ମହାରାଷ୍ଟ୍ରରେ ମହାୟୁତିର ବିଜୟ ପରେ ଡିସେମ୍ୱର ୫ରେ ଶପଥ ନେଇଥିଲେ ନୂଆ ସରକାର । ମୁଖ୍ୟମନ୍ତ୍ରୀ ଏବଂ ବିଭାଗ ବଣ୍ଟନକୁ ନେଇ ଶପଥ ଗ୍ରହଣରେ ବିଳମ୍ବ ହୋଇଥିଲା । ପରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବିସ, ଉପମୁଖ୍ୟମନ୍ତ୍ରୀ ଭାବେ ଏକନାଥ ସିନ୍ଦେ ଏବଂ ଅଜିତ୍ ପାୱାର ଶପଥ ନେଇଥିଲେ । ଡିସେମ୍ୱର ୧୫ରେ କ୍ୟାବିନେଟ୍ ସଂପ୍ରସାରଣ କରିଥିଲେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ । ମହାୟୁତର ୩୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତେବେ ମହାରାଷ୍ଟ୍ରରେ ସରକାର ଗଠନର ପ୍ରାୟ ୧୫ ଦିନ ପରେ ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ ହୋଇଛି । କିନ୍ତୁ ଏତେ କଳ୍ପନା ଜଳ୍ପନା ପରେ ବି ସିନ୍ଦେଙ୍କୁ ମିଳିଲା ନାହିଁ ମନ ମୁତାବକ ବିଭାଗ । ସବୁ ବଡ଼ ଓ ଗୁରୁତ୍ଵପୂର୍ଣ୍ଣ ବିଭାଗ ନିଜ ପାଖରେ ରଖିଛନ୍ତି ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ । ସେ ନିଜ ହାତରେ ରଖିଛନ୍ତି ଗୃହ, ଆଇନ, ଶକ୍ତି, ସାଧାରଣ ପ୍ରଶାସନ ବିଭାଗ ।
ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କୁ ମିଳିଛି ଅର୍ଥ, ଅବକାରୀ ଓ ଯୋଜନା ବିଭାଗ । ଅନ୍ୟତମ ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ନଗର ଉନ୍ନୟନ, ଗୃହ ନିର୍ମାଣ ଓ ପୂର୍ତ୍ତ ବିଭାଗ ମିଳିଛି ।ତେବେ ଗୃହ ବିଭାଗ ପାଇଁ ବହୁତ ଆଶାୟୀ ଥିଲେ ସିନ୍ଦେ । ଏଥିପାଇଁ ସେ ଆରମ୍ଭରୁ ଆଶାୟୀ ହୋଇ ରହିଥିଲେ। ପ୍ରଥମେ ତ ମୁଖ୍ୟମନ୍ତ୍ରୀ ପଦ ମିଳିଲା ନାହିଁ । ଆଉ ଏବେ ମନ ମୁତାବକ ବିଭାଗ ମଧ୍ୟ ତାଙ୍କୁ ମିଳିନାହିଁ । ତେବେ ସରକାରଙ୍କ ତରଫରୁ କୁହାଯାଇଛି, ବିଭାଗ ବଣ୍ଟନ ପରେ ସମସ୍ତେ ଖୁସି ଅଛନ୍ତି । ଏଥର ନିର୍ବାଚନରେ ବିଜେପି ନେତୃତ୍ଵାଧୀନ ମହାୟୁତି ମେଣ୍ଟ ୨୮୮ ଆସନରୁ ୨୩୦ ଆସନ ଜିତିଛି । ମୁଖ୍ୟମନ୍ତ୍ରୀ ପଦ ପରି ବିଭାଗ ବଣ୍ଟନରେ ମଧ୍ୟ ବହୁତ ଛକାପଞ୍ଝା ହୋଇଥିଲା । ସେଥିପାଇଁ ଏତେ ଡେରିରେ ବିଭାଗ ବଣ୍ଟନ ହୋଇଛି । ଫଡନଭିସଙ୍କ ମନ୍ତ୍ରିମଣ୍ଡଳରେ ୩୬ ଜଣ କ୍ୟାବିନେଟ ଓ ୬ ଜଣ ରାଷ୍ଟ୍ରମନ୍ତ୍ରୀ ଅଛନ୍ତି । ମହାୟୁତ୍ତର ୩୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ସେଥି ମଧ୍ୟରୁ ୨୮ ଜଣ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ କରାଯାଇଥିବା ଜଣାପଡ଼ିଛି । ଏବେ ବି କିଛି ମନ୍ତ୍ରୀ ବିଭାଗ ପାଇନାହାନ୍ତି ।