ରାଜ୍ୟରେ ବିଜେପି ସରକାରକୁ 6 ମାସ ବିତିଲାଣି । କିନ୍ତୁ ମୋହନ ସରକାରଙ୍କ କାମ କମ କଥା ବେଶି ଚାଲିଥିବା ନେଇ ସରକାରଙ୍କୁ ସାମଲୋଚନା କରିଛନ୍ତି ବିରୋଧି । ମୁଖ୍ୟମନ୍ତ୍ରୀ ନିଜର ଦାୟିତ୍ବ ସମ୍ଭାଳିବା ପରିବର୍ତ୍ତେ ପୂର୍ବ ସରକାରଙ୍କୁ ବାରମ୍ବାର ଟାର୍ଗେଟ କରୁଥିବା ହାସ୍ୟାସ୍ପଦ ବୋଲି କହିଛନ୍ତି ବୁଦ୍ଧିଜୀବୀ । ବାସ୍ତବରେ ନିଯୁକ୍ତିକୁ ନେଇ ପୂର୍ବ ସରକାର ଉପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେଉଁ ଅଭିଯୋଗ ଆଣିଛନ୍ତି ତାହାକୁ ଦୃଢ ବିରୋଧଇ କରିଛନ୍ତି ବିଜେଡି ବିଧାୟକ । ଗୃହ ଆରମ୍ଭରୁ ହିଁ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଦାବି କରିଥିଲା ବିଜେଡି । କିଏ ଲାଞ୍ଚ ନେଇଛି ଓ କିଏ ଲାଞ୍ଚ ଦେଇ ଚାକିରି କରିଛି, ତାହାର ସମ୍ପୂର୍ଣ୍ଣ ତଥ୍ୟ ରଖିବାକୁ ଦାବି କରି ରାଜ୍ୟ ସରକାରଙ୍କୁ ଘେରିଥିଲେ ବିଜେଡି ବିଧାୟକ । ମୁଖ୍ୟମନ୍ତ୍ରୀ ଏପରି ଶସ୍ତା ମନ୍ତବ୍ୟ ଦେଇଥିବାରୁ କ୍ଷମା ମାଗନ୍ତୁ ଓ ଯାହା କହିଛନ୍ତି ତାହା ପ୍ରମାଣିତ କରନ୍ତୁ ବୋଲି ଜିଦରେ ଅଡ଼ି ବସିଥିଲେ ଉଭୟ ବିଜେଡି ଓ କଂଗ୍ରେସ । ସରକାରୀ ଦଳ ଉତ୍ତର ତ ରଖି ପାରିଲେ ନାହିଁ, ଘଟଣାକୁ ଭିନ୍ନ ମୋଡ଼ ଦେବାକୁ ବାରମ୍ବାର ଗୃହ ମୁଲତବି କରା ଯାଇଥିଲା । ବିନା ତଥ୍ୟ ପ୍ରମାଣରେ ପୂର୍ବ ସରକାରଙ୍କୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ । ନିଜ ଦୋଷ ଲୁଚାଇବାକୁ ବିଜେଡି ଉପରେ ଲଗାଇଛନ୍ତି ଆକ୍ଷେପ । ପ୍ରମାଣ ମାଗିବାରୁ ପଛଘୁଞ୍ଚା ଦେଉଛି ଶାସକ ଦଳ । ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ବିବୃତି ପରେ ଏଭଳି ଅଭିଯୋଗ କରିଛି ବିଜେଡି । ସବୁ କଥାରେ ପୁରୁଣା ସରକାରକୁ ଦାୟୀ କରି ନିଜ ସରକାରଙ୍କ ଦୋଷ ଲୁଚାଉଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏଭଳି ଅଭିଯୋଗ ଉପରେ କୌଣସି ପ୍ରମାଣ ଗୃହରେ ରଖି ପାରି ନଥିଲେ ଶାସକ ଗୋଷ୍ଠୀ । ମୁଖ୍ୟମନ୍ତ୍ରୀଙ୍କ ଏହି ଶସ୍ତା ଓ ବିବାଦୀୟ ବୟାନ ଯୋଗୁଁ ଏଏସଓ ପରି ସରକାରୀ ଚାକିରି ପାଇଥିବା ଅନେକ ପରୀକ୍ଷାର୍ଥୀଙ୍କ ମନୋବଳ ଭାଙ୍ଗିଯାଇଛି । ଏହାକୁ ବିରୋଧ କରି ଉଭୟ ପ୍ରଶ୍ନ ଉତ୍ତର କାଳ ଓ ଶୂନ୍ୟକାଳରେ ବିଜେଡି ବିଧାୟକ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ । ଶୂନ୍ୟକାଳରେ ମୁଖ୍ୟମନ୍ତ୍ରୀଙ୍କ ଏଏସଓ ଚାକିରି ବିକ୍ରି ବିବୃତି କଥା ଉଠାଇ ରୁଲିଂ ଦାବି କଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ମୁଖ୍ୟମନ୍ତ୍ରୀଙ୍କ ଏପରି ଶସ୍ତା ମନ୍ତବ୍ୟ ପରିଶ୍ରମ କରି ଚାକିରି ପାଇଥିବା ଲକ୍ଷ ଲକ୍ଷ ପିଲାଙ୍କ ପ୍ରତି ଅପମାନ ବୋଲି ସେ କହିଛନ୍ତି । ସେ ପ୍ରଶ୍ନ କରିଛନ୍ତି, ଯଦି ପ୍ରମାଣ ଅଛି, ୬ ମାସ ହେଲା ଦୋଷୀଙ୍କୁ ଗିରଫ ନ କରି ମୁଖ୍ୟମନ୍ତ୍ରୀ କାହିଁକି ବସିଛନ୍ତି । ଖଟିରେ ବସିଥିବା ପରି ଗୃହରେ ମୁଖ୍ୟମନ୍ତ୍ରୀ ଯେଉଁ ଶସ୍ତା ବକ୍ତବ୍ୟ ଦେଇଛନ୍ତି, ତାକୁ ଗୃହର ବିବରଣୀରୁ ବାଦ ଦେବାକୁ ବିଜେଡି ଦାବି କରିଛି । କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଶସ୍ତା ମନ୍ତବ୍ୟକୁ ନିନ୍ଦା କରିଛି । ଏହା ଗୃହ ଓ ଗଣତନ୍ତ୍ର ପାଇଁ ହାନିକାରକ ବୋଲି କହିଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି । ସେ ଯଦି ଜାଣିଛନ୍ତି ଗତ ସରକାରରେ ଚାକିରି ବିକ୍ରି ହୋଇଛି, ତେବେ ଦୋଷୀଙ୍କୁ ଗିରଫ କରିବାକୁ କଂଗ୍ରେସ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆହ୍ୱାନ ଦେଇଛି । ଆଗକୁ କ’ଣ ହେବ ଓ କ’ଣ କରିବେ, ରାଜ୍ୟର ବିଜେପି ସରକାର ଏ ଯାଏଁ ସ୍ପଷ୍ଟ କରିନାହାନ୍ତି । ହେଲେ ବାରମ୍ବାର ପୁରୁଣା ସରକାରକୁ ଦାୟୀ କରିବାର ଅପଚେଷ୍ଟା ଯୋଗୁଁ ବିବାଦ ମୁଣ୍ଡାଇଲେଣି । ସରକାରରେ କେତେବେଳେ କିଏ କ’ଣ କହୁଛନ୍ତି, ତାହା ଜାଣି ପାରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି ।