ନିର୍ବାଚନ ପୂର୍ବରୁ 3ଶହ ୟୁନିଟ ମାଗଣା ବିଜୁଳି ଦେବାର ପ୍ରତିଶ୍ରୁିତି ଦେଇଥିଲା ବିଜେପି । ମାତ୍ର ରାଜ୍ୟରେ ସରକାର ଗଢିବା ପରେ ଲୋକଙ୍କୁ ଭୂଆଁ ବୁଲାଇଲେ । ଘରେ ଘରେ ପ୍ରଦାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ଦ୍ବାରା ବିଜୁଳି ବିଲ୍ କମିବ ବୋଲି କହି ଲୋକଙ୍କୁ ଠକିବାକୁ ପଛାଇଲେନି ସରକାର । ତେବେ ଏହି ମିଶନରେ ମଧ୍ୟ ଓଡିଶାରେ ବିଫଳ ହୋଇଛନ୍ତି ଡବଲଇଞ୍ଜିନ ସରକାର । ସୂଚନା ଅନୁସାରେ ପ୍ରଧାନମନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ଦୁଇ କୋଠରି ବିଶିଷ୍ଟ ଘର ପାଇଁ ସର୍ବନିମ୍ନ ୧ କିଲୋୱାଟ୍ କ୍ଷମତାର ସୌର ପ୍ୟାନେଲ ଲାଗିବା ଆବଶ୍ୟକ। ଏଥିପାଇଁ ଗ୍ରାହକ ପ୍ରଥମେ ନିଜ ହାତରୁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ତିନି ମାସ ଭିତରେ ୩୦ ହଜାର ଟଙ୍କା ସବ୍ସିଡି ବ୍ୟାଙ୍କ ଆକାଉଣ୍ଟକୁ ଆସିବ। ସେହିପରି ୨ କିଲୋ ୱାଟ୍ ପାଇଁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ଥିବା ବେଳେ ୬୦ ହଜାର ଟଙ୍କା ସବ୍ସିଡି ଆସୁଛି। ସର୍ବାଧିକ ୩ କିଲୋୱାଟ୍ ପାଇଁ ୭୮ ହଜାର ଟଙ୍କା ସବ୍ସିଡି ମିଳୁଛି। ଜଣେ ନିମ୍ନ ଆୟକାରୀ ପରିବାର ୧ କିଲୋ ୱାଟ୍ କ୍ଷମତାର ପିଏମ୍ ସୂର୍ଯ୍ୟଘର ପ୍ୟାନେଲ ଲଗାଇବା ପାଇଁ ନାକେଦମ୍ ହୋଇଯାଉଛି। ବ୍ୟାଙ୍କ ଋଣ ମିଳିବ ବୋଲି କୁହାଯାଉ ଥିଲେ ବି ବ୍ୟାଙ୍କ ଏଥିପାଇଁ ଋଣ ଦେଉ ନାହାନ୍ତି। ବଡ଼ କଥା ହେଲା ପିଏମ୍-ସୂର୍ଯ୍ୟଘର ହେଉଛି ଅଣ-ଗ୍ରୀଡ୍ ଶକ୍ତି ପ୍ରକଳ୍ପ ଯେଉଁଥିରେ ସୌର ଶକ୍ତିକୁ ବ୍ୟାଟେରୀ ଦ୍ୱାରା ଗଛିତ ରଖାଯାଇ ପାରିବ ନାହିଁ। କେବଳ ଦିନ ବେଳା ସୌର ଶକ୍ତିରେ ଉପକରଣ ଚାଲିବ। ରାତି ବେଳା କିମ୍ବା ଘନବାଦଲ ଯୋଗୁଁ ଯଦି ଦିନବେଳା ସୂର୍ଯ୍ୟକିରଣ ନ ପଡ଼ିଲା, ତେବେ ବିଦ୍ୟୁତ୍ ସଂଯୋଗ ବ୍ୟବସ୍ଥା ଉପରେ ନିର୍ଭର କରିବାକୁ ଗ୍ରାହକ ବାଧ୍ୟ। ଏତେ ସବୁ ନକରାତ୍ମକ ଦିଗ ଥିବାରୁ ଆବେଦନକାରୀ ପ୍ରକଳ୍ପ କାର୍ଯ୍ୟକାରୀ କରାଇବାକୁ ଅମଙ୍ଗ ହେଉଛନ୍ତି। ପ୍ରକଳ୍ପ କାର୍ଯ୍ୟକାରୀ କରୁଥିବା ସଂସ୍ଥାର କର୍ମଚାରୀ କହିଛନ୍ତି, ଆମେ ଆବେଦନକାରୀଙ୍କ ଘରକୁ ଯାଇ ବୁଝଇବା ସତ୍ତେ୍ୱ ସେମାନେ ପ୍ୟାନେଲ ଲଗାଇବାକୁ ରାଜି ହେଉ ନାହାନ୍ତି। ପ୍ରକଳ୍ପର ବ୍ୟୟଭାରକୁ ନେଇ ସେମାନେ ଆପତ୍ତି ଉଠାଉଛନ୍ତି। ବିଭିନ୍ନ କାରଣ ପାଇଁ ସମସ୍ତଙ୍କୁ ବ୍ୟାଙ୍କ ଋଣ ମିଳୁ ନାହିଁ। ଏବେ ସୌର ପ୍ୟାନେଲଗୁଡିକ ମୁଖ୍ୟତଃ ବିଦେଶରୁ ଆସୁଥିବାରୁ ତାହାର ମୂଲ୍ୟ ଅଧିକ ରହୁଛି ବୋଲି ସେ କହିଛନ୍ତି। ତେବେ ସରକାର ଏହି ପ୍ରକଳ୍ପକୁ ନେଇ ଆରମ୍ଭରୁ ଝୁଣ୍ଟିଲେଣି । ଆଗରୁ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାର ଅବସ୍ଥା କଣ ହେବ ବୋଲି ପ୍ରଶ୍ନ ଉଠିଛି । ବିଜୁଳିର ମହଙ୍ଗାମାଡ଼ରୁ ବର୍ତ୍ତିବା ପାଇଁ ମାଗଣା ବିଜୁଳି ପାଇବା ଲୋଭରେ ଯେତିକି ଲୋକ ଆବେଦନ କରୁଛନ୍ତି; ଏହାର ଖର୍ଚ୍ଚ ଏବଂ ଉପକାରିତା ବିଷୟ ଜାଣିବା ପରେ ଆଉ ଆଗଭର ହେଉନାହାନ୍ତି। ଏଥିସହିତ ଘର ଉପରେ ପିଏମ୍-ସୂର୍ଯ୍ୟଘର ସୋଲାର୍ ପ୍ୟାନେଲ ଲଗାଇବା ପାଇଁ ଆର୍ଥିକ ଦୃଷ୍ଟିକୋଣରୁ ସମସ୍ତେ ସମର୍ଥ ହେଉ ନାହାନ୍ତି। ମିଳିଥିବା ସୂଚନା ଅନୁସାରେ, ଚଳିତ ମାସ ୩ ତାରିଖ ସୁଦ୍ଧା ୭୭୫୩୯ ଜଣ ଘରୋଇ ଉପଭୋକ୍ତା ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଆବେଦନ କରିଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୧୪୧ ଜଣଙ୍କ ଘରେ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି। ବିଜେଡି ବିଧାୟକ ଗୌତମବୁଦ୍ଧ ଦାସଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏହି ତଥ୍ୟ ଦେଇଛନ୍ତି। ପିଏମ୍-ସୂର୍ଯ୍ୟଘର ପାଇଁ କେନ୍ଦ୍ର ସରକାର ନୀତି ନିର୍ଦ୍ଧାରଣ କରିଥିବା ବେଳେ ରାଜ୍ୟ ସରକାର ଘରୋଇ ସଂସ୍ଥା ସହାୟତାରେ କାର୍ଯ୍ୟକାରୀ କରୁଛନ୍ତି। କିନ୍ତୁ ଆବେଦନକାରୀଙ୍କ ତୁଳନାରେ ଗ୍ରାହକଙ୍କ ସଂଖ୍ୟା ବହୁତ କମ୍ ରହିବା ଏହି ଯୋଜନା ସମ୍ପର୍କିତ ନୀତି ନିୟମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।