ଦିଲ୍ଲୀ ବାଜି ପଲଟାଇବାକୁ ସକ୍ଷମ ହେଉନି ବିଜେପି । କେଜ୍ରିଓ୍ବାଲଙ୍କ ଚକ୍ରବ୍ୟୁହ ଭେଦିବାକୁ ମୋଦୀଙ୍କ ପାଖରେ ନାହିଁ ମ୍ୟାଜିକ କାର୍ଡ । କାହିଁକି ବାରମ୍ବାର ଦିଲ୍ଲୀରେ ଫେଲ୍ ମାରୁଛି ବିଜେପି । ତାହା ଏବେ ପୁଣି ଚର୍ଚ୍ଚାକୁ ଆସିଛି । 2014ରୁ କେନ୍ଦ୍ରରେ କ୍ଷମତାରେ ରହିଛି ବିଜେପି । ଦେଶର ବିଭିନ୍ନ ରାଜ୍ୟରେ ବିଜେପି କ୍ଷମତା କବଜା କରିଛି। ହେଲେ ଦିଲ୍ଲୀ ଦୁର୍ଗ ଭେଦିବାରେ ଅସଫଳ ରହିଛି ଦଳ । ଦିଲ୍ଲୀ ଦଖଲ କରିବାକୁ ଗୋଟେ ପରେ ଗୋଟେ ବିଭିନ୍ନ ଫର୍ମୁଲା ଲଗାଇଛି ବିଜେପି। ହେଲେ ବିଜେପିଠୁ ଦିଲ୍ଲୀ ଦୂରରେ ହିଁ ରହିଛି। 1998ରୁ ଏପର୍ଯ୍ୟନ୍ତ ଦିଲ୍ଲୀରେ ଫୁଟିପାରିନି ପଦ୍ମ। 2013, 2015 ଓ 2020 ଦିଲ୍ଲୀ ନିର୍ବାଚନରେ ପରାଜୟର ସାମନା କରିଛି ଭାଜପା । ଦଳ ଭିତରର ଚେହେରାଙ୍କୁ ସାମନାକୁ ଆଣିବା ହେଉ, ବାହାର ନେତାଙ୍କୁ ସିଏମ୍ ଚେହେରା କରିବା ହେଉ କି ବିନା ସିଏମ୍ ଚେହେରାରେ ନିର୍ବାଚନ ଲଢିବା, ଦିଲ୍ଲୀରେ ସବୁ ଫର୍ମୁଲା ଲଗାଇ ସାରିଛି ବିଜେପି । ହେଲେ ଫଳ ବିଜେପି ସପକ୍ଷରେ ଯାଇନି । ଆସନ୍ତାବର୍ଷ ପୁଣି ଦିଲ୍ଲୀରେ ନିର୍ବାଚନ ହେବାକୁ ଯାଉଛି । ଏଥର ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିବାକୁ ସଜବାଜ ହେଉଛି ବିଜେପି । 2020ରେ ବି ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ନିର୍ବାଚନ ଲଢିଥିଲା ବିଜେପି । ହେଲେ ଆପ୍ ବାଜି ମାରିଥିବା ବେଳେ ହାରିଥିଲା ବିଜେପି । ଏଥର ବି ସମାନ ଫର୍ମୁଲାରେ ଲଢିବାକୁ ଯାଉଛି । ଆପ ମୁଖ୍ୟ କେଜ୍ରିଓ୍ବାଲଙ୍କୁ ଚ୍ୟାଲେଞ୍ଜ ଦେବା ଭଳି ଚେହେରା ଦିଲ୍ଲୀ ବିଜେପିରେ ନାହାନ୍ତି। ତେଣୁ ଅନ୍ଯ କୌଣସି ଚେହେରାକୁ ପ୍ରୋଜେକ୍ଟ କରିବା ବଦଳରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଗରେ ରଖି ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି ବିଜେପି । ଅନ୍ୟ ରାଜ୍ୟ ନେତାଙ୍କୁ ଆଣି ଦିଲ୍ଲୀରେ ସିଏମ୍ ଚେହେରା ଭାବେ ପ୍ରୋଜେକ୍ଟ କରିବା ନେଇ ବି ଦଳ ଭିତରେ ମନ୍ଥନ ହୋଇଛି। ତେବେ ଦିଲ୍ଲୀ ବିଜେପି ନେତା ଓ କର୍ମୀଙ୍କ ସହ ସେହି ନେତାଙ୍କ ତାଳମେଳ ଠିକ୍ ରହିବ କି ନାହିଁ ସେନେଇ ଦ୍ବନ୍ଦ୍ବ ରହିଛି । ତେବେ ଆସନ୍ତା ନିର୍ବାଚନରେ 2020 ଫର୍ମୁଲା ଦୋହରାଇବାକୁ ଯାଉଛି ବିଜେପି। ତେବେ ଏଥର ପୂର୍ବ ଭୁଲ ସୁଧାରିବାକୁ ଉଦ୍ୟମ କରିବ ଦଳ। ବିଜେପିକୁ ଲାଗୁଛି, ଦୁର୍ନୀତି ଅଭିଯୋଗ ଆସିବା ପରେ କେଜ୍ରିଓ୍ବାଲଙ୍କ ଛବି ଖରାପ ହୋଇଛି। ମୁଖ୍ୟମନ୍ତ୍ରୀ ଚେହେରା ବିନା ନିର୍ବାଚନ ଲଢିଲେ ବି ମଇଦାନକୁ ପ୍ରବେଶ ବର୍ମା, ରମେଶ ବିଧୁଡି, ମୀନାକ୍ଷୀ ଲେଖିଙ୍କ ପରି ବରିଷ୍ଠ ନେତାଙ୍କୁ ଓହ୍ଲାଇପାର ବିଜେପି। ସେହିପରି ଆପରୁ ଆସିଥିବା ଅରବିନ୍ଦର ସିଂ ଲଭଲି, ରାଜକୁମାର ଚୌହାନ, କୈଳାସ ଗେହଲଟଙ୍କ ଭଳି ନେତା ଦିଲ୍ଲୀ ନିର୍ବାଚନରେ ବିଜେପି ପାଇଁ ଟ୍ରମ୍ପ କାର୍ଡ ହୋଇପାରନ୍ତି ବୋଲି ଆଶା ରଖିଛି ଦଳ ।