ରାଜ୍ୟର ପ୍ରମୁଖ 3ଟି ବର୍ଗ ଏବେ ସରକାରଙ୍କ ଉପରେ ଅସନ୍ତୋଷ ହେଲେଣି । ସୁଭଦ୍ରାକୁ ନେଇ ମହିଳାମାନେ ତାତିଥିବା ବେଳେ ଭତ୍ତା ନପାଇ କ୍ଷୋଭ ପ୍ରକାଶ କଲେଣି ବରିଷ୍ଠ । ସେପଟେ ମଣ୍ଡିରେ ବିଶୃଙ୍ଖଳା ରୋକିବାରେ ଅସମର୍ଥ ହୋଇଛନ୍ତି ସରକାର । ଯାହାକୁ ନେଇ ଚାଷୀ ଅସନ୍ତୋଷ ଦେଖାଦେଇଛି । ସବୁଠାରୁ ବଡ କଥା ହେଉଛି ଚାଷୀଙ୍କୁ ବେଶୀ ନିରାଶ କରିଛି ମୁଖ୍ୟମନ୍ତ୍ରୀଙ୍କ ବରଗଡ ଗସ୍ତ l ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ସୋହେଲା କାର୍ଯ୍ୟକ୍ରମରେ ୮୦୦ ଟଙ୍କା ଦେଇ କରାଯାଇଥିଲା କଟନି ଛଟନି । ଇନପୁଟ ସବସିଡି ନାଁରେ ଭୂଆଁ ବୁଲାଉଛି ବିଜେପି ସରକାର । ନିର୍ବାଚନ ପୂର୍ବରୁ ବଡ଼ ବଡ଼ ଘୋଷଣା କରିଥିଲା ଗେରୁଆ ଦଳ । ହାତୀ ଦେବ, ଘୋଡ଼ା ଦେବ କହି, ଦେଇଥିଲେ ଲମ୍ବା ଚଉଡ଼ା ପ୍ରତିଶ୍ରୁତି । ଭୋଟ ହାତେଇଲା ପରେ ସିଧା ସିଧା ଜନତାଙ୍କୁ ଠକିଦେଲା ବିଜେପି । ଏମିତି କିଛି କହି ମୋହନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ଚାଷୀ ନେତା । ସରକାର କେବଳ ଇନପୁଟ ସବସିଡି ଦେଇ ଅନେକ ପ୍ରତିଶ୍ରୁତି ଭୁଲିଗଲେ । ଡିଜିଟାଲ ଏନାଲାଇଜର ମେସିନ ଆଣି ଚାଷୀଙ୍କୁ ଭୟଭୀତ କରାଯାଉଛି । ଏହି ମେସିନରେ FAQ ଧାନ ଦେଇପାରିବ ନାହିଁ ଚାଷୀ । କେବଳ ଓଡ଼ିଶାରେ ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ଦେବାକୁ କହି ଚାଷୀଙ୍କୁ ସରକାର ବିଭାଜନ କରୁଛନ୍ତି ବୋଲି କହିଛନ୍ତି ଚାଷୀ ନେତା । ସବୁଠାରୁ ବଡ଼ କଥା ହେଲା ଚାଷୀଙ୍କ ମୁଖ୍ୟତଃ ୬ଟି ଅସୁବିଧା ଦୂର କରିବେ ବୋଲି ନିର୍ବାଚନ ସମୟରେ ଡିଣ୍ଡିମ ପିଟୁଥିଲା ବିଜେପି । କିନ୍ତୁ ବିଜେପି ସରକାର ଗଠନ ପରେ ସବୁ କଥା ଭୁଲିଗଲେ । କେବଳ ଇନପୁଟ ସବସିଡି ଦେଇ କାମ ସାରିଦେଲେ । ସେପଟେ ଏବେ ବି ଜୋରସୋରରେ ଚାଲିଛି କଟନି ଛଟନି । ମଣ୍ଡିରେ ଶୃଙ୍ଖଳା ନଥିବା ବେଳେ, ସକ୍ରିୟ ଅଛନ୍ତି ଦଲାଲ । ଏ ସବୁ କଥା ଜାଣି ବି ଅଜଣା ଥିଲା ଭଳି ଅଭିନୟ କରୁଛନ୍ତି ସରକାର । ଯାହାକୁ ନେଇ ସରକାର ଉପରେ ବର୍ଷିଛି ଚାଷୀ ସଙ୍ଗଠନ । କେବଳ ପ୍ରଚାର ପ୍ରସାରରେ ଚାଲିଛି ବିଜେପି ସରକାର । କାମ କମ, କେବଳ ଶ୍ରେୟ ନେବାକୁ ଚାଲିଛି ଟକରା ଟକରି । ଏ ସରକାର ଜନତାଙ୍କ ଦୁଃଖ ଦୂର କରିବେ କ’ଣ, ଓଲଟି ଦେଇ ଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଯନ୍ତ୍ରଣା ।