ହଠାତ ରାଜ୍ୟପାଳ ପଦରୁ କାହିଁକି ଇସ୍ତଫା ଦେଲେ ରଘୁବର ଦାସ। ଇସ୍ତଫା ପଛରେ କଣ ରହିଛି କାରଣ ? କୌଣସି ଚାପ ନା ରାଜନୌତିକ ସ୍ବାର୍ଥ ହାସଲ କରିବା ପାଇଁ ଇସ୍ତଫା ଦେଲେ ରଘୁବର ଦାସ। ରଘୁବରଙ୍କ ଇସ୍ତଫା କୁ ନେଇ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ହଇଚଇ। ଦିନକୁ ଦିନ ସରଗରମ ହେଉଛି ରାଜ୍ୟ ରାଜନୀତି। କାରଣ ହଠାତ ଯେଉଁଭଳି ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ବଦଳି ହୋଇଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପ୍ରଶ୍ନ ଉଠୁଛି ପୁଣି ବିଜେପିରେ ଯୋଗ ଦେବେ କି ଝାଡଖଣ୍ତ ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସ।
24 ଡିସେମ୍ବର 2024ରେ ରାଜ୍ୟପାଳ ପଦବୀରୁ ଇସ୍ତଫା ଦେଇଛନ୍ତି ରଘୁବର ଦାସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପାଖକୁ ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କ ଇସ୍ତଫା ପରେ ଡକ୍ଟର ହରିବାବୁ କମ୍ଭମପତି ନୂଆ ରାଜ୍ୟପାଳ ହୋଇଛନ୍ତି। ଇସ୍ତଫା ପରେ ଏବେ ସେ ବିଜେପିରେ ଯୋଗ ଦେବା ପାଇଁ ଚର୍ଚ୍ଚା ଜାରି ରହିଛି।
ତେବେ ରଘୁବର ଦାସ ବିଜେପିର ଜଣେ ବରିଷ୍ଟ ନେତା। ସେ 2024 ରୁ 2019 ପର୍ଯ୍ୟନ୍ତ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ଥିଲେ। ଏହାସହ ରଘୁବର ଦାସ ଜାମସେଦପୁରରୁ ପାଞ୍ଚଥର ବିଧାୟକ ମଧ୍ୟ ରହିଛନ୍ତି। ତେବେ
୨୦୨୩ରେ ଅକ୍ଟୋବର 18ରେ ସେ ଓଡିଶାର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ଏହାର ଠିକ୍ ୧୪ ମାସ ମଧ୍ୟରେ ସେ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ଚର୍ଚ୍ଚା ଝାଡଖଣ୍ଡ ନିର୍ବାଚନ ପରେ ଏବଂ ସଂଗଠନ ନିର୍ବାଚନ ପୂର୍ବରୁ ହେଉଛି। ଏହି କାରଣରୁ କେବଳ ଝାଡଖଣ୍ଡରେ ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ଶ୍ରମିକ ସଂଗଠନରୁ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିବା ରଘୁବର ଦାସଙ୍କୁ ସଂଗଠନର ନେତା ଭାବରେ ବିବେଚନା କରାଯାଏ। ୨୦୧୪ରେ ଭାଜପା ଝାଡଖଣ୍ଡରେ ଏକ ବଡ଼ ବିଜୟ ହାସଲ କରିଥିଲା। ସାଂଗଠନିକ ସ୍ତରରେ ଏହି ବିଜୟରେ ଦାସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ପରେ ରଘୁବରଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା। କିନ୍ତୁ ୨୦୧୯ରେ ଏହି ବାଜି ପଲଟି ଯାଇଥିଲା।
ବର୍ତ୍ତମାନ ରଘୁବରଙ୍କୁ ନେଇ ସମ୍ପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇନାହିଁ। ରଘୁବର ଦାସ ଏ ଯାଏଁ ଭାଜପାରେ ଯୋଗଦେବା ବିଷୟରେ କିଛି କହିନାହାଁନ୍ତି। ତେବେ ବିଜେପିରେ ଯୋଗ ଦେଇ ସେ ପୁନଃ ରାଜନୀତି କରିପାରିବେ ବୋଲି କୁହାଯାଉଛି। ରାଜ୍ୟପାଳ ପଦ ଛାଡିବା ପରେ ବହୁ ନେତାମାନେ ଭାଜପାରେ ସଂଗଠନ ରାଜନୀତି କରିଆସୁଛନ୍ତି।
୨୦୨୪ରେ ଝାଡଖଣ୍ଡରେ ପରାଜୟ ପରେ ଭାଜପା ସଂଗଠନରେ ଏକ ବଡ଼ ଶୂନ୍ୟସ୍ଥାନ ରହିଛି। ଦଳକୁ ରାଜ୍ୟ ସଭାପତିଙ୍କ ଠାରୁ ଝାଡଖଣ୍ଡର ବିରୋଧୀ ଦଳର ନେତା ଚୟନ କରିବାକୁ ପଡିବ। ରାଜ୍ୟ ଦାୟିତ୍ୱରେ ଥିବା ଲକ୍ଷ୍ମୀକାନ୍ତ ବାଜପେୟୀ କହିଛନ୍ତି ଯେ ଏହି ପଦବୀରେ ଚୟନ ଜାନୁଆରୀ ତୃତୀୟ ସପ୍ତାହ ସୁଦ୍ଧା କରାଯିବ। ତେବେ ରଘୁବର ଝାଡ଼ଖଣ୍ଡ ଭାଜପାର ରାଜ୍ୟ ସଭାପତି ରହିଛନ୍ତି। ଏଭଳି ପରିସ୍ଥିତିରେ ସେ ପୁଣି ସାଂଗଠନିକ ଦାୟିତ୍ୱରେ ଫେରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଦାସଙ୍କ ବୋହୂ ପୂର୍ଣ୍ଣିମା ବିଧାନସଭା ଜିତି ବିଧାୟକ ହୋଇଛନ୍ତି। ଏଭଳି ପରିସ୍ଥିତିରେ, ରଘୁବରଙ୍କ ଝାଡଖଣ୍ଡକୁ ଫେରିବା, ଭାଜପା ପରିବାରବାଦ ପ୍ରସଙ୍ଗରେ ଛନ୍ଦି ହୋଇପାରେ।
ରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ରଘୁବର ଦାସ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଏହି ସମୟରେ ତାଙ୍କର ପ୍ରଥମ ବୟାନ ସାମ୍ନାକୁ ଆସିଛି। ସେ ପୁରୀରୁ କହିଛନ୍ତି, ମହାପ୍ରଭୁଙ୍କ କୃପାରୁ ମୋତେ ଓଡ଼ିଶାର ସେବା କରିବାର ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛି। ଏହା ପରେ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ଭାଜପାର ଜଣେ ଶୃଙ୍ଖଳିତ କର୍ମୀ ଭାବେ ମୁଁ ତାକୁ ଗ୍ରହଣ କରିବି।