ଦୁଇ ବର୍ଷ ହେଲା ରାଜ୍ୟରେ ବିଜୁଳି ଦର ବଢି ନାହିଁ । ହେଲେ ଏଥର ନୂଆ ସରକାରର ପ୍ରଥମ ବର୍ଷରେ ବିଜୁଳି ଦର ବଢିବା ନେଇ ଅନୁମାନ କରାଯାଉଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜନତା । 3ଶହ ୟୁନିଟ ବିଜୁଳି ଛାଡ ନେଇ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ସେଥିରେ ଫେଲ୍ ମାରିଛନ୍ତି ବୋଲି ଚର୍ଚ୍ଚା ହେଉଛି । ବାସ୍ତବରେ ଓଏଚପିସି, ଓପିଜିସି ଭଳି ବିଦ୍ୟୁତ ଉତ୍ପାଦନ କମ୍ପାନୀରୁ ବିଜୁଳି କିଣିବା ପରେ ଗ୍ରୀଡକୋ ବିଦ୍ୟୁତ ପରିବହନ କମ୍ପାନୀ ଓପିଟିସିଏଲ୍ ଓ ଏସଏଲଡିସି ଜରିଆରେ ଟାଟା ଭଳି ବିଦ୍ୟୁତ ବିତରଣ କମ୍ପାନୀ ପାଖରେ ପହଞ୍ଚାଇଥାଏ । ଗ୍ରୀଡକୋର ସୁପାରିଶ ପରେ ଉତ୍ପାଦନ, ପରିବହନ ଓ ବିତରଣ କରୁଥିବା କମ୍ପାନୀ ମଧ୍ୟ ସେମାନଙ୍କ ପକ୍ଷ ଓଇଆରସି ପାଖରେ ରଖିବେ । ଗ୍ରୀଡକୋର ଯୁକ୍ତିକୁ ସରକାର ଓ ଓଇଆରସି ଗ୍ରହଣ କଲେ ବିଜୁଳି ଦର ୟୁନିଟ ପିଛା ୫୦ ପଇସାରୁ ଅଧିକ ବଢିବା ନିଶ୍ଚିତ ବୋଲି କୁହାଯାଉଛି । ବର୍ତ୍ତମାନ ରାଜ୍ୟରେ ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ୧ ରୁ ୫୦ ୟୁନିଟ ପାଇଁ ୨ ଟଙ୍କା ୯୦ ପଇସା, ୫୧ ରୁ ୨୦୦ ୟୁନିଟ ପାଇଁ ୪ ଟଙ୍କା ୭୦ ପଇସା, ୨୦୦ରୁ ୪୦୦ ୟୁନିଟ ପାଇଁ ୫ ଟଙ୍କା ୭୦ ପଇସା ଓ ୪୦୦ରୁ ଅଧିକ ୟୁନିଟ ପାଇଁ ୬ ଟଙ୍କା ୧୦ ପଇସା ରହିଛି । ମାତ୍ର ଆସନ୍ତା ଏପ୍ରିଲ ମାସରୁ ବଢିପାରେ ବିଜୁଳି ଦର । ଆସନ୍ତା ଆର୍ଥିକବର୍ଷରୁ ବିଜୁଳି ଦର ବଢାଇବାକୁ ଗ୍ରୀଡକୋ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗ, ଓଇଆରସି ପାଖରେ ସୁପାରିଶ କରିଛି । ଏହାକୁ ଓଇଆରସି ଓ ରାଜ୍ୟ ସରକାର ଗ୍ରହଣ କଲେ ବିଜୁଳି ୟୁନିଟ ପିଛା ୫୪ ପଇସା ବଢିପାରେ । ଗ୍ରୀଡ଼କୋର ବିଜୁଳି ଦର ସୁପାରିଶକୁ ବେଆଇନ, ଅଯୌକ୍ତିକ ଓ ଜନ ବିରୋଧୀ କହି ଏହାକୁ ଦୃଢ଼ ବିରୋଧ କରାଯିବ ବୋଲି କହିଛି ବିଦ୍ୟୁତ ଉପଭୋକ୍ତା ମହାସଂଘ । ଏହାକୁ ନେଇ ବିଜେଡି କହିଛି, ଦରବୃଦ୍ଧିରେ ସାଧାରଣ ଲୋକେ ଛଟପଟ ହେଉଥିବା ବେଳେ ବିଜୁଳି ଦର ବୃଦ୍ଧି ଖାଉଟିଙ୍କ ଉପରେ ବଡ଼ ବୋଝ ସଦୃଶ ହେବ । ଆସନ୍ତାବର୍ଷରୁ ବିଜୁଳି ଦର ବୃଦ୍ଧି ନେଇ ଓଇଆରସି ପାଖରେ ଚାଲିଛି ଶୁଣାଣି ।