ସନ୍ଧ୍ୟା ଥିଏଟରରେ ଆୟୋଜିତ ‘ପୁଷ୍ପା ୨: ଦି ରୁଲ୍’ର ପ୍ରିମିୟର୍ ସୋ’ରେ ତଳଚକଟାରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ଘଟଣାକୁ କେନ୍ଦ୍ର କରି ଅଲ୍ଲୁଙ୍କୁ ହାଇଦ୍ରାବାଦ ପୁଲିସ ଗିରଫ କରିଥିଲା। ଅଲ୍ଲୁଙ୍କୁ ହାଇଦ୍ରାବାଦ ପୁଲିସ ଗିରଫ କରି ଚିକ୍କଡ଼ପଲ୍ଲି ପୁଲିସ ଷ୍ଟେସନକୁ ନେଇଥିଲା। ପୋଲିସ ଅଲ୍ଲୁଙ୍କ ଘରେ ପହଞ୍ଚି ଚାହା ପିଇବାରୁ ସିଧା ଉଠାଇଆଣିଥିଲା । ହାଇଦ୍ରାବାଦ୍ ଜୁବଲି ହିଲ୍ସ ସ୍ଥିତ ଅଲ୍ଲୁ ଅର୍ଜୁନଙ୍କ ବାସଭବନକୁ ପୋଲିସ ଆସି ତାଙ୍କୁ ସିଧାସଳଖ ଉଠାଇ ନେଇଥିଲା। ଅଲ୍ଲୁଙ୍କୁ ପୋଲିସ ପଚରାଉଚରା କରାଯିବା ପରେ ତାଙ୍କୁ ଡାକ୍ତରୀ ମାଇନା ପରୀକ୍ଷା କରାଇଛି । ଏହାପରେ ଅଲ୍ଲୁଙ୍କୁ ହାଇଦ୍ରାବାଦ୍ ନାମପଲ୍ଲୀ କୋଟରେ ହାଜର କରାଇଥିଲା ପୋଲିସ୍ । ଅନ୍ୟପଟେ ଅଲ୍ଲୁଙ୍କ ଓକିଲ ହାଇକୋର୍ଟର ଦ୍ବାରାସ୍ଥ ହୋଇଛନ୍ତି । ତେଲେଙ୍ଗାନା ହାଇକୋର୍ଟକୁ ଜରୁରୀ ଶୁଣାଣି କରିବା ପାଇଁ ନିବେଦନ କରିବା ସହ ସୋମବାର ପର୍ଯ୍ୟନ୍ତ ସମୟ ମାଗିଛନ୍ତି । ଗୋଟେ ପଟେ ପୁଷ୍ପା-୨ର କ୍ରେଜ୍ ଏବେ ସାରା ବିଶ୍ବରେ ହଇଚଇ ସୃଷ୍ଟି କରିଥିବା ବେଳେ ଏହାରି ଭିତରେ ଏବେ ଅଲ୍ଲୁଙ୍କ ଗିରଫଦାରୀ ଫ୍ୟାନ୍ସଙ୍କୁ ବଡ ଝଟକା ଦେଇଛି । ତେବେ କାହିଁକି ଅଲ୍ଲୁଙ୍କୁ ଗିରଫ କରାଗଲା ? କି ଭୁଲ୍ କରିଦେଲେ ପୁଷ୍ପାରାଜ୍? ତେବେ ଡିସେମ୍ବର ୪ ତାରିଖରେ ହାଇଦ୍ରାବାଦର ଏକ ଥିଏଟରରେ ତାଙ୍କ ସଦ୍ୟତମ ଚଳଚ୍ଚିତ୍ର ପୁଷ୍ପା-୨: ଦି ରୁଲର ପ୍ରିମିୟର ଶୋ ସମୟରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା । ହାଇଦ୍ରାବାଦର ସନ୍ଧ୍ୟା ସିନେମା ହଲ ବାହାରେ ଏହି ଦଳାଚକଟା ଘଟିବାରୁ ଏଥିରେ ଜଣେ ୩୫ ବର୍ଷୀୟା ମହିଳା ଫ୍ୟାନ୍ସଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ନଅ ବର୍ଷୀୟ ପୁଅକୁ ଶ୍ୱାସରୁଦ୍ଧ ହେବାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ଏହି ଘଟଣା ବିବାଦକୁ ଆସିବା ପରେ ନିଜେ ଅଲ୍ଲୁ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ କରିବା ସହ ପରିବାରଙ୍କୁ ୨୫ ଲକ୍ଷ ଟଙ୍କାର ସହାୟତା ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ ସେହି ଘଟଣାରେ ହାଇଦ୍ରାବାଦ୍ ପୋଲିସ୍ ନିଜ ଆଡୁ ମାମଲା ରୁଜ୍ଜୁ କରି ପଚରାଉଚରା ଜାରି ରଖିଥିବା ବେଳେ ଅଲ୍ଲୁଙ୍କୁ ଗିରଫ କରିଛି । ସେପଟେ ଏହି ପୂରା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନିଜେ ଅଲ୍ଲୁ । ତାଙ୍କୁ ଜଳଖିଆ ଶେଷ କରିବାକୁ କି ପୋଷାକ ବଦଳିବାକୁ ସମୟ ନଦେଇ ସିଧା ଘରୁ ପୋଲିସ୍ ଉଠାଇ ଆଣିଥିବା ସେ ବୟାନ୍ ଦେଇଛନ୍ତି ।
