ଦୁଇଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିବ ବର୍ଷା । ଦକ୍ଷିଣ ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ ଆଜିଠୁ ବର୍ଷା ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ଆନ୍ଧ୍ର ଓ ତାମିଲନାଡୁ ମୁହାଁଉଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଜି ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖାପାଖି ପହଞ୍ଚିବ । ଏହାର ବାହ୍ୟ ବଳୟ ସହ ଜଡ଼ିତ ମେଘ ସମୂହ ପ୍ରଭାବରେ ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ପାର୍ଶ୍ବବର୍ତ୍ତୀ ଉତ୍ତର ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବାଦଲ ଆଚ୍ଛାଦନରେ ବୃଦ୍ଧି ଘଟିଛି । ତେବେ ଏହାର ସିଧାସଳଖ ପ୍ରଭାବ ଓଡିଶା ଉପରେ ନଥିଲେ ବି ଆଜି ଓ କାଲି ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
ଆଜି ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା, କୋରାପୁଟ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ଖୋର୍ଦ୍ଧା, ପୁରୀ, ବାଲେଶ୍ବର, ବୌଦ୍ଧ, ଯାଜପୁର, କଟକ, ନୟାଗଡ, କନ୍ଧମାଳ, କଳାହାଣ୍ଡି, ମାଲକାନଗିରିରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ତେବେ କାଲି କମିବ ବର୍ଷାର ପରିମାଣ । ବର୍ତ୍ତମାନ ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଆଗାମୀ ୨ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ସେଲସିୟସ କମିବ । ଅନ୍ୟପଟେ ଶୀତ ସାଙ୍ଗକୁ ସକାଳେ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି ।
ସେହିପରି ଆସନ୍ତା ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ତେବେ ଏହାର ପ୍ରଭାବ ଓଡିଶା ଉପରେ କେତେ ରହିବ ତାର ସ୍ପଷ୍ଟ ଚିତ୍ର ଆସିନାହିଁ ।