ଅନେକ କଳ୍ପନା ଜଳ୍ପନା ପରେ ମହାରାଷ୍ଟ୍ର ସିଏମ ହୋଇଛନ୍ତି ଦେବେନ୍ଦ୍ର ଫଡନାଭିସ । ସମସ୍ତଙ୍କ ସହମତି ପରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର । ଅନ୍ୟପଟେ ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ଡେପୁଟି ସିଏମ୍ ଭାବରେ ଶପଥ ଗ୍ରହଣ କରିଛନ୍ତି । ଦେବେନ୍ଦ୍ର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଆଲୋଚନା ଜୋର ଧରିଛି । କୁହାଯାଉଛି ପଲିଟିକାଲ କ୍ୟାରିଅର ଛଡା ମୁଖ୍ୟମନ୍ତ୍ରୀଙ୍କ ପ୍ରେମ ଜୀବନ ବେଶ ଉତ୍ସାହପୂର୍ଣ୍ଣ । ବାସ୍ତବରେ ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସ୍ ବୃତ୍ତିରେ ଜଣେ ଗାୟିକା ଏବଂ ଅଭିନେତ୍ରୀ ଅଟନ୍ତି । ୨୦୦୫ ମସିହାରେ ଦୁହେଁ ବିବାହ କରିଥିଲେ । ଅମୃତା ମହାରାଷ୍ଟ୍ରର ଜଣାଶୁଣା ଚକ୍ଷୁ ଡାକ୍ତର ଶରଦ ରାନାଡେ ଏବଂ ସ୍ତ୍ରୀ ରୋଗ ବିଶେଷଜ୍ଞ ଚାରୁଲାଟା ରାନାଡେଙ୍କ ଝିଅ। ଯେତେବେଳେ ଦୁହେଁ ସାକ୍ଷାତ ହୋଇଥିଲେ ଅମୃତା ଜଣେ ବ୍ୟାଙ୍କର ଥିଲେ। ଏକ ସାଧାରଣ ବନ୍ଧୁଙ୍କ ଘରେ ଉଭୟଙ୍କର ଦେଖାସାକ୍ଷାତ ହୋଇଥିଲା । କିନ୍ତୁ ଅମୃତାଙ୍କୁ ସେହି ସଭାରେ ବହୁତ କମ୍ ସମୟ ରହିବାକୁ ପଡିଥିଲା । ମାତ୍ର ପରସମୟରେ ଯେତେବେଳେ ଦୁହେଁ କଥାବାର୍ତ୍ତା ଆରମ୍ଭ କଲେ ସେତେବେଳେ ଦୁହେଁ ପାଖାପାଖି ୯୦ ମିନିଟ୍ କଥାହୋଇଥିଲେ । ସେତେବେଳକୁ ଦେବେନ୍ଦ୍ର ଫଡନାଭିସ୍ ବିଧାୟକ ହୋଇସାରିଥିଲେ। କିନ୍ତୁ ମଜା କଥା ହେଉଛି ଅମୃତା ରାଜନୀତିକୁ ଓ ରାଜନେତାଙ୍କୁ ପସନ୍ଦ କରୁନଥିଲେ । ଏକ ସାକ୍ଷାତକାରରେ ଅମୃତା କହିଥିଲେ, ‘ମୁଁ ତାଙ୍କୁ ଭେଟିବା ପୂର୍ବରୁ ବହୁତ ଚିନ୍ତିତ ଏବଂ ଚାପରେ ଥିଲି। ମୁଁ ଭାବୁଥିଲି ଦେବେନ୍ଦ୍ର କେଉଁ ପ୍ରକାରର ବ୍ୟକ୍ତି ହେବେ? ମୋ ମନରେ ରାଜନେତାଙ୍କ ଏକ ନକାରାତ୍ମକ ଭାବମୂର୍ତ୍ତି ଥିଲା । କିନ୍ତୁ ଯେତେବେଳେ ମୁଁ ତାଙ୍କୁ ଭେଟିଲି, ଏହି ଭୟ ଶେଷ ହେଲା । ମୁଁ ଜଣେ ଅତି ସଚ୍ଚୋଟ ବ୍ୟକ୍ତିଙ୍କୁ ପାଇଥିଲି । ଅମୃତା ଫଡନାଭିସଙ୍କ ଅନୁଯାୟୀ, ଦେବେନ୍ଦ୍ର ଆଦୌ ରୋମାଣ୍ଟିକ୍ ନୁହଁନ୍ତି । ଅମୃତା କହିଥିଲେ ଯେ ଫଡନାଭିସ୍ ରୋମାଣ୍ଟିକ ନୁହଁନ୍ତି କିମ୍ବା ବିବାହ ପୂର୍ବରୁ କିମ୍ବା ପରେ ନୁହେଁ ଏବଂ ତାଙ୍କ ଦୁନିଆ କହିଲେ କେବଳ ରାଜନୀତିରେ ହିଁ ବୁଝାଏ । ତେବେ ଦେବେନ୍ଦ୍ର ଫଡନାଭିସ୍ କ୍ରମାଗତ ଭାବରେ ରାଜନୀତିରେ ବ୍ୟସ୍ତ ଥିବାବେଳେ ଅମୃତା ଫଡନାଭିସ୍ ଗୀତ, ଅଭିନୟ ଏବଂ ଅନ୍ୟାନ୍ୟ ବୃତ୍ତିଗତ କାର୍ଯ୍ୟ ଯୋଗୁଁ ଲାଇମଲାଇଟରେ ରହିଛନ୍ତି । ଏହି ଦମ୍ପତିଙ୍କର ଏକ ଝିଅ ମଧ୍ୟ ଅଛି ।