ନବୀନ । ତାକୁ ନେଇ ନୂଆ ନୂଆ ଆକଳନ ମଧ୍ୟ କରାଯାଉଛି । ନିର୍ବାଚନରେ ବିଜେଡି କାହିଁକି ହାରିଲା ? ସାଧାରଣ ଲୋକଙ୍କ ଠାରୁ ରାଜନୈତିକ ବିଶେଷଜ୍ଞ ଢେର୍ ଆଲୋଚନା କଲେଣି। ଓଡ଼ିଶାର ଆଞ୍ଚଳିକ ଦଳକୁ ‘ଓଡ଼ିଆ ଅସ୍ମିତା’ର ଦ୍ବାହି ଦେଇ ଜାତୀୟ ଦଳ ବିଜେପି ଭାରି ପଡିଥିବା କୁହାଯାଉଛି । ବରିଷ୍ଠ ସାମ୍ବାଦିକ ରୁବେନ ବାନାର୍ଜୀଙ୍କ ବହିରେ ନବୀନ ହାରିବା ପାଇଁ ପାଣ୍ଡିଆନଙ୍କୁ ଦାୟୀ କରାଗଲା । ଏମିତିକି ବିଜେଡି ନେତାମାନେ ମଧ୍ୟ ଦଳ ହାରିବାର ଦୋଷ ନବୀନଙ୍କୁ ଦେଲେ । କିନ୍ତୁ ଏସବୁ ଭିତରେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ନବୀନଙ୍କ ହାରିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଜନତା । ଆଜି ବି ଓଡିଶାର ଜନତା ନବୀନଙ୍କୁ ଓ ବିଜୁ ଜନତା ଦଳକୁ ଝୁରୁଛନ୍ତି । ବିଜେଡି ପ୍ରତିଷ୍ଠା ଦିବସରେ ନବୀନ ବିଜେପି ସରକାରର ଅପାରଗତା କଥା ବଖାଣିବା ସହ ଓଡିଶାବାସୀଙ୍କୁ ସେବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ପ୍ରକାଶ କରିଥିଲେ । ପ୍ରତିଷ୍ଠା ଦିବସ ଅବସରରେ ଶଙ୍ଖ ଭବନରେ ଜନଗହଳି ଦେଖି କୋଉଠି ନା କୋଉଠି ସରକାର ମଧ୍ୟ ଚମକିପଡିଥିବା ଚର୍ଚ୍ଚା ହେଉଛି । କାରଣ ରାଜ୍ୟରେ ଆଜିବି ଥମିନି ନବୀନଙ୍କ କ୍ରେଜ । ନବୀନ ପୁଣି ଶାସନ ଗାଦୀକୁ ଫେରିବେ ଏହି ବିଶ୍ବାସ ଓଡିଶାବାସୀଙ୍କ ମନରେ ରହିଛି । ଓଡିଶାରେ ଦୀର୍ଘ ବର୍ଷ ଧରି ଶାସନ ଭାର ସମ୍ଭାଳିଥିବା ଆଞ୍ଚଳିକ ଦଳ ହାରିବା ଲୋକଙ୍କ ମନକୁ ଶକ୍ତ ଆଘାତ ଦେଇଛି । ପ୍ରିୟ ନେତା ନବୀନଙ୍କ ପାଇଁ ଆଜି ବି କାନ୍ଦୁଛି ଓଡିଶା । ବିଜେପି ସରକାରକୁ 6 ମାସ ହୋଇଥିଲେ ବି ଭାଜପାକୁ ଗ୍ରହଣ କରିୁପାରିନାହାନ୍ତି ଜନତା । ତେଣୁ ନବୀନଙ୍କ ଲୋକପ୍ରିୟତା ପଞ୍ଚାୟତ ନିର୍ବାଚନରେ ତାର କମାଲ ଦେଖାଇବ ବୋଲି କହିଛନ୍ତି ବୁଦ୍ଧିଜୀବୀ ।