ରାସନ ଚାଉଳ ପାଇଁ ଡିଲରକୁ ଦେବାକୁ ପଡୁଛି କାର୍ଡ ପିଛା ଟଙ୍କା l ଟଙ୍କା ଦେଲେ ଡିଲର ଘର ପାଖରେ ଚାଉଳ ଦେଉଛି ଟଙ୍କା ନଦେଲେ 20 କିଲୋମିଟର ଦୂର ଡିଲର ପଏଣ୍ଟରୁ ହିତାଧିକାରୀଙ୍କୁ ଆଣିବାକୁ ପଡୁଛି ଚାଉଳ l ବ୍ଲକ ପ୍ରଶାସନ ଠୁ ଜିଲ୍ଲା ପ୍ରଶାସନ ସବୁଠି ଗୁହାରି କଲେବି ପ୍ରଶାସନ ଶୁଣୁନି ବୋଲି ଅଭିଯୋଗ ଆଣିଛନ୍ତି ଆଳି ବ୍ଲକ ଟୁଙ୍ଗା ପଞ୍ଚାୟତ ବଉଳଯୋଡି ଡିହା ଗ୍ରାମବାସୀl ତୁରନ୍ତ ସମସ୍ୟା ର ସମାଧାନ କରା ନ ଗଲେ ଆନ୍ଦୋଳନ କୁ ଓହ୍ଲାଇ ବାକୁ ଦେଇଛନ୍ତି ଚେତାବନୀ
କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଟୁଙ୍ଗା ପଞ୍ଚାୟତ ଅଧୀନରେ ଥିବା ବଉଳ ଯୋଡି ଡିହା ଗ୍ରାମଟି ନଦୀ ଆରପାରିରେ ରହିଥିବା ବେଳେ ପଞ୍ଚାୟତ ଠାରୁ ପ୍ରାୟ 20 କିଲୋମିଟର ଦୂରରେ ରହିଛି ଏହି ଗାଁ l ଏହି ଗ୍ରାମରେ ପ୍ରାୟ ଶହେଜଣ ରାସନ କାର୍ଡ ହିତାଧିକାରୀ ରହିଛନ୍ତି l ହିତାଧିକାରୀଙ୍କ ଅଭିଯୋଗ ଅନୁଯାୟୀ ସରକାର ମାଗଣାରେ ରାସନ ସାମଗ୍ରୀ ଯୋଗାଇ ଦେଉଥିବା ବେଳେ ଦୀର୍ଘବର୍ଷ ଧରି ତାଙ୍କୁ ଚାଉଳ ଦେଉଥିବା ଡିଲର ଭଜହରି ମହାନ୍ତି ସେମାନଙ୍କୁ ଚାଉଳ ଦେବା ନିମନ୍ତେ ସେମାନଙ୍କ ନିକଟରୁ 20 ରୁ 30 ଟଙ୍କା ଲେଖାଁ ଆଦାୟ କରୁଥିଲେ ବୋଲି ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି l ଗତ ମାସ ହିତାଧିକାରୀ ମାନେ ଟଙ୍କା ନ ଦେବାରୁ ଡିଲର ଜଣକ ଗାଁ କୁ ଚାଉଳ ଦେବାକୁ ନ ଆସି,ଟୁଙ୍ଗା ପଞ୍ଚାୟତ ସେଣ୍ଟରରୁ ଚାଉଳ ନେବାକୁ ହିତାଧିକାରୀ ମାନଙ୍କୁ କହିଥିଲେ l ହିତାଧିକାରୀ ମାନେ ଗାଁ ଠାରୁ କୋଡିଏ କିଲୋମିଟର ଦୂର ରିଟେଲର ପଏଣ୍ଟରୁ ଚାଉଳ ଆଣିଥିଲେ l ହିତାଧିକାରୀ ମାନଙ୍କୁ ଚାଉଳ ଆଣିବା ନିମନ୍ତେ ଅଟୋ ଖର୍ଚ୍ଚ 500/600 ଟଙ୍କା ଦେବାକୁ ପଡିଥିଲା ବୋଲି ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି l ହିତାଧିକାରୀ ଅଭିଯୋଗ କରିଛନ୍ତି ଯେ ମାଗଣା ଚାଉଳ ଠାରୁ ଅଟୋ ଖର୍ଚ୍ଚ ବଳିପଡୁଛି l
