ଓ଼ଡିଶାର ଜୀବନ ରେଖା ମହାନଦୀ ଏବେ ଅସହାୟ ହୋଇପଡିଛି । ଡବଲ ଇଞ୍ଜିନ ସରକାର ରାଜ୍ୟବାସୀଙ୍କୁ ଦେଇଛନ୍ତି ଡବଲ ଧୋକା । ଓଡିଶାବାସୀ ଆଶା କରିଥିଲେ ରାଜ୍ୟରେ ବିଜେପି ସରାକର ଆସିଲେ ପ୍ରଥମେ ମହାନଦୀ ସମସ୍ୟାର ସମାଧାନ ହେବ । କିନ୍ତୁ ଏଠି ମହାନଦୀ ବଞ୍ଚାଇବା କମ୍, ମାରିବା ପାଇଁ ବେଶି ଷଡଯନ୍ତ୍ର ଚାଲିଛି । ବଦଳିଲା ସରକାର ହେଲେ ବଦଳିଲାନି ମହାନଦୀର ଭାଗ୍ୟ । ନୂଆ ସରକାର ଆସିବା ପରେ ଟ୍ରିବ୍ୟୁନାଲର ତଣ୍ଟିଚିପି ଦିଆଯାଇଛି । ୭ ମାସ ହେଲା ଶୁଣାଣି ବନ୍ଦ । ଏପଟେ ଥରୁଟିଏ ମୁଖ୍ୟମନ୍ତ୍ରୀ ଛତିଶଗଡ଼ ସହ କଥାହେଇ ଦାୟିତ୍ବ ଝାଡି ଦେଇଛନ୍ତି । ବିରୋଧୀ ଦଳ ଚୁପ୍, ବିଧାନସଭାରେ ବି ଚର୍ଚ୍ଚା ନାହିଁ। ପଶ୍ଚିମରୁ ଉପକୂଳକୁ ଯୋଡ଼ୁଥିବା ମହାନଦୀ ଏବେ ମରୁଭୁମି ପ୍ରାୟ। ଓଡ଼ିଶାର ଜୀବନରେଖାର ତଣ୍ଟିଚିପି ଦେଲେ କି ସରକାର? ବର୍ତ୍ତମାନ ସରକାର କଥା ଆମେ କହୁନୁ, ବରଂ ଗତ ୩୦ ବର୍ଷ ଧରି ଲଗାତାର ମହାନଦୀ ବିରୋଧରେ ଷଡ଼ଯନ୍ତ୍ର ହୋଇଚାଲିଛି। ଆଉ ଏହାକୁ ରୋକିବା ପାଇଁ କେବଳ ଶାସକ ଓ ବିରୋଧୀ ଉଭୟଙ୍କ ବୟାନବାଜି ଛଡ଼ା କୌଣସି ଗଠନମୂଳକ ପଦକ୍ଷେପ ହାତକୁ ନିଆଯାଇ ନାହିଁ। କଲମା ବ୍ୟାରେଜ ଉପରେ ଛିଡ଼ା ହେଲେ ଦେଖାଯାଉଛି ଛତିଶଗଡ଼ ପଟେ ଭରପୁର ଜଳରେ ଉଛୁଳୁଥିବା ମହାନଦୀ ଓଡ଼ିଶା ପଟେ ଶୁ୍ଖିଲା ପଡ଼ିଛି। ଲାଗୁଛି ସତେ ଯେପରି ଛତିଶଗଡ଼ ପଟେ ହସୁଥିବା ମହାନଦୀ ଓଡ଼ିଶା ପଟେ କାନ୍ଦୁଛି। ଆଉ ଜଳଜଳ ଦିଶୁଛି ମହାନଦୀ ପ୍ରତି ସରକାରଙ୍କ ଉଦାସୀନତା। ସେଥିପାଇଁ ପ୍ରଶ୍ନ ଉଠୁଛି ମହାନଦୀର ପାଣି ପିଇଲା କିଏ? ମହାନଦୀ ଜଳବିବାଦକୁ ନେଇ ଗଠନ ହୋଇଥିଲା ଟ୍ରିବ୍ୟୁନାଲ । ହେଲେ ଟ୍ରିବ୍ୟୁନାଲର ବୟସ ଯେତେ ବଢୁଛି , ଏପଟେ ମହାନଦୀ ଶୁଖୁଛି। ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପଦରୁ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.ଏମ.ଖାନୱାଲିକର ମାର୍ଚ୍ଚ ୧୨ରୁ ଇସ୍ତଫା ଦେବା ପରେ ଅଚଳ ହୋଇପଡ଼ିଛି ଟ୍ରିବ୍ୟୁନାଲ। ଆଉ ଦୁଇ ସଭ୍ୟ ଅଛନ୍ତି ଅଥଚ ସ୍ଥାୟୀ ଅଧ୍ୟକ୍ଷ ନଥିବାରୁ ବନ୍ଦ ରହିଛି ଶୁଣାଣି। କେନ୍ଦ୍ର ସରକାର ଜାଣିଛନ୍ତି ଅଥଚ ଚୂପ। ରାଜ୍ୟ ସରକାର ମଧ୍ୟ ନୀରବ। ତେବେ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଆସିବା ପରେ ମହାନଦୀର ଜଳ ବିବାଦର ସ୍ଥାୟୀ ସମାଧାନ ଚୁଟକିରେ ହେବ ବୋଲି ଲୋକେ ଆଶା ରଖିଥିଲେ। ହେଲେ ଦିଲ୍ଲୀରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନାରେ ଅଟକିଯାଇଛି ସରକାରଙ୍କ ଉଦ୍ୟମ। ଏବେ ପ୍ରଶ୍ନ ଉଠୁଛି ସମୟ ଏଭଳି କାଳକ୍ଷେପଣ ନୀତି ଭିତରେ ମହାନଦୀ ସବୁଦିନ ପାଇଁ ମରିଯିବନି ତ ? ନାଁ ମହାନଦୀ ବଞ୍ଚାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିବେ । ତେବେ ସରକାର ଯଦି ପଦକ୍ଷେପ ନେବେ ତାହା କେବେ କାର୍ଯ୍ୟକାରୀ ହେବେ ଦେଖିବାକୁ ବାକି ରହିଲା ।