ବଙ୍ଗୋପସାଗରରେ ଥିବା ଲଘୁଚାପ ଘନୀଭୂତ ହୋଇ ଅବପାତର ରୂପ ନେଇଛି । ଏହା ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଆନ୍ଧ୍ର ଉପକୂଳ ଉପରେ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଗତକାଲିଠୁ ବର୍ଷା ଲାଗି ରହିଛି । ଆଜି ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ସମ୍ଭାବନା ରହିଛି । ବିଶେଷ କରି କେନ୍ଦ୍ରାପଡା, ଜଗତସିଂହପୁର, ଗଂଜାମ ଓ ଗଜପତି ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ସେହିପରି ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର ଓ ଢେଙ୍କାନାଳରେ ବି ବର୍ଷା ସମ୍ଭାବନା ରହିଛି । ଅନ୍ୟ ସ୍ଥାନରେ ପାଗ ମେଘୁଆ ରହିବା ସହ କୋହଲା ପବନ ଲାଗି ରହିବ । ଆସନ୍ତା ୨ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହାର ୨ ଦିନ ପରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ୨ରୁ ୪ ଡିଗ୍ରୀକୁ ପାରଦ କମି ଶୀତର ପ୍ରଭାବ ପଡ଼ିବା ସମ୍ଭାବନା ଥିବା କହିଛି ପାଣିପାଗ କେନ୍ଦ୍ର।