ଯମ ଦୂତ ସାଜିଛି ବଜ୍ରପାତ! ଅକାଳରେ ନେଉଛି ନିରୀହ ଲୋକଙ୍କ ଜୀବନ। ବଜ୍ରପାତ ନୁହେଁ ତ ସତେ ଯେମିତି ଆକାଶରୁ ଖସୁଛି ନିଆଁ ବାରୁଦ। କାଳ ସାଜି ବାନ୍ଧି ନେଉଛି ଲୋକଙ୍କ ଜୀବନ। ଏହାରି ଭିତରେ କେତେ ପରିବାରକୁ ଛାରଖାର କରିସାରିଲାଣି ବଜ୍ରପାତ। କିଏ ନିଜ ସ୍ବାମୀକୁ ହରାଉଛି ତ କିଏ ନିଜ ପୁଅକୁ ହରାଇଛି। କିଏ ନିଜ ସ୍ତ୍ରୀକୁ ହରାଉଛି ତ କିଏ ନିଜ ପ୍ରିୟଜନକୁ ହରାଇ ମ୍ରିୟମାଣ ହୋଇପଡୁଛି। ବିଧାନସଭାରେ ଆସିଥିବା ତଥ୍ୟ କହୁଛି ୩ ବର୍ଷରେ 1 ହଜାର ୫୭ ଜୀବନ ନେଲାଣି ବଜ୍ରପାତ। ଆଉ ପ୍ରତିବର୍ଷ ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲାରେ ଅଧିକ ରହୁଛି ମୃତକଙ୍କ ସଂଖ୍ୟା। ଯଦିଓ ସରକାର ପଦକ୍ଷେପ ନେଉଛନ୍ତି, ସତର୍କ ସୂଚନା ବି ଦେଉଛନ୍ତି, ହେଲେବି ମୃତ୍ୟୁ ସଂଖ୍ୟା କମିବାର ନାଁ ଧରୁନି।
୩ ବର୍ଷରେ ବ୍ରଜପାତରେ ଗଲାଣି ୧୦୫୭ ଲୋକଙ୍କ ଜୀବନ। ତେବେ ସବୁଠୁ ବଡ କଥା ହେଉଛି ଚଳିତ ବର୍ଷ ମାତ୍ର ୭ ମାସରେ ବଜ୍ରପାତରେ ୨୦୧ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି। ସେହିପରି ୨୦୨୩-୨୪ ଅର୍ଥାତ ଗତ ବର୍ଷ ରାଜ୍ୟରେ ୨୭୨ ଜଣ ବଜ୍ରପାତରେ ପ୍ରାଣ ହରାଇଥିବା ବେଳେ, ୨୦୨୨-୨୩ରେ ୩୦୬ ଜଣଙ୍କ ବଜ୍ରପାତରେ ପ୍ରାଣ ଯାଇଛି ।
ବଜ୍ରାପାତକୁ ନେଇ ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ବଜ୍ରପାତରେ ମୃତ୍ୟୁ ରୋକିବାକୁ ସରକାର ବହୁ ପଦକ୍ଷେପ ନେଉଛନ୍ତି। ଅଧିକ ତାଳଗଛ ଲଗାଇବା ପାଇଁ ରାଜସ୍ୱ ବିଭାଗ ପକ୍ଷରୁ ଜଙ୍ଗଲ ବିଭାଗକୁ ୭ କୋଟି ଟଙ୍କା ଦିଆଯାଇଛି। ଏସଏମଏସ ଜରିଆରେ ଆଗୁଆ ଲୋକଙ୍କୁ ସଚେତନ କରାଯାଉଛି। ଆମେ ଚେଷ୍ଟା କରୁଛୁ ଯେ କିଭଳି ଲୋକଙ୍କ ଜୀବନକୁ ବଞ୍ଚାଇ ପାରିବୁ।