କିନ୍ତୁ ଏବେ ଜେଲରୁ ବାହାରି ସାରିଲେଣି ସାଉଥ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ। ଅଲୁ ଅର୍ଜୁନଙ୍କୁ ଆଜି ସକାଳେ ମୁକ୍ତ କରାଯାଇଛି। ଗତକାଲି ତେଲେଙ୍ଗାନା ହାଇକୋର୍ଟଙ୍କ ଅନ୍ତରୀଣ ଜାମିନ୍ ସତ୍ତ୍ବେ ଜେଲରେ ରାତି କାଟିଛନ୍ତି ଅଲ୍ଲୁ ଅର୍ଜୁନ। ଏ ନେଇ ସକାଳେ ଜେଲ୍ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା
ତେବେ ଜେଲରୁ ବାହାରିବା ପରେ ଅଲ୍ଲୁ ଅର୍ଜୁନଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଲେ ଅଲ୍ଲୁ ଅର୍ଜୁନ। ‘ମୁଁ ଭଲ ଅଛି, ବ୍ୟସ୍ତ ହେବାର କିଛି ନାହିଁ’। ‘ଆଇନକୁ ସମ୍ମାନ ଦିଏ, ସମସ୍ତ ପ୍ରକାର ସହଯୋଗ କରିବି’ । ଏହାସହ ସେ କହିଛନ୍ତି ମୁଁ ପୁଣି ଏହି ଘଟଣାରେ ପ୍ରାଣ ହରାଇଥିବା ମହିଳାଙ୍କ ପରିବାରକୁ କ୍ଷମା ମାଗୁଛି। ଫିଲ୍ମ ଦେଖିବାକୁ ଆସି ଏପରି ଘଟଣା ଘଟିଥିଲା ସେଥିପାଇଁ କ୍ଷମା ମାଗିଛନ୍ତି ପୁଷ୍ପା। କୌଣସି ସମୟରେ ତାଙ୍କ ପରିବରକୁ ଯାହା ସୁବିଧା ଅସୁବିଧା ଦରକାର ପଡିବ ମୁଁ ସବୁବେଳେ ତାଙ୍କ ସାଥ ଦେବି ବୋଲି କହିଛନ୍ତି ଅଲ୍ଲୁ ଅର୍ଜୁନ।
ତେବେ ଏହାକୁ ନେଇ ଏକ ପ୍ରଶ୍ନ ସୃଷ୍ଟି ହେଉଛି । କୌଣସି ସୁପରଷ୍ଟାରଙ୍କ ପାଇଁ ଏଭଳି ଘଟଣା ନୂଆ ନୁହେଁ । ପୂର୍ବରୁ ମଧ୍ୟ ଫିଲ୍ମର ପ୍ରମୋସନ ପାଇଁ ଷ୍ଟାରମାନେ ଥିଏଟର ଯାଇଛନ୍ତି ଆଉ ଭିଡ ଅଣାୟତ୍ତ ହୋଇଛି । ତାହାଲେ ଏଥିରେ ଅଲ୍ଲୁଙ୍କ ଭୁଲ୍ କେଉଁଠି ରହିଲା ? ତେବେ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ପ୍ରକାଶ ଖବର ଅନୁଯାୟୀ, ଅଲ୍ଲୁ ପୂର୍ବରୁ ଖବର ନଦେଇ ହଠାତ୍ ହାଇଦ୍ରାବାଦ୍ ଥିଏଟରରେ ପହଞ୍ଚିଥିଲେ । ସେଠାରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ ସୂଚାରୁରୂପେ ବ୍ୟବସ୍ଥିତ କରାଯାଇନଥିଲା । ଯେଉଁ କାରଣରୁ ଅଲ୍ଲୁଙ୍କୁ ଦେଖି ଫ୍ୟାନ୍ସ ଉତ୍ସାହିତ ହୋଇ ଦଳଚକଟା ପରିସ୍ଥିତି ସୃଷ୍ଟି କରିଥିଲେ । ତେବେ ଏହାକୁ ନେଇ ପୋଲିସ୍ ଏବେ ଅଲ୍ଲୁଙ୍କ ବୟାନ୍ ରେକର୍ଡ କରିଛି । ଏଥିସହିତ ସେଦିନ ଘଟଣା ସମୟରେ ଥିବା ଅଲ୍ଲୁଙ୍କ ଜଣେ ଅଙ୍ଗରକ୍ଷୀଙ୍କୁ ମଧ୍ୟ ଗିରଫ କରାଯାଇଛି । ତେବେ ବାସ୍ତବରେ ସେଦିନ କ’ଣ ହୋଇଥିଲା ଏହା ଅଧିକ ତଦନ୍ତ ପରେ ସ୍ପଷ୍ଟ ହେବ।