ଆଜି ଲଞ୍ଚ ହେବ ୟୁରୋପୀୟ ସ୍ପେଶକ୍ରାଫ୍ଟ ପ୍ରୋବା-୩ର ଉତକ୍ଷେପଣ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଆଉ କିଛି ସମୟ ପରେ ଏହି ମିଶନ ଲଞ୍ଚ କରିବ। ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଶକ୍ତିଶାଳୀ ରକେଟ ସାହାଯ୍ୟରେ ପ୍ରୋବା-୩କୁ ଲଞ୍ଚ କରାଯିବ। ଆଜି ଅପରାହ୍ଣ ୪ଟା ୧୦ରେ ହେବ ଉତକ୍ଷେପଣ। ପ୍ରୋବା-୩ ସ୍ପେସ୍କ୍ରାଫ୍ଟରେ ତ୍ରୁଟି ଯୋଗୁଁ ଗତକାଲି ଉତକ୍ଷେପଣ ସ୍ଥଗିତ ରଖାଯାଇଥିଲା। ଏହାର ଦୁଇଟିଯାକ ଅଂଶ ଗୋଟିଏ ଥରରେ ଲଞ୍ଚ ହେବାକୁ ଥିବା ବେଳେ, ଗୋଟିଏ ଅଂଶ ଅନ୍ୟଟି ପାଇଁ କୃତ୍ରିମ ପୂର୍ଣ୍ଣ ସୂର୍ଯ୍ୟପରାଗ ଭଳି ସ୍ଥିତି ସୃଷ୍ଟି କରିବ। ଯାହା ଫଳରେ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟର ବାହ୍ୟସ୍ତର କରୋନା ସଂପର୍କିତ ତଥ୍ୟ ସଂଗ୍ରହ କରିହେବ।
ତେବେ ଗତକାଲି ଇସ୍ରୋ ପ୍ରୋବା-3 ମିଶନ ଲଞ୍ଚ ତାରିଖ ବଦଳାଇବା ନେଇ ସୋସିଆଲ ମିଡିଆରେ ଏକ୍ସ ରେ ଏକ ପୋଷ୍ଟ କରି ସୂଚନା ଦେଇଛି। ପ୍ରୋବା-3 ସ୍ପେଶକ୍ରାଫ୍ଟରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିବାରୁ ଏହାକୁ ଡିସେମ୍ବର 5କୁ ଘୁଞ୍ଛା ଯାଇଥିଲା।
ୟୁରୋପର ପ୍ରୋବା-୩ ମିଶନର ଲକ୍ଷ୍ୟ ହେଉଛି ଦୁଇଟି ମହାକାଶ ଯାନ କରୋନାଗ୍ରାଫ ଓ ଅକଲ୍ଟରକୁ ସମାନ୍ତରାଳ ଭାବେ ମହାକାଶରେ ରଖିବା। ଅର୍ଥାତ ଯେହେତୁ ସୂର୍ଯ୍ୟଙ୍କ ବାହ୍ୟ ବଳୟକୁ ଦେଖିବା ଆମ ପାଇଁ କଷ୍ଟକର, ଏଥିଲାଗି ଗୋଟିଏ ସ୍ପେଶକ୍ରାଫ୍ଟ ସୂର୍ଯ୍ୟଙ୍କ ବାହ୍ୟବଳୟରୁ ବାହାରୁଥିବା ରଶ୍ମିକୁ ବ୍ଲକ୍ କରି ଅନ୍ଧକାର ପରିସ୍ଥିତି ସୃଷ୍ଟି କରିବ। ଫଳରେ କୃତ୍ରିମ ସୂର୍ଯ୍ୟ ପରାଗ ମଧ୍ୟ କୁହାଯାଉଛି। ଏହି ମିଶନକୁ ଦେଶବାସୀ ଲାଇଭ ଦେଖିପାରିବେ। ଇସ୍ରୋର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲରେ ଦେଶବାସୀ ଲଞ୍ଚ ବେଳର ସିଧାପ୍ରସାରଣ ଦେଖିପାରିବେ।