ରାଜ୍ୟରେ ଆଳୁକୁ ନେଇ ଯୁଦ୍ଧ ଚାଲିଛି । କେବଳ ବିଜେଡି ନୁହେଁ, କଂଗ୍ରେସ ବିଧାୟକ ମଧ୍ୟ ଆଳୁ ଅଭାବ ଓ ଦରଦାମ ନିୟନ୍ତ୍ରଣ ବାହାରକୁ ଯିବା ନେଇ ମୋହନ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ବିଜେପି ସରକାର ଆସିବା ପରେ ହୁ ହୁ ହୋଇ ବଢି ଚାଲିଛି ଅତ୍ୟାବଶ୍ୟକ ସାମଗ୍ରୀ ଦାମ । ଆଳୁ ସଙ୍କଟ ପାଇଁ ଯୋଗାଣ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ । ସେହିପରି ସରକାର ଏଦିଗରେ କୌଣସି ପଦକ୍ଷେପ ନେଉ ନଥିବା ଅଭିଯୋଗ କରିଛନ୍ତି ବିଜେଡି ବିଧାୟକ ଗୌତମ ବୁଦ୍ଧ ଦାସ । ହେଲେ ଏ ପ୍ରସଙ୍ଗରେ ଏକଦମ ଚୁପ୍ ଯୋଗାଣ ମନ୍ତ୍ରୀ । ଖାଲି ସେତିକି ନୁହେଁ, ଆଳୁ ପ୍ରସଙ୍ଗରେ ବିତଣ୍ଡା ଯୁକ୍ତି ବାଢୁଛନ୍ତି ବିଜେପି ବିଧାୟକ । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ ।
ସେପଟେ ବିଧାନସଭାରେ ଆଳୁ ସମସ୍ୟା ନେଇ ସୃଷ୍ଟି ହୋଇଛି ଝଡ଼ । ତୁରନ୍ତ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି ବିରୋଧୀ । ଏସବୁ ଭିତରେ ଯଦିଓ ଉତ୍ତରପ୍ରଦେଶରୁ ଆଳୁ ଆସି ଓଡଶାରେ ପହଁଚିଛି କିନ୍ତୁ ପୁଣି ଯେ ଆଳୁ ସମସ୍ୟା ରାଜ୍ୟରେ ଉପୁଜିବ ନାହିଁ ତାହାକୁ ନେଇ ଦ୍ବନ୍ଦ୍ବ ବଢିଛି । ରାଜ୍ୟରେ ଆଳୁ ସଙ୍କଟକୁ ନେଇ ହୁଲସ୍ତୁଲ ହୋଇଛି ବିଧାନସଭା । ଶୂନ୍ୟକାଳରେ ମୁଖ୍ୟ ବିରୋଧୀ ବିଜେଡି ଏ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଓ ଯୋଗାଣ ମନ୍ତ୍ରୀଙ୍କ ଉପରେ ବର୍ଷିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ କହିଛନ୍ତି, ଆଳୁ ଉଭାନ କରିଦେଇଛନ୍ତି ନୂଆ ସରକାର । ପଶ୍ଚିମବଙ୍ଗ ଆଳୁ ବନ୍ଦ କଲା ପରେ ଆଈ ମା କାହାଣୀ ଗପ କହୁଛନ୍ତି ମନ୍ତ୍ରୀ । ଲୋକେ ହଇରାଣ ହେଉଥିବା ବେଳେ, ଯୋଗାଣ ମନ୍ତ୍ରୀ କେଉଁଠୁ ୩୦ ଟଙ୍କାରେ ଆଳୁ କିଣିଲେ, ତା’ର ଠିକଣା ଦିଅନ୍ତୁ ।
ସେହିପରି କଂଗ୍ରେସ ମଧ୍ୟ ସରକାରଙ୍କ ବିଫଳତାକୁ ନେଇ ବର୍ଷିବା ସହ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି । କିନ୍ତୁ ସବୁ ଜାଣିଲା ପରେ ବି ପଦୁଟିଏ ପାଟି ଖୋଲୁନାହାନ୍ତି ମନ୍ତ୍ରୀ । ରାଜ୍ୟରେ ଆଳୁ ସସମ୍ୟାକୁ ନେଇ ଶୂନ୍ୟକାଳରେ ସରଗରମ ହୋଇଛି ବିଧାନସଭା । ରାଜ୍ୟରେ ଆଳୁ ସଙ୍କଟକୁ ନେଇ ସରକାର ଓ ଯୋଗାଣ ବିଭାଗ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ୧୦ ଦିନ ଭିତରେ ୩୦ ଟଙ୍କାରୁ ବଢ଼ି ୬୦ ଟଙ୍କାରେ ପହଞ୍ଚିଲାଣି ଆଳୁ କେଜି । ହେଲେ ସମସ୍ୟାର ସମାଧାନ ନକରି ଖାଲି ଶସ୍ତା ମନ୍ତବ୍ୟ ଦେଉଛନ୍ତି ଯୋଗାଣ ମନ୍ତ୍ରୀ । କିପରି ଗ୍ରାହକଙ୍କୁ ଆଳୁ ମିଳିବ, ସେନେଇ ସରକାରଙ୍କ ଚିନ୍ତା ନାହିଁ । କିନ୍ତୁ ବିଭ୍ରାନ୍ତ କରିବାକୁ ଖାଲି କହୁଛନ୍ତି, ଉତ୍ତର ପ୍ରଦେଶରୁ ଟ୍ରେନରେ ଆସିବ ଆଳୁ ।
ଅଭାବ ଭିତରେ, ମନ୍ତ୍ରୀ ଶସ୍ତା ମନ୍ତବ୍ୟ ନଦେଇ କେଉଁ ଦୋକାନରେ ୩୦ ଟଙ୍କାରେ ଆଳୁ ମିଳୁଛି, ତାହାର ଠିକଣା ଲୋକଙ୍କୁ ଦିଅନ୍ତୁ ବୋଲି ଗୃହରେ ଦାବି କରିଥିଲା ବିଜେଡି l ଯୋଗାଣ ମନ୍ତ୍ରୀଙ୍କୁ କଟାକ୍ଷ କରି ପ୍ରମିଳା କହିଥିଲେ ଯେ, ଆଳୁ କେଉଁ ଟ୍ରେନରେ ଆସୁଛି, ତାର ଇଞ୍ଜିନ କ’ଣ ଟାଣୁନାହିଁ କି ? ସେହିପରି ଆଳୁକୁ ନେଇ ଖାଉଟି ଚିନ୍ତାରେ ଥିବା କହିଛନ୍ତି ବିଜେଡି ବିଧାୟକ ଗଣେଶ୍ବର ବେହେରା । ସପ୍ତାହକ ମଧ୍ୟରେ ଦୁଇ ଗୁଣ ହେଲାଣି ଦର । ତେଣୁ ଯଥାଶୀଘ୍ର ଆଳୁ ଚାହିଦାକୁ ସରକାର ମେଣ୍ଟାନ୍ତୁ ବୋଲି ଦାବି କରିଛି ବିଜେଡି । ଅନ୍ୟପଟେ ରାଜ୍ୟରେ ଆଳୁ ଆସି ପହଁଚିଥିବା ବେଳେ କଳାବଜାରି ରୋକିବା ସହିତ ଆଳୁ ଅଧିକ ଦରରେ ବିକ୍ରି ନକରିବା ପାଇଁ ବେପାରୀଙ୍କୁ ତାଗିତ୍ କରିଛି ଯୋଗାଣ ବିଭାଗ ।