ବାଘ ମାରିବା ନେଇ ମିଛ ଅଭିଯୋଗ ସହ ସେମାନଙ୍କୁ ଶାରୀରିକ ନିର୍ଯାତନା ଦିଆ ଯାଇଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଖଡ଼ିଆଳ ଥାନା ଅନ୍ତର୍ଗତ ଦାବ୍ରୀ ଗ୍ରାମର ପାଞ୍ଚ ଜଣ ଆଦିବାସୀ ବ୍ୟକ୍ତି ଟିକଚନ ମାଝୀ, ଜୟରାମ ମାଝୀ, ଗୋରେଖ ଲାଲ ମାଝୀ, ପୂର୍ଣ୍ଣ ମାଝୀ ଓ ସଚିନ୍ଦ୍ର ମାଝୀ। ସେମାନଙ୍କ କହିବା ଅନୁସାରେ ଗତ ତାରିଖ ୦୬/୧୦/୨୪ ଦିନ ଖଡ଼ିଆଳ ବନଖଣ୍ଡ ର କୋଡ଼ିଏ/ପଚିଶ ଜଣ ବନ କର୍ମଚାରୀ ଦାବ୍ରି ଗ୍ରାମ ଯାଇ ସେମାନଙ୍କ ଘରର ତାଲା ଭାଙ୍ଗିବା ସହ ଜିନିଷ ପତ୍ର ଫିଙ୍ଗିବା ସହ ପରିବାରର ସମସ୍ତଙ୍କୁ ନିର୍ଯାତନା ଦେଇଥିଲେ। ପରେ ପୂର୍ଣ୍ଣ ଓ ଜୟରାମଙ୍କୁ ଖଡ଼ିଆଳ ଆଣି ବନଖଣ୍ଡର ହାଜତରେ ରଖି ଶାରୀରିକ ନିର୍ଯାତନା ଦେଇଥିଲେ। ପୂର୍ଣ୍ଣଙ୍କୁ ପାଞ୍ଚ ଛଅ ଥର ବିଦ୍ୟୁତ୍ ସକ ଦେବାରୁ ସେ ଅଚେତ୍ ହୋଇ ଯାଇଥିଲେ। ତାଙ୍କୁ ଛାଡି ଜୟରାମଙ୍କୁ ମାଡ ମାରିଥିଲେ ଓ ଜୟରାମ ସହିତ ଗାଁ କୁ ଆସି ଅନ୍ୟ ତିନି ଜଣଙ୍କୁ ନେଇ ଆସିଥିଲେ। ସେମାନଙ୍କ ମଧ୍ୟରୁ ୬୫ ବର୍ଷର ବୃଦ୍ଧ ଗୋରେକ୍ ଲାଲ ମାଝୀଙ୍କୁ ଦୁଇ ହାତ ପଛରେ ବାନ୍ଧି ଓ ଆଖିରେ ଗାମୁଛା ବାନ୍ଧି ମାଡ ମାରିବା ସହ ତିନିଥର ବିଦ୍ୟୁତ୍ ସକ୍ ଦେଇଥିବା ଅଭିଯୋଗ ହୋଇଛି। ଟିକଚନ ମାଝୀଙ୍କୁ ଉଲଗ୍ନ କରି ବାଘ ମାରିଥିବା ମାନିଯିବାକୁ କହିଥିଲେ ଓ ନ ମାନିଲେ ଉଲଗ୍ନ ଫଟୋ ଭାଇରାଲ୍ କରିଦେବେ ବୋଲି ଧମକ ଦେଇଥିଲେ ବୋଲି ସେ କହିଛନ୍ତି।ତାଙ୍କୁ ଛୁରି ରେ ମାରି ଦେବାର ଧମକ ଦେଇଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ଏସବୁ ଘଟଣା କାହାକୁ କହିଲେ ଜେଲ ଭିତରୁ ବାହାରି ପାରିବନି ବୋଲି ମଧ୍ୟ ବନ ଅଧିକାରୀ କହିଥିବା ଅଭିଯୋଗ ହୋଇଛି। ପରେ ୧୮ ତାରିଖ ଦିନ ସେମାନଙ୍କୁ ଜେଲ ପଠାଇ ଦିଆ ଯାଇଥିଲା ଓ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ତାରିଖ ୦୪/୧୨/୨୪ ଦିନ ଜାମିନ ରେ ସେମାନେ ଆସିଛନ୍ତି। ନିର୍ଯ୍ୟାତିତଙ୍କ ମଧ୍ୟରେ ପୂର୍ଣ୍ଣ ମାଝୀଙ୍କୁ ଜେଲ ରେ ଚିକିତ୍ସା ସହ ଭଲ ନହେବାରୁ ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିବା ଜଣା ପଡ଼ିଛି। ଏନେଇ ଅଭିଯୋଗକାରୀ ମାନେ ନ୍ୟାୟ ଭିକ୍ଷା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ, ପୋଲିସ ମହା ନିର୍ଦ୍ଦେଶକ, ଜଙ୍ଗଲ ସଂରକ୍ଷକ ଓଡ଼ିଶା ଆଦିକୁ ଜଣାଇବା ପରେ ଖଡ଼ିଆଳ ଥାନାରେ ଏଫ୍ ଆଇ ଆର ଦେଇଛନ୍ତି ଓ ନିଜ ଓକିଲ ଯୁଧିଷ୍ଟିର ମେହେରଙ୍କ ଜରିଆରେ ସାମ୍ବାଦିକ ସମ୍ମିଳନୀ କରି ତଦନ୍ତ ଦାବି କରିଛନ୍ତି।