ନିର୍ବାଚନ ପୂର୍ବରୁ ଆମ୍ ଆଦମୀ ପାର୍ଟିକୁ ଝଟକା। ଆଉ କେଇଁଟା ଦିନ ପରେ ଦିଲ୍ଲୀ ବିଧାନସଭା ନିର୍ବାଚନ। ଆଉ ନିର୍ବାଚନ ପୂର୍ବରୁ ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଢୁଛି ଅଡୁଆ। କାରଣ କେଜ୍ରିୱାଲ ଜାଇପାରନ୍ତି ଜେଲ। ମଦ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମିଳିଛି ଗ୍ରୀନ ସିଗନାଲ। ଆଉ ଏହି ମଞ୍ଜୁରୀ ଦେଇଛନ୍ତି ଲେଫ୍ଟନାଣ୍ତ ଗଭର୍ଣ୍ଣର ଭିକେ ସାକ୍ସେନା।
ଚଳିତ ମାସ ଆରମ୍ଭରେ ଇଡି କେଜ୍ରିଓ୍ୱାଲଙ୍କ ବିରୋଧରେ ମକଦ୍ଦମା ଚଳାଇବା ପାଇଁ ଏଲ୍ଜିଙ୍କୁ ଅନୁମତି ମାଗିଥିଲା। ଏବେ ଏଲ୍ଜି ଭିକେ ସାକ୍ସେନା ଏଥିପାଇଁ ଇଡିକୁ ମଞ୍ଜୁରୀ ଦେଇଛନ୍ତି। ଆସନ୍ତା ବର୍ଷ ଫେବ୍ରୁଆରୀରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ କେଜ୍ରିୱାଲଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ଇଡି ଦାବି କରିଛି ଯେ ଏକ୍ସାଇଜ୍ ନୀତି ପ୍ରଣୟନ ଏବଂ କାର୍ଯ୍ୟାନ୍ୱୟନରେ ବ୍ୟାପକ ଦୁର୍ନୀତି ହୋଇଛି। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଜେ ତା’ର ଶେଷ ଚାର୍ଜଶିଟରେ ଅରବିନ୍ଦ କେଜ୍ରିୱାଲ ଏବଂ ମନୀଷ ସିସୋଦିଆଙ୍କୁ ମାଷ୍ଟରମାଇଣ୍ଡ ଦର୍ଶାଇ ଥିଲା। ଏଜେନ୍ସି କହିଛି ଯେ କେଜ୍ରିୱାଲ ଏବଂ ସିସୋଦିଆ ଦକ୍ଷିଣ ଲବିକୁ ସାହାଯ୍ୟ କରିବା ପାଇଁ ଏକ୍ସାଇଜ୍ ପଲିସି ୨୦୨୧-୨୨ରେ ପରିବର୍ତ୍ତନ କରିଛନ୍ତି ଯେଉଁଥିରେ ୧୦୦କୋଟି ଟଙ୍କା ଲାଞ୍ଚ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ଆମ ଆଦମୀ ପାର୍ଟି ପାଇଁ ଆହୁରୀ ବଢିଲା ଅଡୁଆ। ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ପ୍ରଶ୍ନ ଉଠୁଛି ଯେ ଆପ ଏବେ କରିବ କଣ। ନିର୍ବାଚନ ଆଗରୁ ପୁଣି ଅବକାରୀ ଦୁର୍ନୀତିରେ ଛନ୍ଦି ହେବେ କି କେଜ୍ରିୱାଲ। ନିର୍ବାଚନ ପୂର୍ବରୁ ଦିଲ୍ଲୀରେ ହୋଇପାରେ ବଡ଼ ଧରଣର ହଲଚଲ୍ । ଅବକାରୀ ଦୁର୍ନୀତିରେ ଆହୁରି ଛନ୍ଦି ହୋଇପାରନ୍ତି ଅରବିନ୍ଦ କେଜ୍ରିୱାଲ । ଯଦି ଇଡି ପୁଣି ଥରେ କେଜ୍ରିୱାଲଙ୍କ ବିରୋଧରେ ମାମଲା ଚାଲୁ କରେ ତେବେ ଆପ୍ ପାଇଁ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ। କାରଣ ମାମଲା ଚାଲୁ ରହିଲେ ଦଳ ପାଇଁ ପ୍ରଚାର କରିବାକୁ ଆଉ କେଜ୍ରିୱାଲଙ୍କୁ ସମୟ ମିଳିବ ନାହିଁ । ଅବକାରୀ ଦୁର୍ନୀତିରେ ଗତ ମାର୍ଚ୍ଚ ୨୧ ତାରିଖରେ ଇଡି ଦ୍ବାରା ଗିରଫ ହୋଇଥିଲେ କେଜ୍ରିୱାଲ । ଗତ ସେପ୍ଟେମ୍ବରରେ ତାଙ୍କୁ ସୁପ୍ରିମକୋର୍ଟରୁ ଜାମିନ ମିଳିଛି । ତେବେ ଇଡି ତାଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି କି ନାହିଁ ତାହା ଏଯାଏଁ ଜଣାପଡ଼ିନି । କିନ୍ତୁ ମାମଲା ଚାଲୁ ପାଇଁ ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ଇଡିକୁ ଅନୁମତି ଦେଇଥିବା ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।