କାନ୍ଥରୁ ଲିଭିନି ବିବାହ ଲେଖା ,ମଶାଣିରେ ଜଳିଲା ନବବଧୂର ଚିତା । ବିବାହକୁ ମାତ୍ର ୫ମାସ ପୁରି ୬ଚାଲିଛି , ୨ ମାସର ଗର୍ଭବତୀ । ହେଲେ ଝୁଲନ୍ତା ଅବସ୍ଥାରେ ନବବଧୂର ଶରୀର । ଗୋଟିଏ ପଟେ ଶାଶୁ ଘର ଲୋକେ ଏହାକୁ ଆତ୍ମହତ୍ୟା କହୁଥିବା ବେଳେ ଅନ୍ୟପଟେ ବାପଘର ଲୋକେ ଏହାକୁ ହତ୍ୟା ଅଭିଯୋଗ କରିଛନ୍ତି । ଏମିତି ଏକ ଦୁଃଖଦ ଘଟଣା ଘଟିଛି ଚାନ୍ଦବାଲି ଏନ ଏ ସି ଅନ୍ତର୍ଗତ କୃଷ୍ଣପୁର ଗ୍ରାମରେ । ସୂଚନା ମୁତାବକ ଚଳିତ ବର୍ଷ ଜୁଲାଇ ,ମାସ ୧୨ ତାରିଖ ଦିନ ବୈଦିକ ରୀତିନିତି ଅନୁସାରେ ଵିଵାହ ବନ୍ଧନ ରେ ବାନ୍ଧି ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ହଟିଆପଡ଼ା ଗ୍ରମର ସ୍ବର୍ଗତ ବୁଦ୍ଧଦେବ ସାହୁଙ୍କ କନ୍ୟା ଅନୁସୟା ଏବଂ ଚାନ୍ଦବାଲି ଏନ ଏ ସି ଅନ୍ତର୍ଗତ କୃଷ୍ଣପୁର ଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ପୁତ୍ର ବିଶ୍ଵ ରଞ୍ଜନ l ବିବାହର ମାତ୍ର ୮ଦିନ ପରେ ଯୌତୁକ ପାଇଁ ନବବଧୂ ଉପରେ ଆରମ୍ଭ ହୋଇଯାଇଥିଲା ଅତ୍ୟାଚାର । ତେବେ ଗତକାଲି ଶାଶୁଘରେ ଅନୁସୟାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା l ଅନୁସୟା ଫାଶୀ ଲଗାଇ ଆତ୍ମ ହତ୍ୟା କରିଥିବା ଶାଶୁର ଘର ଲୋକ କହୁଥିବା ବେଳେ ଯୌତୁକ ପାଇଁ ଝିଅକୁ ମାରି ଆତ୍ମହତ୍ୟାର ରୂପ ଦେଉଥିବା ଚାନ୍ଦବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ବାପଘର ଲୋକେ ।
ବିବାହ ବେଳେ ଯୌତୁକ ବାବଦକୁ ୨୦ ହଜାର ଟଙ୍କା ବାକି ସହ ଏକ ମୋଟର ସାଇକେଲ ଦେବାକୁ ଶାଶୁ ଘର ଲୋକେ ବାରମ୍ବାର ଦାବି କରିବା ସହ ନବବଧୂ ଅନୁସୟାକୁ ନିର୍ଯ୍ୟାତନା ଦେଉଥିଲେ ବୋଲି ଚାନ୍ଦବାଲି ଥାନାରେ ଏକ ଅଭିଯୋଗ କରିଛନ୍ତି ଅନୁସୟା ମାଆ ଓ ଭାଇ । ଅଭିଯୋଗ ପାଇବା ପରେ ତଦନ୍ତ ଜାରି ରଖିଛି ଚାନ୍ଦବାଲି ପୋଲିସ । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ପ୍ରକୃତ ସତ ପଦାକୁ ଆସିବ ବୋଲି ଆଶା କରାଯାଏ l