ଅସଲି ଚାଷୀ ଖୋଜିବେ ମୋହନ ସରକାର। ନୂଆ ବର୍ଷରୁ ନୂଆ ସର୍ଭେ କରିବେ ମୋହନ ମାଝି। ତେବେ ସରକାରୀ ଯୋଜନାରୁ ବାଦ ପଡିବେ ଅଣଚାଷୀ। ଏହାର ପଞ୍ଜିକରଣ ଜାନୁଆରୀରୁ ଆରମ୍ଭ। ସରକାର ଚାଷୀଙ୍କୁ ଦେବେ ୧୪ଟିକିଆ ନମ୍ବର ବିଶିଷ୍ଟ ସ୍ୱତନ୍ତ୍ର ଆଇଡି ନମ୍ବର। କେବଳ ଏତିକି ନୁହେଁ ଡିଜିଟାଲ କୃଷକ କାର୍ଡ ବି ଯୋଗାଇ ଦେବେ ସରକାର। ଏଥିପାଇଁ ଚାଷୀଙ୍କ ଡାଟାବେସ୍ ପ୍ରସ୍ତୁତ କରିବା ଲାଗି ସବୁ ଜିଲ୍ଲାପାଳ ମାନଙ୍କୁ ଆକ୍ସନ ପ୍ଲାନ ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିୟୋର ବା ଏସଓପିକୁ ପଠାଇଛି କୃଷି ବିଭାଗ। ଜାନୁଆରୀ ୧ରୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ସର୍ଭେ ଚାଲିବ। ଏଥିପାଇଁ ସବୁ ପଞ୍ଚାୟତରେ ଖୋଲିବ ସ୍ୱତନ୍ତ୍ର ଶିବିର। ଯେଉଁ ଶିବିରରେ ୨ଜଣ ଲେଖାଏଁ ଗ୍ରାମ୍ୟ କୃଷି ସେବକ, ଜଣେ ରାଜସ୍ୱ ନିରୀକ୍ଷକଙ୍କୁ ନିଜୁକ୍ତି ଦିଆଯିବ। ଚାଷୀଙ୍କୁ ଶିବିର ପର୍ଯ୍ୟନ୍ତ ଆଣିବା ପାଇଁ ସ୍ଥାନୀୟ କୃଷକ ସାଥୀଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି। ପ୍ରତ୍ୟେକ ଶିବିରର ତଦାରଖ ଦାୟିତ୍ୱରେ କୃଷି ଓଭରସିୟର, ବ୍ଲକ୍ କୃଷି ଅଧିକାରୀ, ଅତିରିକ୍ତ ତହସିଲଦାର କିମ୍ବା ତହସିଲଦାରଙ୍କ ମଧ୍ୟରୁ ଜଣେ ରହିବେ। ଚାଷୀମାନେ ନିଜର ଆଧାର କାର୍ଡ, ଆଧାର ଲିଙ୍କ ଥିବା ମୋବାଇଲ ଫୋନ୍, ଜମି ପଟ୍ଟା ଅବା ଖର୍ଦ୍ଦି ଦଲିଲ ଦାଖଲ କରି ପଞ୍ଜିକରଣ କରିବେ।