ରାଜ୍ୟରେ ବିଜେଡି ହାରିବା ପଛରେ ଇଭିଏମ ଖେଳ ରହିଛି ବୋଲି ଅଭିଯୋଗ ବାଢିଛି ବିଜୁ ଜନତା ଦଳ । ଏହି ସମାନ ଅଭିଯୋଗ ଇଣ୍ଡିଆ ମେଣ୍ଟ ଉଠାଇଥିବା ବେଳେ ସେଥିରେ ସମର୍ଥନ ଯୋଡିଛି ବିଜେଡି । ନିର୍ବାଚନୀ ଅସଂଙ୍ଗତି ନିଶ୍ଚିତ ଭାବେ ଦଳର ପରାଜୟର କାରଣ ପାଲଟିଛି । ଏହି ମାମଲାର ସାବଧାନତାପୂର୍ବକ ଯାଞ୍ଚ କରିବା ନେଇ ନିକଟରେ ନବୀନ କହିଛନ୍ତି । ବିରୋଧୀ ଦଳର ଇଣ୍ଡିଆ ମେଣ୍ଟ ଇଭିଏମ୍ ହଟାଇ ବାଲାଟ ପେପରରେ ନିର୍ବାଚନ କରାଇବା ଦାବି କରୁଥିବା ବେଳେ ଏବେ ନବୀନ ସମାନ ପ୍ରସଙ୍ଗ ଉଠାଇଛନ୍ତି । ଯଦି ବାଲାଟ ପେପର ଫେରେ ତେବେ ବିଜେଡି ତାହାକୁ ସମର୍ଥନ କରିବ ବୋଲି ସେ କହିଛନ୍ତି। ତେବେ ବିଜେଡି ଦାବି କରିଛି ଯେ ନିର୍ବାଚନ ଆୟୋଗକୁ ଯେଉଁ ଯାଚିକା ଦିଆଯାଇଛି ସେଥିରେ ଅସଂଗତିକୁ ସ୍ପଷ୍ଟ କରିଥିବା ପ୍ରାୟ ୨୦୦ ପୃଷ୍ଠାର ତଥ୍ୟ ରହିଛି। ଏଥିରେ ଦଳ ୩ ପ୍ରମୁଖ ସମସ୍ୟା ଉଠାଇଛି। ବୁଥ୍ ସ୍ତରରେ ପଡ଼ିଥିବା ଭୋଟ ଏବଂ ଇଭିଏମ୍ରେ ଆସିଥିବା ଭୋଟରେ ପ୍ରାର୍ଥକ୍ୟ, ଏକାସହ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଭୋଟଗ୍ରହଣ ହୋଇଥିଲେ ହେଁ ଭୋଟରେ ପ୍ରାର୍ଥକ୍ୟ, ମତଦାନ ଦିନ ନିର୍ବାଚନ କମିଶନଙ୍କ ଦ୍ୱାରା କୁହାଯାଇଥିବା ଆକଳନ ଏବଂ ୨ ଦିନ ପରେ ଘୋଷଣା କରାଯାଇଥିବା ଅନ୍ତିମ ମତଦାନ ରିପୋର୍ଟରେ ବହୁତ ବଡ଼ ପ୍ରାର୍ଥକ୍ୟ ଥିବା ସେଥିରେ ଉଲ୍ଲେଖ କରାଯାଇଛି । ବିଜେଡି ନେତା ଏବଂ ପୂର୍ବତନ ରାଜ୍ୟ ସଭା ଏମ୍ପି ଅମର ପଟ୍ଟନାୟକ ଇଣ୍ଡିଆନ ଏକ୍ସପ୍ରେସ ସହ ଆଲୋଚନାରେ କହିଛନ୍ତି, ରିଟର୍ନି ଅଫିସର ଦ୍ୱାରା ଗଣାଯାଇଥିବା ଭୋଟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦ୍ୱାରା ଦିଆଯାଇଥିବା ଭୋଟର ରିପୋର୍ଟରୁ ଅଲଗା ହୋଇ ପାରିବ ନାହିଁ, ବିଶେଷକରି ସେତେବେଳେ ଯେବେ ଇଭିଏମ୍ର ବ୍ୟବହାର କରାଯାଇଥାଏ। ହେଲେ ଏହି ପ୍ରାର୍ଥକ୍ୟ ଏତେ ରହିଛି ଯେ ସମ୍ଭବତଃ ନିର୍ବାଚନ ଫଳାଫଳ ଉପରେ ପ୍ରଭାବ ପଡ଼ିପାରେ। ଏହି ପ୍ରାର୍ଥକ୍ୟ ହିଁ ନିର୍ବାଚନୀ ପ୍ରକ୍ରିୟାର ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଉଛି ବୋଲି ସେ କହିଛନ୍ତି। ୬ ମାସ ପରେ ଦଳ ଉଠାଇଥିବା ପ୍ରଶ୍ନକୁ ନେଇ ଅମର କହିଛନ୍ତି, ଦଳ ତଥ୍ୟକୁ ଏକତ୍ର କରିବାକୁ ଅଧିକ ସମୟ ନେଲା। ବିନା କୌଣସି ତଥ୍ୟରେ ଅଭିଯୋଗ କରିବାକୁ ଦଳ ଚାହୁଁ ନ ଥିଲା। ତଥ୍ୟ ଏକତ୍ର କଲୁ, ନିର୍ବାଚନ କମିଶନଙ୍କ ନିକଟକୁ ଯିବା ପୂର୍ବରୁ ଆଇନଗତ ପରାମର୍ଶ ନେଲୁ, ଯେଉଁଥିଲାଗି ସମୟ ଲାଗିଲା। ସୂଚନା ଅନୁସାରେ ନିକଟରେ ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟର ଶୋଚନୀୟ ପରାଜୟ ପରେ ପୁଣି ଇଭିଏମ୍ ଅର୍ଥାତ ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ ଉପରେ ପ୍ରଶ୍ନ ଉଠିଥିଲା। କଂଗ୍ରେସଠାରୁ ଆରମ୍ଭ କରି ଏନ୍ସିପି, ଶିବସେନା ଆଦି ଦଳ ବାଲାଟ ପେପର୍ରେ ନିର୍ବାଚନ କରାଯାଉ ବୋଲି ଦାବି କରିଥିଲେ।