ଚିନ୍ତା ବଢାଉଛି ଟିକସ । କମ ଆୟ ଖର୍ଚ୍ଚ ବେଶି ଏ ଭିତରେ ସଞ୍ଚୟ କରିବା ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବଜାର ଦର ବୃଦ୍ଧି ପାଇଁ ଭାଜପା ସରକାର ବିରୋଧି ହେଲେଣି ଲୋକେ । ଜିଏସ୍ଟି ପ୍ରଚଳନ ହେବା ପରେ ସାଧାରଣ ଲୋକ ଟିକସ ଦେଇଦେଇ ନୟାନ୍ତ ହେଲେଣି । ଲୋକଙ୍କ ଆର୍ଥିକ ସ୍ଥିତିରେ ଅବନତି ଘଟିଛି । ମଧ୍ୟବିତ୍ତ ପରିବାରର ରୋଜଗାରର ପ୍ରାୟ ୫୦% ଟିକସରେ ଯାଉଛି। ବର୍ତ୍ତମାନ ଲୋକମାନେ ବିଭିନ୍ନ ଉତ୍ପାଦ କ୍ରୟ ଉପରେ ୩%ରୁ ୨୮ % ପର୍ଯ୍ୟନ୍ତ ଜିଏସ୍ଟି ଦେଉଛନ୍ତି। ଜିଏସ୍ଟିରେ କେନ୍ଦ୍ର ସରକାର ରାଜକୋଷ ଭରଣା କରୁଛନ୍ତି। ନଭେମ୍ବର ମାସରେ କେନ୍ଦ୍ର ସରକାର କେବଳ ଜିଏସ୍ଟିରୁ ୧.୮୨ ଲକ୍ଷ କୋଟି ଆଦାୟ କରିଛନ୍ତି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୨୦.୧୮ ଲକ୍ଷ କୋଟି ଅତିକ୍ରମ କରିଛି ଓ ଚଳିତ ଆର୍ଥିକ ବର୍ଷରେ ଏହାକୁ ୨୪ ଲକ୍ଷ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି। ଏପରି ଅବସ୍ଥାରେ ଖାଉଟିଙ୍କୁ ଶୋଷଣ କରିବାକୁ ପୁଣି ଜିଏସ୍ଟି ହାର ବୃଦ୍ଧି ଯୋଜନା କରିଛନ୍ତି କେନ୍ଦ୍ର ସରକାର। ଜାନୁଆରୀ ୧ ତାରିଖରୁ କିଛି ଉତ୍ପାଦ ଉପରେ ଆଦାୟ ହେଉଥିବା ୨୮% ଜିଏସ୍ଟିକୁ ୩୫%କୁ ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି। ଅତ୍ୟାବଶ୍ୟକ ସାମଗ୍ରୀର ଉଚ୍ଚ ଦରରେ ଖାଉଟି ବଜାର ମହଙ୍ଗା। କେନ୍ଦ୍ର ସରକାର ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍ଟି) ଆଳରେ ବିଭିନ୍ନ ସାମଗ୍ରୀ ଉପରେ ଲଗାଉଥିବା ଉଚ୍ଚ ଟିକସ ଏବେ ଖାଉଟିଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି। ଜିଏସ୍ଟି ବାବଦରେ କେନ୍ଦ୍ର ସରକାର ବେଶ ଭଲ ରାଜସ୍ୱ ହାସଲ କରୁଛନ୍ତି। କିଛି ମାସ ହେବ ବଜାର ଚାହିଦା କମ୍ ରହୁଥିବା ଯୋଗୁଁ ଅର୍ଥନୀତି ଧିମା ପଡିଯାଇଛି। ଏହାସତ୍ତ୍ବେ ସରକାର ନୂଆ ନୂଆ ଟିକସ ଲାଗୁ କରି ରାଜସ୍ୱ ଭଣ୍ଡାର ଭରିବେ ବୋଲି ସୂଚନା ମିଳିଛି। ବର୍ତ୍ତମାନ ଜିଏସ୍ଟିରେ ୪ଟି ସ୍ଲାବ୍ ରହିଥିବା ବେଳେ ଏବେ ଏଥିରେ ୩୫ ପ୍ରତିଶତର ଆଉ ଏକ ନୂଆ ସ୍ଲାବ୍ ଯୋଡିବାକୁ ବିଚାର କରୁଛନ୍ତି କେନ୍ଦ୍ର ସରକାର। ଉଚ୍ଚ ମୁଦ୍ରାସ୍ଫୀତିରେ ବଜାର ମହଙ୍ଗା। ସମ୍ପ୍ରତି ମୁଦ୍ରାସ୍ଫୀତି ୬ ପ୍ରତିଶତ ଉପରେ ରହିଛି। ଯାହା ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ଧାର୍ଯ୍ୟ ସୀମା ବାହାରେ। ଏପରି ସ୍ଥିତିରେ ନିକଟରେ ପଟ୍ରୋଲ, ଡିଜେଲ, ବାଣିଜ୍ୟିକ ରନ୍ଧନ ଗ୍ୟାସ ମୂଲ୍ୟ ବୃଦ୍ଧି ପରିସ୍ଥିତିକୁ ସଙ୍ଗୀନ କରିଛି। ଫଳରେ ମୋଟ ଘରୋଇ ଉତ୍ପାଦ (ଜିଡିପି) କ୍ଷେତ୍ରରେ ବଡ଼ ଝଟ୍କା ଲାଗିଛି। ବିଶ୍ୱର ଅନେକ ରେଟିଂ ଏଜେନ୍ସି ଚଳିତ ଆର୍ଥିକବର୍ଷ ପାଇଁ ଭାରତର ଅଭିବୃଦ୍ଧି ଆକଳନରେ ହ୍ରାସ ଘଟାଇଛନ୍ତି। ଅନ୍ୟପଟେ ଗ୍ରାମାଞ୍ଚଳ ତୁଳନାରେ ସହରାଞ୍ଚଳରେ ବଜାର ଚାହିଦା ହ୍ରାସ ଘଟିବାରେ ଲାଗିଛି। ଗୋଟିଏ ପଟେ ବେକାରି ବଢ଼ୁଛି ଅନ୍ୟ ପଟେ ଲୋକଙ୍କ ଆୟ କମୁଛି। ଏଭଳି ପରସ୍ଥିତିରେ କେନ୍ଦ୍ର ସରକାର ପାନୀୟ ବୋତଲଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସେବା ବୀମା ପ୍ରିମିୟମ୍ ପର୍ଯ୍ୟନ୍ତ ସବୁଥିରେ ଯେଉଁଭଳି ଭାବେ ଟିକସ ଅସୁଲ କରୁଛନ୍ତି ସେଥିରେ ମଧ୍ୟବିତ୍ତ ଓ ଗରିବ ପରିବାର ପାଇଁ ଚଳିବା ମୁସ୍କିଲ ହୋଇପଡିଛି।