ଏଥର ଭୂମିହୀନଙ୍କୁ ମିଳିବ ଜମି। ଘର କରିବା ପାଇଁ ସେମାନଙ୍କୁ ରାଜ୍ୟସରକାର ଯୋଗାଇ ଦେବେ ୪ ଡେସିମିଲ ଜମି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଲ୍ୟାଣ୍ଡ ସେଟଲମେଣ୍ଟ ୧୯୬୨ ଅନୁଯାୟୀ ବସୁନ୍ଧରା ଯୋଜନାରେ ଭୂମିହୀନଙ୍କୁ ୪ ଡେସିମିଲ ଜମି ଦିଆଯିବାର ବ୍ୟବସ୍ଥା ରହିଛି। ପୂର୍ବରୁ ସେ ଜମି ୧୦ ବର୍ଷ ପରେ ବିକ୍ରି କରିବାର ନିୟମ ମଧ୍ୟ ଥିଲା। କିନ୍ତୁ ଏହାକୁ ଏଣିକି ବିକ୍ରି କରାଯାଇ ପାରିବ ନାହିଁ ବୋଲି ସରକାରୀସ୍ତରରେ ସଂଶୋଧନ କରାଯାଇଛି। ବସୁନ୍ଧରା ଯୋଜନା ଅନୁସାରେ ଭୂମିହୀନଙ୍କୁ ଘର କରିବାକୁ ଜମି ଯୋଗାଇ ଦିଆଯିବ। ସେ ଆହୁରି କହିଛନ୍ତି ଭୂମିହୀନ ଅର୍ଥ ଯେଉଁମାନଙ୍କର ବାସଗୃହ କିମ୍ବା ଚାଷ ପାଇଁ ଜମି ନଥାଏ। କିନ୍ତୁ ଏପରି କିଛି ଗରିବ ଲୋକ ଅଛନ୍ତି ସେମାନଙ୍କ ପାଖରେ ଥିବା ଜମିର ଆକାର ଏତେ ଛୋଟ ଯେ ସେଥିରେ ସେମାନେ ଚାଷ କିମ୍ବା ଘର କରିବା ଅସମ୍ଭବ। ଏହିପରି ବର୍ଗର ଲୋକଙ୍କୁ ଆମେ ଜମି ଯୋଗାଇ ଦେବାକୁ ସ୍ଥିର କରିଛୁ। ସରକାର ସେମାନଙ୍କ ପାଇଁ ଏହି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ତେବେ ଏହି ପ୍ରୟାସ ଫଳରେ ଅନେକ ଲୋକ ଉପକୃତ ହେବେ ବୋଲି ଆଶା କରାଯାଉଛି।