ସରକାର ଆମକୁ ମାଗଣାରେ ଚାଉଳ ଦେଉଛନ୍ତି ନା ଟଙ୍କା ନେଇ ଚାଉଳ ଦେବାର ବ୍ୟବସ୍ଥା କରିଛନ୍ତି ବୋଲି ହିତାଧିକାରୀ ମାନେ ପ୍ରଶ୍ନ କରିଛନ୍ତି l ହିତାଧିକାରୀ ମାନେ କହିଛନ୍ତି ଯେ ଡିଲର ଭଜହରି ମହାନ୍ତି ପୂର୍ବ ମାସ ଗୁଡ଼ିକରେ ଗୋଟିଏ ଦିନରେ ହିତାଧିକାରୀ ମାନଙ୍କୁ ଚାଉଳ ଦେଉଥିବା ବେଳେ ଚଳିତ ମାସରେ ଦଳୀୟ ଭିତ୍ତିରେ ଗ୍ରାମର କିଛି ହିତାଧିକାରୀଙ୍କୁ ଡିଲର ଜଣକ ଚାଉଳ ବାଣ୍ଟିଥିବା ନେଇ ଅଭିଯୋଗ କରିଛନ୍ତି l ଚାଉଳ ପାଇନଥିବା ହିତାଧିକାରୀ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ଆଜି ଡିଲର ଗାଁ ରେ ପହଞ୍ଚି ହିତାଧିକାରୀ ମାନଙ୍କୁ ଚାଉଳ ବାଣ୍ଟିଛି l ହିତାଧିକାରୀ ମାନେ ଦାବି କରିଛନ୍ତି ଯେ ତାଙ୍କ ଗାଁ ରେ ଏକ ସବ ସେଣ୍ଟର ଖୋଲାଯାଇ ଚାଉଳ ଯୋଗାଇ ଦେବାର ବ୍ୟବସ୍ଥା କରାଯାଉ l ଡିଲର ଭଜ ହରି ମହାନ୍ତି ଗାଡି ଖର୍ଚ୍ଚ ଟଙ୍କା ନେଇଥିବା କଥା କୁ ସି୍ୟୁକାର କରିଛନ୍ତି l ଏ ସମ୍ପର୍କରେ ତତ୍କାଳୀନ ଯୋଗାଣ ନିରୀକ୍ଷକ ତଥା ବର୍ତ୍ତମାନର ସହକାରୀ ଜିଲ୍ଲା ଯୋଗାଣ ଅଧିକାରୀ ପୁନମ ଜେନାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ସେ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରିବାକୁ ସେହି ଗାଁ କୁ ଯାଇଥିଲେ l ହିତାଧିକାରୀ ମାନେ ଚାଉଳ ନେବା ସମୟରେ ଡିଲରଙ୍କୁ ଟଙ୍କା ଦେଉଥିବା ନେଇ ସେ ସ୍ୱୀକାର କରିଥିଲେ l କିନ୍ତୁ ହିତାଧିକାରୀ ମାନେ ସେହି ମାସରେ ଡିଲରଙ୍କୁ ଟଙ୍କା ଦେବା ପାଇଁ ମନା କରି ଦେଇଥିଲେ l ସେମାନେ ତାଙ୍କ ଗ୍ରାମ ନିକଟସ୍ଥ ଡିଲରଙ୍କ ନିକଟରୁ ଖାଉଟି ସାମଗ୍ରୀ ନେବେ ବୋଲି ଦାବି କରିଥିଲେ l ଏ ନେଇ ଯୋଗାଣ ବିଭାଗ ପକ୍ଷରୁ ରାଜକନିକା ବ୍ଲକର ସ୍ଥାନୀୟ ଡିଲରଙ୍କୁ ପଚାରିବାରୁ ସେ ୱାନ ନେସନ ୱାନ କାର୍ଡ ନିୟମରେ ଖାଉଟି ସାମଗ୍ରୀ ଦେବାକୁ ପ୍ରଥମେ ରାଜି ହୋଇଥିଲେ କିନ୍ତୁ ଷ୍ଟକ ଉଠାଯିବା ସମୟରେ ସେହି ଡିଲର ମନା କରିଦେଇଥିଲେ l ହିତାଧିକାରୀ ମାନଙ୍କ ଘର ଦୂର ହେଉଥିବାରୁ ସେମାନେ ଦୀର୍ଘ ଦିନ ହେବ ଡିଲରଙ୍କୁ ଖର୍ଚ୍ଚ ଦେଇ ଚାଉଳ ନେଉଥିଲେ ଏବେ ଯଦି ସେମାନେ ଟଙ୍କା ନ ଦେବେ ତେବେ ସେମାନେ ଡିଲର ପଏଣ୍ଟରୁ ଡିଲରକୁ ଟଙ୍କା ନ ଦେଇ ସାମଗ୍ରୀ ଉଠାଇ ପାରିବେ l
ତୁରନ୍ତ ଗାଁ ଲୋକମାନଙ୍କୁ ମାଗଣା ରାସନ ଚାଉଳ ଘର ନିକଟରେ ଦେବାକୁ ବ୍ୟବସ୍ଥା କରିବାକୁ ସରକାରଙ୍କ ନିକଟରେ ହିତାଧିକାରୀମାନେ ଦାବୀ କରିଛନ୍ତି।