ନୂଆବର୍ଷରୁ ଶ୍ରୀମନ୍ଦିରରେ ନୂଆ ଦର୍ଶନ ବ୍ୟବସ୍ଥା ଲାଗୁ ହେବ। ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା । ଡିସେମ୍ୱର ୨୭ ଓ ୨୮ ସୁଦ୍ଧା ପରିବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯିବ। ଗତକାଲି ମୁଖ୍ୟ ପ୍ରଶାସକଙ୍କ ସହ ସମୀକ୍ଷା କରିବା ପରେ ଏହା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ତେବେ ପରୀକ୍ଷା କରିବା ପାଇଁ ଡିସେମ୍ବର ୩୦ ଏବଂ ୩୧ରେ ଧାଡି ଦର୍ଶନ ହେବ। ୧ ତାରିଖରୁ ନିୟମିତ ଦର୍ଶନ ପ୍ରକ୍ରିୟାକୁ ଆସିବ। ଭକ୍ତମାନେ ସାତ ପାହାଚ ଦ୍ଵାର ଦେଇ ପ୍ରବେଶ କରିବାକୁ ଥିବାବେଳେ ଘଣ୍ଟି ଏବଂ ଗାରଦ ଦ୍ଵାରରେ ପ୍ରସ୍ଥାନ କରିବେ । ଘଣ୍ଟି ଦ୍ଵାରରେ ମହିଳା ଏବଂ ବରିଷ୍ଠ ନାଗରିକମାନେ ପ୍ରସ୍ଥାନ କରିବେ ଏବଂ ଗାରଦ ଦ୍ଵାରରେ ପୁରୁଷମାନେ ଜଗା ଦର୍ଶନ କରିବେ।
ସେହିପରି ବଦଳିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ପୁରୁଣା ଡିଜାଇନରେ ଆଉ କିଛି ନୂଆ ଯୋଡ଼ା ହେବ। ଘୃତ, ଅନ୍ନ, ଜ୍ଞାନ ଭଳି ଯଜ୍ଞ ମଣ୍ଡପ ତିଆରି ହେବ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏନେଇ ସୂଚନା ଦେବା ପରେ ସବୁ ମହଲରେ ଏହାକୁ ସ୍ବାଗତ କରାଯାଇଛି।