ମଧ୍ୟ ରାତ୍ରରେ ଭୟଙ୍କର ଶବ୍ଦରେ ଦୁଲୁକୁଛି ଚାନ୍ଦବାଲି , ଆତଙ୍କରେ ଚାନ୍ଦବାଲିବାସୀ । ସୂଚନା ମୁତାବକ ଅଏଲ ଏଣ୍ଡ ନେଚୁରାଲ ଗ୍ୟାସ କର୍ପୋରେସନ କିଛି ଦିନ ହେବ ଚାନ୍ଦବାଲି ଅଞ୍ଚଳରେ ତାର ବିଛାଇ ଭୂତଳ ତୈଳ ଓ ପ୍ରାକୃତିକ ଗ୍ୟାସ ସନ୍ଧାନ ଚଳାଇଛି । ଭୂଗର୍ଭରେ ଡିନାମାଇଟ ବିସ୍ଫୋରଣ କରାଇ ଆନୁସନ୍ଧାନ ଜାରି ରଖିଛି କମ୍ପାନୀ । ମାତ୍ର ଏ ବିଷୟରେ ସ୍ଥାନୀୟ ଲୋକଙ୍କୁ କୌଣସି ସୂଚନା ଦିଆଯାଇନାହିଁ । ଡିନାମାଇଟ ଶବ୍ଦରେ ଘରର କାନ୍ଥ ଫାଟିବାର ଆଶଙ୍କା ସୃଷ୍ଟି ହେବା ସହ ଭୂତଳ ଜଳ ପ୍ରଦୂଷିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ଯାହାକୁ ତୀବ୍ର ବିରୋଧ କରିଛନ୍ତି ଚାନ୍ଦବାଲିବାସୀ ।ତା ସହିତ ଚାନ୍ଦବାଲି ଅଞ୍ଚଳ ଇକୋ ସେନ୍ସଟିଭ ଜୋନରେ ଯାଉଥିବା ବେଳେ ଏଭଳି ବ୍ଲାଷ୍ଟିଂ କେତେଦୂର ଯଥାର୍ଥ ବୋଲି ପ୍ରଶ୍ନ ଉଠିଛି । ଏ ବିଷୟରେ ଚାନ୍ଦବାଲି ତହସିଲଦାର ଓ ଭଦ୍ରକ ଉପଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ବେଳେ ଗତକାଲି ସନ୍ଧ୍ୟାରେ କମ୍ପାନୀ ଠିକାଦାର ଓ ଚାନ୍ଦବାଲିବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ ବିଷୟ ପଶ୍ଚିମବଙ୍ଗରୁ କିଛି ନାବାଳକ ଶିଶୁ ଶ୍ରମିକଙ୍କୁ ଧରି କମ୍ପାନୀ ବ୍ଲାଷ୍ଟିଙ୍ଗ ଭଳି ବିପଦଜ୍ଜନଙ୍କ କାର୍ଯ୍ୟ କରୁଥିବାରୁ କାମକୁ ଅଟକାଇବା ସହ ଚାନ୍ଦବାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବେଶବିତ ବିଶ୍ଵକେଶରୀ ମହାନ୍ତି । ଚାନ୍ଦବାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟରତ ଶ୍ରମିକ ମାନକୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।