ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଡିସେମ୍ବର ୨୬ ତାରିଖରେ ୯୨ ବର୍ଷ ବୟସରେ ଇହଲୀଳା ତ୍ଯାଗ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ମୃତି ଉଦ୍ଦେଶ୍ଯରେ କେନ୍ଦ୍ରର ମୋଦୀ ସରକାର ଦିଲ୍ଲୀରେ ଏକ ସ୍ମାରକୀ ନିର୍ମାଣ କରିବାକୁ ଘୋଷଣା କରିଥିଲେ। କଂଗ୍ରେସର ରାଷ୍ଟ୍ରୀୟ ଅଧ୍ଯକ୍ଷ ମଲ୍ଲିକାର୍ଜୁନ ଖଡଗେ ମନମୋହନ ସିଂହଙ୍କ ସ୍ମୃତିରେ ଏକ ସ୍ମାରକୀ ନିର୍ମାଣ କରିବାକୁ କେନ୍ଦ୍ର ପାଖରେ ପ୍ରସ୍ତାବ ରଖିଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ପ୍ରସ୍ତାବ ଦେବା ପରେ ଏବେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତଃ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ। ବାପାଙ୍କ ପାଇଁ ତ ଏକ ଶୋକସଭା କରିନଥିଲ ବୋଲି କହି ଶର୍ମିଷ୍ଠା କଂଗ୍ରେସକୁ ଟାର୍ଗେଟ କରିଛନ୍ତି।
ଶର୍ମିଷ୍ଠା ମୁଖାର୍ଜୀ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଅଭିଯୋଗ କରିଛନ୍ତି ଯେ ୨୦୨୦ ଅଗଷ୍ଟରେ ତାଙ୍କ ପିତାଙ୍କ ମୃତ୍ୟୁ ପରେ କଂଗ୍ରେସ ୱାର୍କିଂ କମିଟି କୌଣସି ସମବେଦନା ବୈଠକ କରିନାହିଁ । ଶୋକ ଜଣାଇବା ଲାଗି କାର୍ଯ୍ୟକାରୀ କମିଟି ଡାକିବାରେ କଂଗ୍ରେସ ବିଫଳ ହୋଇଥିଲା । ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସର ଜଣେ ବରିଷ୍ଠ ନେତା ତାଙ୍କୁ କହିଥିଲେ ଯେ ଭାରତୀୟ ରାଷ୍ଟ୍ରପତିଙ୍କ ପାଇଁ କୌଣସି ସଭା ଆୟୋଜନ ହୋଇନାହିଁ, ଯାହାକୁ ସେ ଅତ୍ୟନ୍ତ ଅସ୍ୱାଭାବିକ ଏବଂ ଅପମାନ ବୋଲି କହିଥିଲେ ।
ଶର୍ମିଷ୍ଠା ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ, ସେ ତାଙ୍କ ପିତାଙ୍କ ଡାଏରୀରୁ ଜାଣିବାକୁ ପାଇଛନ୍ତି ପୂର୍ବତନ ରାଷ୍ଟ୍ରପତି କେ.ଆର. ନାରାୟଣନଙ୍କ ମୃତ୍ୟବେଳେ କଂଗ୍ରେସ କାର୍ଯ୍ୟସମିତି ଏକ ବୈଠକ ଡାକିଥିଲେ ଏବଂ ତାଙ୍କ ପିତା ପ୍ରଣବ ମୁଖାର୍ଜୀଙ୍କ ଦ୍ୱାରା ସମବେଦନା ପତ୍ରର ଡ୍ରାଫ୍ଟ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ତେବେ ତାଙ୍କ ପିତାଙ୍କ ମୃତ୍ୟୁ ସମୟରେ କଂଗ୍ରେସର ଏଭଳି ମନୋଭାବକୁ ନେଇ ସେ ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।