ରାଜ୍ୟରେ ମୋହନ ସରକାରକୁ ପୂରିବ 6 ମାସ । ଅଧା ବର୍ଷ ଶାସନରେ ଅସନ୍ତୁଷ୍ଟ ହେଲେଣି ଜନତା । ଦେଇଥିବା ପ୍ରତିଶ୍ରୁତି ଏବେ ସପୂର୍ଣ୍ଣ ଭୂଲିଗଲେଣି ବିଜେପି ସରକାର । ଯାହାକୁ ନେଇ ରାଜ୍ୟରେ ଆଲୋଚନା ବଢିଛି । 3 ୟୁନିଟ୍ ମାଗଣା ବିଜୁଳି, ସୁଭଦ୍ରା , ବାର୍ଦ୍ଧକ୍ୟଭତ୍ତା , ସବୁ କ୍ଷେତ୍ରରେ ପ୍ରତାରଣା କରିଛନ୍ତି ସରକାର । ତେବେ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ପଡ଼ୋଶୀ ଆନ୍ଧ୍ର ଦେଉଛି ୪ ହଜାର । କିନ୍ତୁ ଓଡ଼ିଶାରେ ମାତ୍ର ୧ ହଜାର । କେବେ ବଢ଼ିବ ବାର୍ଦ୍ଧକ୍ୟ ଭତ୍ତା ? ଚାତକ ଭଳି ଚାହିଁ ରହିଛନ୍ତି ରାଜ୍ୟର ପ୍ରାୟ ୪୫ ଲକ୍ଷ ବୁଢ଼ାବୁଢ଼ୀ । ସରକାର କ୍ଷମତାକୁ ଆସିବା ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ଭତ୍ତା ବଢ଼ିବ । ମାସିକ ମିଳିବ ୩ ହଜାର । ହେଲେ ୫ ମାସ ପରେ ବି ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେଇ ପାରିନାହାନ୍ତି ।
ଏହାଛଡ଼ା ୮୦ ବର୍ଷରୁ ଊଦ୍ଧ୍ୱ ଏବଂ ଭିନ୍ନକ୍ଷମ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତ୍ତା ମିଳିବ ବୋଲି ଗତ ଜୁଲାଇ ମାସର ବଜେଟରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏଯାଏଁ କିନ୍ତୁ ବର୍ଦ୍ଧିତ ଭତ୍ତା ମିଳିନି । ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ବଜାର ଦର ହୁ ହୁ ହୋଇ ବଢୁଛି । ଆଳୁ, ପିଆଜ, ଡାଲି, ତେଲରୁ ଆରମ୍ଭ କରି ପନିପରିବା ଯାହାକୁ ହାତ ମାରିଲେ ଲାଗୁଛି ଝଟ୍କା । ବାର୍ଦ୍ଧକ୍ୟ ଭତ୍ତା ଯାହା ମିଳୁଛି, ସମୁଦ୍ରକୁ ଶଙ୍ଖେ । ଛଟପଟ ହେଉଛନ୍ତି ରାଜ୍ୟର ଲକ୍ଷ ଲକ୍ଷ ବୁଢ଼ାବୁଢ଼ୀ । ଆହା କହିବାକୁ କେହି ନାହିଁ । ପଡ଼ୋଶୀ ରାଜ୍ୟରେ ଭତ୍ତା ପରିମାଣ ଢେର ଅଧିକ ଅଛି । ଆମ ରାଜ୍ୟରେ କିନ୍ତୁ ଏହାର ପରିମାଣ ହଜାରେ ଟଙ୍କାରେ ସୀମିତ ଅଛି ।
