ବଲିଉଡର ଜଣେ ଷ୍ଟାର ଅଭିନେତା ହେଉଛନ୍ତି ବିକ୍ରାନ୍ତ ମେସି। କିନ୍ତୁ ଏବେ ବଲିଉଡରୁ ସନ୍ନ୍ୟାସ ନେଲେ ବିକ୍ରାନ୍ତ । ଯାହାକି ଫ୍ୟାନ୍ସ ମାନଙ୍କୁ ଏବେ ଚିନ୍ତାରେ ପକାଇଛି। ଦୀର୍ଘ ଦିନଧରି ଅଭିନୟରେ ଦୃଢ ପ୍ରଦର୍ଶନ କରିଥିବା ବିକ୍ରାନ୍ତ ମେସି ନିଜ ସୋସିଆଲ ମିଡିଆରେ କିଛି ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ଅଭିନେତା ଅଭିନୟ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଡିସେମ୍ବର ୨ରେ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏଭଳି କିଛି ପୋଷ୍ଟ କରିଛନ୍ତି ବଲିଉଡର ମୋଷ୍ଟ ଟ୍ୟାଲେଣ୍ଟେଡ ଆକ୍ଟର୍ସ ବିକ୍ରାନ୍ତ। ଯାହାକି ଫ୍ୟାନ୍ସ ମାନଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
ବିକ୍ରାନ୍ତ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ଗତ କିଛି ବର୍ଷ ସ୍ମରଣୀୟ ଥିଲା। ଆପଣଙ୍କର ସମର୍ଥନ ପାଇଁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ । ବର୍ତ୍ତମାନ ନିଜକୁ ରିସେଟ୍ କରିବାର ସମୟ ଆସିଛି। ଦୁଇଟି ଶେଷ ଚଳଚ୍ଚିତ୍ର ଏବଂ ଅଗଣିତ ସ୍ମୃତି ସହ ୨୦୨୫ରେ ଶେଷ ଥର ପାଇଁ ଆପଣଙ୍କୁ ଭେଟିବ। । ସମସ୍ତଙ୍କୁ ଧନ୍ୟବାଦ । ସବୁବେଳେ କୃତଜ୍ଞ ହେବି। ତେବେ ବିକ୍ରାନ୍ତଙ୍କ କ୍ୟାରିୟର ଆରମ୍ଭ ହୋଇଥିଲା ୨୦୦୪ର ଟିଭି ସୋ ‘କାହାହୁଁ ମେଁ ‘। ଏହା ପରେ ସେ ଛୋଟ ପରଦାରେ ଅନେକ ହିଟ୍ ସୋ କରିଥିଲେ। ‘ଧରମବୀର’, ‘ବାଲିକା ବଧୁ’ ଏବଂ ‘କୁବୁଲ ହୈ’ ଭଳି ଶୋ’ରେ ତାଙ୍କର ଭୂମିକା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା। ୨୦୧୩ରେ ଫିଲ୍ମ ‘ଲୁଟେରା’ ସହିତ ବଲିଉଡରେ ଏଣ୍ଟ୍ରି କରିବା ପରେ ତାଙ୍କର ଫ୍ୟାନ୍ସମାନଙ୍କର କ୍ରେଜ ଆହୁରୀ ବଢିଥିଲା। ନିକଟରେ ରିଲିଜ୍ ହୋଇଥିବା ’12th ଫେଲ ଚଳଚିତ୍ର ଦର୍ଶକଙ୍କ ହୃଦୟକୁ ଛୁଇଁ ପାରିଥିଲା। ଅନ୍ୟପଟେ ରିଲିଜ ହୋଇଥିବା ଫିଲ୍ମ ‘ଦ ସାବରମତି ରିପୋର୍ଟ’ ପାଇଁ ତାଙ୍କୁ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆ ୨୦୨୪ରେ ‘ପର୍ସନାଲିଟି ଅଫ୍ ଦ ଇୟର’ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
ତେବେ ବିକ୍ରାନ୍ତଙ୍କ ଏହି ନିଷ୍ପତ୍ତି ପଛର କାରଣ ତାଙ୍କ ଫ୍ୟାନ୍ସ ମାନେ ଜାଣିବାକୁ ଚାହୁଁଛନ୍ତି। ତେବେ ବିକ୍ରାନ୍ତ ନିଜେ ଏହି ପୋଷ୍ଟରେ ଲେଖିଛନ୍ତି ଯେ ସେ ବର୍ତ୍ତମାନ ପରିବାର ଏବଂ ବ୍ୟକ୍ତିଗତ ଜୀବନକୁ ଗୁରୁତ୍ବ ଦେବାକୁ ଚାହୁଁଛନ୍ତି। ସେ ନିଜ ପତ୍ନୀ, ସନ୍ତାନ ଏବଂ ପରିବାର ସହ ସମୟ ବିତାଇବାକୁ ଚାହୁଁଛନ୍ତି।