କୋମଳମତି ଶିଶୁ ,ଗର୍ଭବତୀ ମହିଳା, କିଶୋରୀ ବାଳିକା ମାନଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଖର୍ଚ୍ଚ କରୁଛି କୋଟି କୋଟି ଟଙ୍କା । ମାତ୍ର ସରକାରଙ୍କ ଲକ୍ଷ୍ୟ ପୂରଣରେ ବାଧକ ସାଜୁଛନ୍ତି କେତେକ ଅସାଧୁ ସରକାରୀ କର୍ମଚାରୀଙ୍କ ସମେତ ଖାଦ୍ୟ ସାମଗ୍ରୀ ବଣ୍ଟନରେ ନିୟୋଜିତ ଠିକା ସଂସ୍ଥା । ଅଙ୍ଗନବାଡି ଖାଦ୍ୟ ଯୋଗାଣରେ ନିମ୍ନ ମାନର ଖାଦ୍ୟ ସାଙ୍ଗକୁ ଓଜନରେ ଠକେଇ ତା ସହିତ ନିର୍ଦ୍ଦିଷ୍ଟ ସମୟ ଠାରୁ ବହୁ ବିଳମ୍ବ ଆଦି ଅନିୟମିତତାରେ ଅସନ୍ତୁଷ୍ଟ ହିତାଧିକାରୀ । ସୂଚନା ମୁତାବକ ଚାନ୍ଦବାଲି ବ୍ଳକର ମହିଳା ଓ ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟ-୨ ଅଧୀନ ୫ଟି ପଞ୍ଚାୟତରେ ଖାଦ୍ୟ ସାମଗ୍ରୀ ଯୋଗାଣ ଦାଇତ୍ୱ ନେଇଛି ତ୍ରିନାଥ ସ୍ବୟଂ ସହାୟକ ଗୋଷ୍ଠୀ । ସରକାରୀ ନିୟମ ଅନୁସାରେ ଗର୍ଭବତୀ ଓ ପ୍ରସୂତି ମହିଳା, କିଶୋରି ବାଳିକା, ଅଙ୍ଗନବାଡିରେ ପଢୁଥିବା ଶିଶୁ ମାନଙ୍କ ପାଇଁ ଆସୁଥିବା ଖାଦ୍ୟ ଯଥା- ମୁଢି, ସୁଲା, ଛତୁଆ, ସୁଜି, ଖଜୁରୀ ଆଦି ପ୍ରତିମାସ ୨୫ ତାରିଖ ସୁଦ୍ଧା ଅଙ୍ଗନବାଡି କେନ୍ଦ୍ରରେ ପହଞ୍ଚିବା କଥା ଏବଂ ତାହା ୧ ତାରିଖ ଦିନ ହିତାଧିକାରୀଙ୍କୁ ବଣ୍ଟନ କରାଯିବା ଦରକାର । ମାତ୍ର ଜଳେଶ୍ବରପୁର , ବଜରାପୁର,ତୋଟାପଡା, ଖଦାଳପୋଖରୀ ଓ ଗୋପୀନାଥ ପୁର ଆଦି ପଞ୍ଚାୟତରେ ଚଳିତ ମାସ ୩ ତାରିଖ ଓ ୪ ତାରିଖ ଦିନ ଖାଦ୍ୟ ସାମଗ୍ରୀ ଅଙ୍ଗନବାଡି କେନ୍ଦ୍ରରେ ଯୋଗାଣ ସଂସ୍ଥା ପକ୍ଷରୁ ପହଞ୍ଚା ଗଲା । ସୁବିଧା ଦେଖି ବାଣ୍ଟିବେ ଅଙ୍ଗନବାଡି ଦିଦି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ହିତାଧିକାରୀ । କେବଳ ବଣ୍ଟନରେ ବିଳମ୍ବ ନୁହେଁ ନିମ୍ନ ମାନର ଖାଦ୍ୟ ସହ ପ୍ୟାକେଟରେ ଲିଖିତ ଓଜନ ଠାରୁ ପ୍ରକୃତ ଓଜନର ତାରତମ୍ୟ ସମସ୍ତଙ୍କୁ ଚକିତ କରିଛି । ଛତୁଆ ପ୍ୟାକେଟରେ ୪୦୦ ଗ୍ରାମ, ମୁଢିରେ ୩୦୦ ଗ୍ରାମ,ସୁଜିରେ ୩୦୦ ଗ୍ରାମ, ସୁଲାରେ ୪୦୦ ଗ୍ରାମ ଆଦି ସମସ୍ତ ସାମଗ୍ରୀରେ ଓଜନ କମ ରହୁଛି । ପ୍ରତି ମାସରେ ଯୋଗଣକାରୀ ସଂସ୍ଥା ଲକ୍ଷାଧିକ ଟଙ୍କାର ଦୁର୍ନୀତି କରୁଥିଲେ ସୁଦ୍ଧା ସମ୍ପୃକ୍ତ ବିଭାଗ ସବୁ ଜାଣି ଚୁପ ବସିଛି । ଏ ବିଷୟରେ ଚାନ୍ଦବାଲି ମହିଳା ଶିଶୁ ବିକାଶ ବିଭାଗ-୨ ଅଧିକାରିଣୀ ଅହଲ୍ୟାରାଣୀ ଦୀପଙ୍କୁ ପଚାରିବାରୁ ଏ ବିଷୟରେ ଅଭିଯୋଗ ଆସିଛି , ଅଭିଯୋଗରେ ଯଦି ସତ୍ୟତା ଥାଏ ତେବେ ଯୋଗାଣକାରୀ ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।