କାନ୍ଦୁଛି ବୈପାରିଗୁଡ଼ା ମାଟି , କାନ୍ଦୁଛନ୍ତି ପରିବାର । ସୁଖୁନି ଆଖିରୁ ଲୁହ । ଭାରତ ମାତାର ସନ୍ତାନ ହୋଇ ମାକୁ ବଞ୍ଚାଇବାକୁ ଯାଇ ନିଜ ମାଆଠାରୁ ଦୂରେଇ ଯାଇଛି ଗୋଟେ ପୁଅ । କିଏ କହୁଛି ଦେଶ ସୁରକ୍ଷା ବାହିନୀ ବୀର ଯବାନଙ୍କୁ ହରାଇ ବହୁ ଦୁଃଖ ଲାଗୁଛି । ତ ପୁଣି କିଏ କହୁଛି ଦେଶପାଇଁ ସହୀଦ ହୋଇଗଲା ଭାବିଲେ ଗର୍ବ ଲାଗୁଛି । ହଁ ଆଜ୍ଞା ଏମିତି ଏକ ଦୁଃଖ ଦାୟକ ଖବର ଆସିଛି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ତଥା କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ଅଧିନସ୍ଥ କେନ୍ଦୁଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ଼ାଗୁଡ଼ା ଗ୍ରାମରେ । ବଡ଼ାଗୁଡ଼ା ଗ୍ରାମର ଆଦିବାସୀ ସମ୍ପ୍ରଦାୟ ପ୍ରଭୁ ତଲିଆଙ୍କ ପୁଅ ଈଶ୍ୱର ତଲିଆ ଜମ୍ମୁରେ ୪୬ ଆର୍ମି ଆର୍ମୋଡ ରେଜୀମେଣ୍ଟରେ ଏଲ୍ଡି ପଦପିରେ ଦେଶ ସୁରକ୍ଷା ବାହୀନି ଭାବେ କାର୍ଯ୍ୟରତ ଥିଲେ । ତେବେ ଜମ୍ମୁରେ ଥିବା ସୁରକ୍ଷା ବାହିନୀ ମାନଙ୍କୁ ବୁଧବାର ଦିନ ଟ୍ୟାଙ୍କ ଫିଲ୍ଡ ଫାଇରିଙ୍ଗ ଅଭ୍ୟାସ ପାଇଁ ରାଜସ୍ଥାନର ଫକରନ୍ ଠାରେ ପଠା ଯାଇଥିଲା । ସେଠାରେ ସାଥୀ ଯବାନ ମାନଙ୍କ ସହ ଟ୍ୟାଙ୍କ ଫିଲ୍ଡ ଫାଇରିଙ୍ଗ ଅଭ୍ୟାସ କରୁଥିବା ବେଳେ ହଟାତ୍ ଟ୍ୟାଙ୍କ ଭିତରେ ବୋମା ବିସ୍ପୋରଣ ହୋଇଥିଲା । ବୋମା ବିସ୍ପୋରଣ ଘଟିଥିବା ଘଟଣା ସ୍ଥଳରେହିଁ ଦୁଇ ସାଥୀ ଯୋବାନ ସହୀଦ ହୋଇଯାଇଥିବା ବେଳେ ଏଲ୍ଡି ଈଶ୍ୱର ତଲିଆ ଗୁରୁତ୍ତର ହୋଇପଡ଼ିଥିଲେ । ଗୁରୁତ୍ତର ଅବସ୍ଥାରେ ଯୋବାନ୍ ଈଶ୍ୱର ତଲିଆଙ୍କୁ ସଙ୍ଗେ ସଙ୍ଗେ ଚଣ୍ଡୀଗଡ଼ କମାଣ୍ଡ ହସ୍ପିଟାଲରେ ନେଇ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସିତ ବେଳେ ଈଶ୍ୱର ତଲିଆ ସହୀଦ ହୋଇଯାଇଥିଲେ । ଏହିପରି ଘଟଣା ଘଟିଥିବା ନେଇ ସହୀଦ ଯବାନ ଈଶ୍ୱର ତଲିଆଙ୍କ ପତ୍ନୀଙ୍କୁ ଫୋନ୍ ମାଧ୍ୟମରେ ଜଣେଇଥିଲେ । ସ୍ଵାମୀ ସହୀଦ ହେବା ଖବର ଶୁଣି ଈଶ୍ୱର ତଲିଆଙ୍କ ପତ୍ନୀଙ୍କ ହାତରୁ ଖସି ପଡ଼ିଥିଲା ଫୋନ୍ । ପୁଅଙ୍କ ସହୀଦ ହେବା ଖବର ଶୁଣି ଖସି ଯାଇଥିଲା ବୃଦ୍ଧା ବାପା ମାଆଙ୍କ ପାଦତଳର ମାଟି । କାନ୍ଦ ବୋବାଳିରେ ଫାଟି ପଡ଼ିଲା ଗାଁ ସାରା । ଆଖ ପାଖ ଗ୍ରାମ ବାସୀଙ୍କ ସମେତ ପରିବାର ଲୋକେ ଅନେଇ ବସିଛନ୍ତି ସହୀଦ ଯବାନଙ୍କ ମୃତ ଶରୀରକୁ । ଏହିପରି ସକାକୁଳ ପରିବେଶ ପାଳଟିଛି ସହୀଦ ଯବାନଙ୍କ ଗାଁରେ । ଦୁଃଖରେ ଭାଙ୍ଗି ପଡିଛନ୍ତି ବଡ଼ାଗୁଡ଼ା ଗ୍ରାମବାସୀ । ଆଜିକୁ ଦୁଇଦିନ ହେଲା ଚୁଲି ଜଳୁନି ଘରେ । ଯୋବାନଙ୍କ ମୃତ ଶରୀରକୁ ଚାହିଁ ରହିଛନ୍ତି ସମସ୍ତେ । ପୁଅର କାନ୍ଧରେ ବୁହା ହୋଇ ଯିବାକୁ ଆସା କରିଥିବା ବୃଦ୍ଧା ବାପା ପୁଅଙ୍କୁ କାନ୍ଧେଇ ନେବାକୁ ଚାହିଁ ରହିଛି । ସ୍ଵାମୀଙ୍କ ବଳରେ ପୁଅ ଝିଅକୁ ନେଇ ସପ୍ନ ଦେଖୁଥିବା ସ୍ତ୍ରୀ ଏବେ ଚାହିଁ ରହିଛି ନିଜ ସ୍ଵାମୀଙ୍କ ମୃତ ଶରୀରକୁ । ଦୁନିଆ ବିଷୟରେ ଜାଣିନଥିବା ପୁଅ ଓ ଝିଅ ଅନେଇ ବସିଛନ୍ତି ବାପାଙ୍କୁ ଦେଖିବାକୁ । ତେବେ ସହୀଦ ଯବାନଙ୍କ ମୃତ ଶରୀର ପହଞ୍ଚିଲେ ଶେଷ ଦର୍ଶନ କରିବାକୁ ବୈପାରିଗୁଡ଼ା ଅଞ୍ଚଳବାସୀ ଚାହିଁରହିଥିବା ବେଳେ ଆସନ୍ତା କାଲି ସହୀଦ ଯବାନଙ୍କ ମୃତ ଶରୀର ପହଞ୍ଚିବ ବୋଲି ସୂଚନା ମିଳିଛି।