ବିଜେପିର ସଂଗୀନ ଅଭିଯୋଗ। ସୋରୋସଙ୍କ ସହ ରହିଛି ସୋନିଆଙ୍କ ସଂପର୍କ। ଦେଶରୁ ଜମ୍ମୁ-କାଶ୍ମୀରର ବିଚ୍ଛିନ୍ନତା ଚାହୁଁଥିବା ସଂଗଠନ ସହିତ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧୀଙ୍କ ସମ୍ପୃକ୍ତି ରହିଛି ବୋଲି ବିଜେପି ଆଣିଛି ଅଭିଯୋଗ। କେବଳ ସୋନିଆ ନୁହନ୍ତି, ରାହୁଲ ଗାନ୍ଧୀ ମଧ୍ୟ ଭାରତର ଅର୍ଥନୀତିକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ସଂଗଠନ ସହିତ ଜଡ଼ିତ ରହିଥିବା ବିଜେପି ଅଭିଯୋଗ କରିଛି।
ଭାରତ ବିରୋଧରେ ବିଭ୍ରାନ୍ତିକର ପ୍ରଚାର ପ୍ରସାରଣ କରୁଥିବା ଅନ୍ୟତମ ବିଲିଓନେୟର୍ ଜର୍ଜ ସୋରୋସ୍ଙ୍କ ସହ ରହିଛି କଂଗ୍ରେସର ସମ୍ପର୍କ। ସୋରୋସ୍ଙ୍କ ପାଣ୍ଠିରେ ଚାଲିଥିବା ଏନ୍ଜିଓ ଏଫ୍ଡିଏଲ୍-ଏପି ଫାଉଣ୍ଡେସନର ସହ-ଅଧ୍ୟକ୍ଷ ଅଛନ୍ତି ସୋନିଆ ଗାନ୍ଧି। ଏହି ସଂସ୍ଥା ଭାରତ ବିରୋଧୀ ଆଭିମୁଖ୍ୟ ଦ୍ୱାରା ପରିଚାଳିତ। ଏଭଳି କିଛି ବଡ଼ ଅଭିଯୋଗ ଆଣିଛି ବିଜେପି। ଏହାକୁ ନେଇ ଏବେ ରାଜନୀତି ଜୋର ଧରିଛି।
ତେବେ ଜର୍ଜ ସୋରସ ହେଉଛନ୍ତି ସୋୟାର ବଜାରରେ ଜଣେ କରେନ୍ସି ସ୍ପେକୁଲେଟର ଏବଂ ହେଜ ଫଣ୍ଡ ଅପରେଟର। ଜମ୍ମୁ-କାଶ୍ମୀରକୁ ଭାରତରୁ ବିଚ୍ଛିନ୍ନ କରିବା ହେଉଛି ଜର୍ଜ ସୋରସ ଫାଉଣ୍ଡେସନ ଏବଂ ଏପଡିଏଲ-ଏପିର ଏଜେଣ୍ଡା। ଏଭଳି ଉଦ୍ଦେଶ୍ୟ ରଖୁଥିବା ସଂସ୍ଥା ଏବଂ ବ୍ୟକ୍ତିବିଶେଷଙ୍କ ସହିତ ସୋନିଆଙ୍କ ସମ୍ପର୍କ ଥିବା ଦଳ ଅଭିଯୋଗ କରିଛି। ସେହିପରି ଭାରତ ବିରୋଧୀ ଶକ୍ତି ବଳରେ ରାହୁଲ ଭାରତୀୟ ଅର୍ଥନୀତିକୁ ଦୁର୍ବଳ କରିବାକୁ ଉଦ୍ୟମ କରିଛନ୍ତି। ତେବେ ବିଜେପିର ଏହି ଅଭିଯୋଗ ସମ୍ପର୍କରେ କଂଗ୍ରେସ ପକ୍ଷରୁ ଏ ଯାଏଁ କୌଣସି ପ୍ରତିକ୍ରିୟା ଆସିନାହିଁ।