ନିର୍ବାଚନର ପୂର୍ବରୁ ଆପ୍ କୁ ଝଟ୍କା । ରାଜନୀତିରୁ ସନ୍ୟାସ ନେଲେ ଦିଲ୍ଲୀ ବିଧାନସଭା ବାଚସ୍ପତି ଓ ଆମ୍ ଆଦ୍ମୀ ପାର୍ଟିର ବରିଷ୍ଠ ବିଧାୟକ ରାମ ନିବାସ ଗୋଏଲ। ଏହି କଥା ଅରବିନ୍ଦ କେଜ୍ରିୱାଲଙ୍କୁ ଏକ ଚିଠି ଲେଖି ଜଣାଇଛନ୍ତି ରାମ ନିବାସ ଗୋଏଲ। ଅରବିନ୍ଦ କେଜ୍ରିଓ୍ୱାଳଙ୍କୁ ଲେଖିଥିବା ଚିଠିରେ ରାମ ନିବାସ ଗୋଏଲ କହିଛନ୍ତି ଯେ, ଗତ ୧୦ ବର୍ଷ ଧରି ମୁଁ ବିଧାନସଭାର ବିଧାୟକ ତଥା ବାଚସ୍ପତି ଭାବରେ ମୋର ଦାୟିତ୍ୱକୁ ଦକ୍ଷତାର ସହ ପାଳନ କରିଛି। ତୁମେ ମୋତେ ସବୁବେଳେ ବହୁତ ସମ୍ମାନ ଦେଇଛ, ଯାହା ପାଇଁ ମୁଁ ତୁମ ପାଖରେ ସର୍ବଦା କୃତଜ୍ଞ ରହିବ। ଦଳ ଏବଂ ସମସ୍ତ ବିଧାୟକ ମଧ୍ୟ ମୋତେ ବହୁତ ସମ୍ମାନ ଦେଇଛନ୍ତି, ଏଥିପାଇଁ ମୁଁ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି। ମୋର ବୟସ ହେତୁ ମୁଁ ରାଜନୀତିରୁ ନିଜକୁ ଦୂରେଇ ରଖିବାକୁ ଚାହୁଁଛି। କିନ୍ତୁ ମୁଁ ମୋର ସମସ୍ତ ହୃଦୟ, ମନ ଏବଂ ଧନ ସହିତ ଆମ୍ ଆଦମୀ ପାର୍ଟିର ସେବା ଜାରି ରଖିବି।
ସେପଟେ ଗୋଏଲଙ୍କ ଏହି ଘୋଷଣା ପରେ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଉଛୁ। ରାମ ନିବାସ ଗୋଏଲ ଆମ ପରିବାରର ଅଭିଭାବକ ଥିଲେ ଏବଂ ଆଗକୁ ମଧ୍ୟ ରହିବେ। ଭବିଷ୍ୟତରେ ମଧ୍ୟ ଆମ ଦଳକୁ ତାଙ୍କ ଅଭିଜ୍ଞତା ଏବଂ ସେବାର ଆବଶ୍ୟକ ପଡିବ।