ଦୁଇ ଦୁଇଥର ଲଘୁଚାପ ଜନିତ ଲଗାଣ ବର୍ଷାରେ ଏବେ ଏକର ଏକର ଧାନ ବିଲରେ ପାଣି ଜମି ରହିଛି। ଅମଳ ହେବାକୁ ଥିବା ଧାନ ଓ ବିଲରେ ପଡିରହିଥିବା କଟା ଧାନ କୁ ଚାଷୀ କେମିତି ସୁରକ୍ଷା ଦେବ ସେନେଇ ଚିନ୍ତାରେ। କେଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକର ପାଖାପାଖି ଦୁଇ ହଜାର ଏକରରୁ ଅଧିକ ଧାନ ବିଲ ରେ ପାଚିଲା ଧାନ ବର୍ଷାରେ ଭିଜି ଗଜା ହେବାକୁ ଯାଇଥିବା ବେଳେ କଟା ହୋଇ ବିଲରେ ପଡିରହିଥିବା ଧାନ ବର୍ଷା ପାଣିରେ ବୁଡି ରହିଥିବା ଦେଖିବାକୁ ମିଳୁଛି। ପୂର୍ବରୁ ବାତ୍ୟା ଦାନା ଚାଷୀ କୂଳର ମେରୁଦଣ୍ଡ ଭାଙ୍ଗି ଦେଇଥିବା ବେଳେ ଏବେ ଚାଷୀ ଅଣ୍ଟା ସଳଖି ଛିଡା ହେବା ସମୟରେ ଅଦିନିଆ ବର୍ଷା ବୋଝ ଉପରେ କରଡ଼ା ମାଡ଼ ସଦୂର୍ଷ ହୋଇଛି। ଚାଷୀ କିଛି ଧାନ କୁ ବିଲରେ ଏକତ୍ରିତ କରିଥିବା ବେଳେ ଏବେବି ଏକର ଏକର ପାଚିଲା ଧାନ ବର୍ଷା ପାଣିରେ ବୁଡି ରହିଛି। ଋଣ ଓ କରଜ କରି ଚାଷ କରିଥିବା ଚାଷୀ ଏବେ ଋଣ ଶୁଝିବା ଓ ପରିବାର ପାଇଁ ବର୍ଷକର ଦାନା ଯୋଗାଡ଼ କରିବା ଚିନ୍ତାରେ ରହିଛି।ରାଜକନିକା ର ବାଘବୁଦା, କଣ୍ଟପଡା, ଓଳାଭର, ପେଗରପଡା, ବରୁଣା, ବଳରାମପୁର, ସିହୋପଡା ଆଦି ଅଞ୍ଚଳର ଚାଷ ଜମିରେ ଅଧିକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି |