ନୂଆପଡା ଜିଲ୍ଲା ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜନତା ଦଳ ତରଫରୁ ଆଜି ଖଡ଼ିଆଳ ସ୍ଥିତ କଲ୍ୟାଣ ମଣ୍ଡପ ଦୁଇ ଠାରେ ବିଜେଡ଼ି ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଖଡ଼ିଆଳ ନଗର ବିଜେଡି ସଭାପତି ଦୀପକ ଖମାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଧାୟକ ଅଧିରାଜ ପାଣିଗ୍ରାହୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ଵ କାଳରେ ରାଜ୍ୟର ସାମଗ୍ରିକ ବିକାଶ ହୋଇଥିଲା ଓ ବର୍ତ୍ତମାନ ତାହା ଧିମେଇ ଯାଇଛି ବୋଲି କହିଥିଲେ। ଅନ୍ୟତମ ଅତିଥି ବରିଷ୍ଠ ବିଜେଡି ନେତା ତଥା ଗତ ନିର୍ବାଚନର ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ୍ ବିଜେଡି କୁ ଆହୁରି ସଶକ୍ତ କରାଯିବ ଓ ବର୍ତ୍ତମାନ ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଅଣାଯିବ ବୋଲି ମତବ୍ୟକ୍ତ କରିଥିଲେ। ବିଜୁ ଜନତା ଦଳର ବରିଷ୍ଠ ନେତା ଓ ନେତ୍ରୀ ଏଥିରେ ଯୋଗଦେଇ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ନୀତି ଲୋକଙ୍କ କଲ୍ୟାଣରେ ଆସୁନାହିଁ ବୋଲି ଅଭିଯୋଗ କରିବା ସହ ସମସ୍ତେ ଏକ ମନପ୍ରାଣ ହୋଇ ଦଳକୁ ଆହୁରି ମଜଭୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।