ଗୋଟେ ଘର ତିଆରି କରିବା ପାଇଁ ଆମକୁ ପ୍ରଚୁର ପରିମାଣ ଅର୍ଥ ସହ ପରିଶ୍ରମ ମଧ୍ୟ କରିବାକୁ ପଡୁଛି। ତାପରେ ଯାଇ ଆମେ ଗୋଟେ ଭଲ ଘର ତିଆରି କରୁଛେ। କେବଳ ସେ ଘରେ ନିଜ ପରିବାର ସହ ସୁଖ ଶାନ୍ତିରେ ଜୀବନ ଅତିବାହିତ କରିପାରିବ। କିନ୍ତୁ ଯଦି ସେହି ଘରେ ସବୁବେଳେ ଅଶାନ୍ତି ଲାଗିରହେ ତେବେ ଗୃହ ନିର୍ମାଣର ମୂଲ୍ୟ ରୁହେ ନାହିଁ ଏବଂ ଗୃହବାସୀ ସବୁବେଳେ ମନଦୁଃଖରେ ରହନ୍ତି। ଘରେ ସବୁବେଳେ ଅଶାନ୍ତି ଲାଗି ରହେ। ଏଭଳି କ୍ଷେତ୍ରରେ ଘର ତିଆରି କରିବାର କୌଣସି ମୂଲ୍ୟ ରହେ ନାହିଁ। ଏଣୁ ଗୃହକୁ ସବୁବେଳେ ବାସ୍ତୁ ମତରେ ନିର୍ମାଣ କରିବା ସହିତ ଯଦି ଆମେ ଆମ ମୁନି-ଋଷି ମାନଙ୍କ ମହତ ଅମୃତବାଣୀକୁ ଶୁଣି ଜୀବନରେ ଲଗାଇ ପାରିବା ତେବେ ଆମେ ନିଶ୍ଚୟ ଶାନ୍ତି ପାଇବା । ଏଣୁ ଆମେ ଆମର ବେଦ ଓ ପୁରାଣରେ ଥିବା ବାସ୍ତୁ ନିୟମକୁ ମାନବା ନିହାତି ଦରକାର ଯାହା ଆମର ମୁନିଋଷିମାନଙ୍କ ଦ୍ୱାରା କୁହାଯାଇଛି।
ଯେଉଁ ଗୃହରେ ନାରୀ ଏବଂ ଗୁରୁଜନମାନଙ୍କୁ ସମ୍ମାନ ଦିଆ ନଯାଏ ତେବେ ସେହିଘର ମଶାଣୀ ସଦୃଶ ହୋଇଥାଏ । ସେହି ଗୃହଟିକୁ ଗୃହ କହିବା, ଯଦି ସେହି ଗୃହରେ ସମସ୍ତେ ନାରୀ ଓ ଗୁରୁଜନମାନଙ୍କୁ ଆଦର ଓ ସମ୍ମାନ ଦେଇଥାନ୍ତି ଏବଂ ଗୁରୁଜନଙ୍କ କଥାକୁ ଅକ୍ଷରେ ଅକ୍ଷରେ ମାନିଥାନ୍ତି ଏବଂ ଗୃହ ମଧ୍ୟରେ ସମସ୍ତେ ସମସ୍ତଙ୍କ ପ୍ରତି ଆଦର ଓ ସ୍ନେହ ଶ୍ରଦ୍ଧା ରଖିଥାନ୍ତି । ଏହିପରି ଗୃହରେ ଯଦି ବି କିଛି ବାସ୍ତୁଦୋଷ ରହିଥାଏ, ତେବେ ବି ଏହି ଦୋଷ ଗୃହବାସୀଙ୍କୁ ପ୍ରଭାବିତ କରିପାରେ ନାହିଁ ।
ସାଧୁସନ୍ଥ, ରୋଗୀ, ଗର୍ଭବତୀ ସ୍ତ୍ରୀ, ନବ ବିବାହିତା ସ୍ତ୍ରୀ, କୁମାରୀ ଏହିମାନଙ୍କ ମଧ୍ୟରୁ ଯେ କେହିବି ଘରକୁ ଆସିଲେ ଏମାନଙ୍କୁ ଆଦର ସମ୍ମାନ ଦେବା ସହିତ, ସମସ୍ତଙ୍କ ଆଗରୁ ଖାଇବାକୁ ଦେବା ବହୁତ ଶୁଭ ହୋଇଥାଏ ।ଜୀବିକା ଅର୍ଜନ ପାଇଁ ଯେତେ କଷ୍ଟହେଲେ ବି ସବୁବେଳେ ଧର୍ଯ୍ୟର ସହିତ ଚେଷ୍ଟାଜାରୀ ରଖିବ କିନ୍ତୁ ଅସତ ମାର୍ଗକୁ ଯିବ ନାହିଁ କି ଅସତ ମାର୍ଗରେ ଧନ ଉପାର୍ଜନ କରିବାକୁ ଚେଷ୍ଟା କରିବ ନାହିଁ । ଅଧର୍ମ ଓ ଅସତ ଉପାୟରେ ଧନ ଅର୍ଜନ କଲେ ଖାଲି ଧନ ଅର୍ଜନ କରୁଥିବା ବ୍ୟକ୍ତି ହଇରାଣ ହୁଏ ନାହିଁ । ସେହି ବ୍ୟକ୍ତିର ପରିବାର ବର୍ଗ ମଧ୍ୟ ସେହି ପାପର ଭାଗିଦାରୀ ହୁଅନ୍ତି ଏବଂ ଏହାର ଖରାପ ପ୍ରଭାବକୁ ଭୋଗିଥାନ୍ତି । ଯେମିତି ଗୋଟେ ପରିବାରରେ ମୁଖ୍ୟବ୍ୟକ୍ତିମାନେ ଚୋରୀ, ଟାଉଟରୀ କରି ଧନ ଉପାର୍ଜନ କରନ୍ତି ତେବେ ସେମାନଙ୍କ ପିଲାମାନେ ଯେତେ ଭଲ କାମ କଲେ ମଧ୍ୟ ସମାଜ ସେମାନଙ୍କୁ ସବୁବେଳେ ସନ୍ଦେହ କରିଥାନ୍ତି । ଏଣୁ ସେହି ପରିବାରର ଭଲ ଲୋକମାନେ ମଧ୍ୟ ହଇରାଣ ହୋଇଥାନ୍ତି ।
ଏହିପରି ଅଶାନ୍ତି ବାସ୍ତୁ ଜନିତ ନୁହେଁ କର୍ମ ଜନିତ ଏଣୁ ମୁନି-ଋଷିମାନଙ୍କ ଉପଦେଶ ମାନି ସବୁବେଳେ ନିଜକୁ ସତମାର୍ଗରେ ରଖନ୍ତୁ । ଯେଉଁ ଗୃହରେ ନାରୀମାନେ ସୁଖୀ ସେହିଘରେ ସବୁବେଳେ ମା’ ଲକ୍ଷ୍ମୀଙ୍କର ବାସ ହୋଇଥାଏ ଫଳ ସ୍ୱରୂପ ସେହି ଗୃହରେ ରହୁଥିବା ଗୃହବାସୀମାନେ ମାଲକ୍ଷ୍ମୀଙ୍କର କୃପା ଲାଭ କରିଥାନ୍ତି ଏବଂ ସେମାନଙ୍କର ସର୍ବଦା ମଙ୍ଗଳ ହୋଇଥାଏ ।