ବୃଦ୍ଧାବସ୍ଥାରେ ମାତ୍ର ହଜାରେ ଟଙ୍କାରେ ଜୀବନ କାଟିବା କଷ୍ଟକର ହେଉଛି । ସରକାର ବାସ୍ତବତାକୁ ବିଚାରକୁ ନେଇ ଶୀଘ୍ର ବାର୍ଦ୍ଧକ୍ୟ ଭତ୍ତାକୁ ୩ ହଜାର ଟଙ୍କାକୁ ବୃଦ୍ଧି କରିବାକୁ ଦାବି ଜୋର ଧରିଲାଣି । ବାର୍ଦ୍ଧକ୍ୟ ଭତ୍ତା ନିୟମ-୧୯୮୯ ଏବଂ ଭିନ୍ନକ୍ଷମ ଭତ୍ତା ନିୟମ-୧୯୮୫କୁ ମିଶାଇ ଓଡ଼ିଶା ସରକାର ମଧୁବାବୁ ପେନ୍ସନ୍ ଯୋଜନା ୨୦୦୮ରେ ଆରମ୍ଭ କରିଥିଲେ । ଏହି ଯୋଜନାରେ ଗରିବ ବରିଷ୍ଠ ନାଗରିକ, ବିଧବା ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ମାସିକ ଭତ୍ତା ଦିଆଯାଉଛି । ଏଥିରେ ଯଥାକ୍ରମେ ୧୦୦୦, ୧୨୦୦ ଓ ୧୪୦୦ ଟଙ୍କା ମିଳୁଛି । ୨୦୧୯ ପରେ ଗତ ଫେବ୍ରୁଆରୀ ମାସରେ ଏହି ଭତ୍ତା ପରିମାଣ ବଢ଼ି ଏତିକି ଛୁଇଁଛି । ମାତ୍ର ଅନ୍ୟ ରାଜ୍ୟ ତୁଳନାରେ ଏହା ଯଥେଷ୍ଟ କମ୍ । ଆନ୍ଧ୍ରପ୍ରଦେଶ ସରକାର ବରିଷ୍ଠ ନାଗରିକ ଓ ବିଧବାମାନଙ୍କୁ ମାସିକ ୪ ହଜାର ଟଙ୍କା ଭତ୍ତା ପ୍ରଦାନ କରୁଛନ୍ତି । ଭିନ୍ନକ୍ଷମ ବ୍ୟକ୍ତିଙ୍କ ଭତ୍ତା ୩୦୦୦ରୁ ୬ ହଜାର ଟଙ୍କାକୁ ବଢ଼ିଛି । ଚଣ୍ଡିଗଡ଼ରେ ଏହି ୩ ବର୍ଗର ବ୍ୟକ୍ତିଙ୍କୁ ୨୦୦୦ ଟଙ୍କା, ଦିଲ୍ଲୀରେ ୨୦୦୦ ଟଙ୍କା ହରିୟାଣାରେ ୨୭୫୦ ଟଙ୍କା, କେରଳରେ ୧୪୦୦ ଟଙ୍କା ମାସିକ ଭତ୍ତା ଦିଆଯାଉଛି । ଉତ୍ତରାଖଣ୍ଡ ଓ ପଞ୍ଜାବରେ ହିତାଧିକାରୀମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ମିଳୁଛି । ଓଡ଼ିଶାରେ ନିୟମିତ ବ୍ୟବଧାନରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢୁଛି । ଏଠି ମାସିକ ୧୦୦୦ ଟଙ୍କାରେ ଜଣେ ବ୍ୟକ୍ତିଙ୍କ ଭୋକ କେମିତି ମେଣ୍ଟିବ ବୋଲି ପ୍ରଶ୍ନ ଉଠୁଛି । ବିଜେପି କ୍ଷମତାକୁ ଆସିଲେ ବୟସ୍କ, ଦିବ୍ୟାଙ୍ଗ, ବିଧବା, ନିରାଶ୍ରୟଙ୍କୁ ମାସିକ ୩ ହଜାର ଟଙ୍କା ଭତ୍ତା ବା ପେନ୍ସନ ମିଳିବ । ୮୦% ଅକ୍ଷମ ଥିବା ଦିବ୍ୟାଙ୍ଗ ଓ ୮୦ ବର୍ଷରୁ ଅଧିକ ବୟସ୍କଙ୍କୁ ୩୫୦୦ ଲେଖାଏଁ ମିଳିବ ମାସିକ ଭତ୍ତା ।
ଭୋଟ ପୂର୍ବରୁ ସଂକଳ୍ପପତ୍ରରେ ଏ ପ୍ରତିଶ୍ରୁତି ଦେଇଥିଲା ବିଜେପି । ସଂକଳ୍ପପତ୍ରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଧାନ ଏମ୍ଏସ୍ପି ଓ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେଲାଣି । ସୁଭଦ୍ରାରେ ୬୦ ବର୍ଷ ଛୁଇଁଥିବା ମହିଳାମାନେ ସହାୟତା ପାଇବାରୁ ବଂଚିତ ହେଉଛନ୍ତି । ତେଣୁ ନୂଆ ସରକାର ଏ ଦିଗରେ ପଦକ୍ଷେପ ନେଇ ନିଜ ସଂକଳ୍ପ ପ୍ରତିଶ୍ରୁତି ପୂରଣ କରିବାର ଆବଶ୍ୟକତା ରହିଛି ।