ଆଉ ନାହାନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ । ଜଣେ ସୁଯୋଗ୍ୟ ସନ୍ତାନକୁ ହରାଇଛି ଭାରତ ମାଆ। ସେ ଥିଲେ ଦେଶର ପ୍ରଥମ ଶିଖ ପ୍ରଧାନମନ୍ତ୍ରୀ ଥିଲେ । ଜବହାରଲାଲ ନେହେରୁଙ୍କ ପରେ ମନମୋହନ ହେଉଛନ୍ତି ପ୍ରଥମ ପ୍ରଧାମନନ୍ତ୍ରୀ ଯେ କି ପୂରା ପାଞ୍ଚ ବର୍ଷର ଶାସନକାଳ ପୂରଣ କରି ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଥଲେ। ସେ ଯେଉଁ ରଙ୍ଗର ପୋଷାକ ପିନ୍ଧିଲେ ବି ତାଙ୍କ ମୁଣ୍ତରେ ସର୍ବଦା ନୀଳ ରଙ୍ଗର ପଗଡି ପିନ୍ଧୁଥିଲେ ମନମୋହନ । ହେଲେ ସେ ନୀଳ(Blue)ରଙ୍ଗ ପଗଡି କାହିଁକି ପରିଧାନ କରୁଥିଲେ ଜାଣନ୍ତି କି ? ତେବେ ଆସନ୍ତୁ ଜାଣିବା।
ସବୁବେଳେ ଫିକା ନୀଳ ରଙ୍ଗର ପଗଡିରେ ମନମୋହନ ସିଂଙ୍କୁ ଦେଖିବାକୁ ମିଳୁଥିଲା । ସେ ନିଜେ ଥରେ ଏହା ପଛର କାରଣ ସମ୍ପର୍କରେ ଜଣାଇଥିଲେ । ମନମୋହନ କହିଥିଲେ, “ଏହି ବ୍ଲୁ ଟର୍ବାନ(ପଗଡି) ହେଉଛି କ୍ୟାମ୍ବ୍ରିଜ ବିଶ୍ବବିଦ୍ୟାଳୟ ପ୍ରତି ମୋର ସମ୍ମାନ ।”2006ରେ ଯେତେବେଳେ ମନମୋହନ ସିଂ ଡକ୍ଟରେଟ୍ ଅଫ୍ ଲ’ ଉପାଧିରେ ସମ୍ମାନିତ ହୋଇଥିଲେ ସେହି ସମୟରେ ବ୍ଲୁ ପଗଡିର ରାଜ୍ ଖୋଲିଥିଲେ । ମନମୋହନ ସିଂ କହିଥିଲେ, “ଏହି ରଙ୍ଗ ମୋର ସବୁଠୁ ଅଧିକ ପ୍ରିୟ ।” ତେବେ ସବୁବେଳେ ନୀଳ ରଙ୍ଗର ପଗଡି ପରିଧାନ କରୁଥିବାରୁ କ୍ୟାମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ତାଙ୍କର ସହପାଠୀମାନେ ‘ବ୍ଲୁ ଟର୍ବାନ’ ବୋଲି ମନମୋହନଙ୍କୁ ସମ୍ବୋଧନ କରୁଥିଲେ । କଲେଜ ସମୟର ସେହି ‘ବ୍ଲୁ ଟର୍ବାନ’ ନାମକୁ ନେଇ ତାଙ୍କର ମଧୁର ସ୍ମୃତି ଜଡିତ ରହିଥିଲା । ସେଥିପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ବି ସେ ଏହି ନୀଳ ରଙ୍ଗର ପଗଡି ହିଁ ପରିଧାନ କରୁଥିଲେ ।
ତେବେ ଦେଶର ଆର୍ଥିକ ସଂସ୍କାର ଆଣିଥିଲେ ମନମୋହନ । ସେ ଥିଲେ ଅର୍ଥନୀତିର ଚାଣକ୍ୟ । ଭାରତର ଅର୍ଥନୀତି ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ସଚ୍ଚୋଟ ତଥା ସରଳ ଜୀବନଯାପନ କରୁଥିବା ର୍ନିବିବାଦୀୟ ବ୍ୟକ୍ତିତ୍ବ ଥିଲେ ମନମୋହନ । ତାଙ୍କର ବିୟୋଗରେ ଏବେ ସାରା ଦେଶ ସ୍ତବ୍ଧ । ଏନେଇ ଦେଶବ୍ୟାପୀ 7 ଦିନ ଧରି ରାଷ୍ଟ୍ରୀୟ ଶୋକ ପାଳନ ହେଉଛି ।