ମହିଳା,ଶିଶୁ ଓ ଚାଷୀଙ୍କୁ ଗୁରୁତ୍ବ ଦେବାର ବାହାସ୍ପଷ୍ଟ ମାରୁଥିବା ମୋହନ ସରକାର ଫେଲ ମାରିଛନ୍ତି । କୌଣସି ଗୋଟିଏ ବର୍ଗକୁ ସନ୍ତୁଷ୍ଟ କରିବାରେ ସଫଳ ହୋଇନି ଭାଜାପା । କେବଳ ବାହା ବାହା ନେବା ପାଇଁ ବଡ ବଡ ଘୋଷଣା କରୁଥିବା ମୋହନ କିନ୍ତୁ ବାସ୍ତବିକ ଚିତ୍ର ଠାରୁ ଢେର ଦୂରରେ । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜନତା । ଗୋଟିଏ ପଟେ ଓଡିଶାରେ ଚଳିତବର୍ଷ ବମ୍ପର ଧାନ ଅମଳ ହେଉଥିବା ବେଳେ ଅନ୍ୟପଟେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି । ଧାନ ରଖିବା ପାଇଁ ଜାଗା ନାହିଁ, ମଣ୍ଡିରୁ ଧାନ ଉଠୁ ନାହିଁ, ଧାନ କିଣା ପାଇଁ କେନ୍ଦ୍ର ଉପରେ ୧୮ ହଜାର କୋଟି ଟଙ୍କା ବକେୟା ପଡିଛି, କଟ୍ନୀଛଟନୀ ବନ୍ଦ ହେବ କି ନାହିଁ ସନ୍ଦେହ ଅଛି । ପୂର୍ବାପେକ୍ଷା ଏଥର ଅଧିକ ୯ ଲକ୍ଷ ଟନ୍ ଧାନ କ୍ରୟ ପାଇଁ ସରକାର ଘୋଷଣା କରିଛନ୍ତି । ଏପଟେ ବର୍ଦ୍ଧିତ ଏମ୍ଏସ୍ପି ପାଇଁ ଧାନ ବିକ୍ରୟ ଉପରେ ଲାଗିଛି କଡ଼ା କଟକଣା। ସେଥିପାଇଁ ନିଜର ଉତ୍ପାଦିତ ବଳକା ଧାନ ବିକିବାକୁ ଚିନ୍ତାରେ ଅଛନ୍ତି ଚାଷୀ। ରାଜ୍ୟ ସରକାର ସୀମା ସିଲ୍ କରିବା ସହିତ ଧାନଗାଡ଼ି ଉପରେ କଡ଼ା ନଜର ରଖିଥିବାରୁ ବେପାରୀମାନେ ଧାନ ଖରିଦ କରୁ ନ ଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ସରକାର ଧାର୍ଯ୍ୟ ପରିମାଣଠାରୁ ଅଧିକ ଧାନ କିଣିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏପରିସ୍ଥଳେ ବଳକା ଧାନକୁ କ’ଣ କରିବେ, ଚାଷୀଙ୍କୁ ଏବେ ସେହି ଚିନ୍ତା ଘାରିଛି। ସୂଚନା ଅନୁସାରେ, ଚଳିତ ବର୍ଷ ରାଜ୍ୟ ସରକାର ପ୍ରତିଶ୍ରୁତି ମୁତାବକ ଧାନ କ୍ୱିଣ୍ଟାଲ ଉପରେ ଅଧିକ ୮୦୦ ଟଙ୍କାର ଇନ୍ପୁଟ୍ ସହାୟତା ପ୍ରଦାନ କରୁଥିବାରୁ ଚାଷୀମାନେ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ। ରାଜ୍ୟ ସରକାର ଜଳସେଚିତ ଜମିରୁ ହେକ୍ଟର ପିଛା ୧୯ କୁଇଣ୍ଟାଲ ଧାନ କିଣିବାପାଇଁ ସ୍ଥିର କରିଥିବା ବେଳେ ଅଣଜଳସେଚିତ ଜମିରୁ ଏହି ପରିମାଣ ୧୩ କୁଇଣ୍ଟାଲ ଧାର୍ଯ୍ୟ କରିଛନ୍ତି। ପଶ୍ଚିମ ଓଡିଶାରେ ଧାନ କ୍ରୟ ଆରମ୍ଭ ହୋଇଥିବା ବେଳେ ଅନ୍ୟ ଜିଲ୍ଲାରେ ଧାନ ମଣ୍ଡିକୁ ଯିବା ଆରମ୍ଭ ହେଲାଣି। ଏଥିପାଇଁ ଚାଷୀମାନେ ପଞ୍ଜୀକରଣ ବି ଶେଷ କଲେଣି। ହେଲେ ରାଜ୍ୟର ଅନେକ ଚାଷୀ ଉନ୍ନତ ପ୍ରଣାଳୀରେ ଚାଷ କରି ଏହି ସୀମାଠାରୁ ଢେର୍ ଅଧିକ ଧାନ ଫଳାଉଛନ୍ତି। ସରକାରୀ ଧାର୍ଯ୍ୟ ସୀମା ବାହାରେ ଥିବା ବଳକା ଧାନକୁ ସେମାନେ ବ୍ୟବସାୟୀଙ୍କୁ ବିକ୍ରି କରିଥା’ନ୍ତି। ଚାଷୀମାନେ ମଧ୍ୟ ମଣ୍ଡିକୁ ଧାନ ପରିବହନ ଏବଂ ଅନ୍ୟକାରଣ ପାଇଁ ଅଧିକ ଖର୍ଚ୍ଚାନ୍ତ ହେବା ଅପେକ୍ଷା ୨୦୦ରୁ ୩୦୦ ଟଙ୍କା କମ୍ରେ ବେପାରୀଙ୍କୁ ଧାନ ବିକ୍ରି କରିଥାନ୍ତି। କମ୍ ଦାମ୍ ହେଲେ ବି ବ୍ୟବସାୟୀଙ୍କୁ ବିକ୍ରି କରି କରଜ ଶୁଝିଥାଆନ୍ତି। ମାତ୍ର ଏବେ ଧାନର ମାନ ପରୀକ୍ଷଣକୁ ନେଇ ଚାଷୀ ଅସନ୍ତୋଷ ବଢ଼ି ଚାଲିଥିବାବେଳେ ମିଲରମାନେ ଧାନ ଉଠାଉ ନ ଥିବାରୁ ବିଭିନ୍ନ ସ୍ଥାନରେ ହଜାର ହଜାର ବସ୍ତା ଧାନ ବସ୍ତା ପାହାଡ଼ ଭଳି ଗଦା ହୋଇଛି। ଏଭଳି ସ୍ଥିତିରେ ଚାଷୀ ଚାହିଁଲେ ମଧ୍ୟ ତାହାର ବଳକା ଧାନକୁ ବ୍ୟବସାୟୀଙ୍କୁ ବିକ୍ରି କରିପାରୁ ନାହିଁ। ସରକାର ଇନ୍ପୁଟ୍ ସବ୍ସିଡି ମାଧ୍ୟମରେ ଅଧିକ ଅର୍ଥ ଦେଲେ ସୁଦ୍ଧା ବଳକା ଧାନ ବିକ୍ରୟ ବାବଦରେ କିଛି ସ୍ପଷ୍ଟ କରିନାହାନ୍ତି। ଚାଷୀମାନେ କହୁଛନ୍ତି ଯେ ଆମ ପାଖରୁ ଧାନ କିଣିବା ପାଇଁ ବ୍ୟବସାୟୀମାନେ ଆଗ୍ରହ ପ୍ରକାଶ କରିଛନ୍ତି। ହେଲେ ସରକାରଙ୍କ କଟକଣା ଭୟରେ ସେମାନେ ଧାନ ଖରିଦ କରୁନାହାନ୍ତି। ତେଣୁ ବଳକାଧାନକୁ ବାହାରେ ବିକ୍ରି ପାଇଁ ସରକାର ଆମକୁ ସୁଯୋଗ ଦେବା ଆବଶ୍ୟକ। ଯଦି ଏପରି ନ ହେଉଛି, ତା’ହେଲେ ସରକାର ଆମ ବଳକା ଧାନକୁ କିଣନ୍ତୁ ବୋଲି ଚାଷୀମାନେ ଦାବି କରିଛନ୍ତି। ଏକ ପକ୍ଷରେ ବିଭିନ୍ନ କାରଣ ପାଇଁ ଚାଷୀ ଧାନ ବିକ୍ରି ପଞ୍ଜିକରଣ କରିପାରୁ ନାହାନ୍ତି। ଅନ୍ୟପଟରେ ପଟ୍ଟା ନ ଥିବା ଜମି, ଗୋଚର ଏବଂ ଅନାବାଦୀ ଜମିରୁ ଅମଳ ଧାନ କିପରି ସରକାର କିଣିବେ ତାହା ସ୍ପଷ୍ଟ କରିବା ଆବଶ୍ୟକ। ପଶ୍ଚିମ ଓଡିଶାର ଅଧିକାଂଶ ଅଞ୍ଚଳରେ ବହୁତ ଅଧିକ ଧାନ ଅମଳ ହୋଇଥାଏ। ସରକାର ସେମାନଙ୍କ ଧାନ କିଣିବେ ତ? ବଡ଼ କଥା ହେଲା, ଏଫ୍ସିଆଇ ସରକାରଙ୍କ ସହ କରିଥିବା ଚୁକ୍ତି ମାନୁ ନାହିଁ। ତେଣୁ ଓଡିଶା ଯୋଗାଣ ନିଗମ ବାରମ୍ବାର କ୍ଷତି ସହୁଛି। ଧାନ କିଣା ବାବଦରେ କେନ୍ଦ୍ର ସରକାରଙ୍କ ଉପରେ ନିଗମର ପ୍ରାୟ ୨୮ ହଜାର କୋଟି ଟଙ୍କା ବକେୟା ଅଛି। କେନ୍ଦ୍ର ସରକାରଙ୍କ ପାଇଁ ଧାନ କିଣିବାକୁ ଯାଇ ନିଗମ ଋଣ ବୋଝ ମୁଣ୍ଡାଇଛି। ଏଥିସହ ଗ୍ୟାରେଣ୍ଟି ବାବଦକୁ ନିଗମ ୧୭ ହଜାର କୋଟି ଟଙ୍କା ଦେବ। ଚାଷୀଙ୍କୁ ସବ୍ସିଡି ବାବଦରେ ୯ ହଜାର କୋଟି ଟଙ୍କା ବ୍ୟୟ ଭାର ପଡିବ। ମୋଟାମୋଟି ଦେଖିବାକୁ ଗଲେ, ସରକାରଙ୍କ ଉପରେ ୬୫ ହଜାର କୋଟି ଟଙ୍କାର ବୋଝ ରହିବ ବୋଲି କୁହାଯାଉଛି।