ସମ୍ଭଲ ଜାମା ମସଜିଦ୍ ସର୍ଭେକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ଶୁଣାଣି। ହାଇକୋର୍ଟରେ ଶୁଣାଣି ନହେବାଯାଏ କୌଣସି ପ୍ରକାର ଆକ୍ସନ ନନେବାକୁ କହିଛନ୍ତି ସୁପ୍ରିମକୋର୍ଟ । ଏହି ବିବାଦର ପରବର୍ତ୍ତୀ ଶୁଣାଣି ଆସନ୍ତା ଜାନୁଆରୀ ୬ରେ ହେବ। ଉତ୍ତରପ୍ରଦେଶର ସମ୍ଭଲ ମସଜିଦର ଶାହି ଇଦଗାହ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ନ ହେବା ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ବନ୍ଦ ରଖିବାକୁ ଟ୍ରାଏଲ କୋର୍ଟଙ୍କୁ ଦିଆଯାଇଛି ନିର୍ଦ୍ଦେଶ।
ତେବେ ସମ୍ପୂର୍ଣ୍ଣ ଘଟଣାଟି ହେଉଛି ମୋଗଲ ଶାସକ ବାବରଙ୍କ ରାଜୁତି କାଳରେ ଅର୍ଥାତ 1526 ମସିହାରେ ସମ୍ଭଲସ୍ଥିତ ହରିହର ମନ୍ଦିରକୁ ଭଙ୍ଗା ଯାଇ ଜାମା ମସଜିଦ ତିଆରି କରାଯାଇଥିଲା। ଯାହାକୁ ବିରୋଧ କରି ୮ ଜଣ ବ୍ୟକ୍ତି ସମ୍ଭଲ ଦେୱାନି ଅଦାଲତରେ ପିଟିସନ ଦାଏର କରିଥିଲେ। ପିଟିସନକାରୀଙ୍କ ମଧ୍ୟରେ ସୁପ୍ରିମକୋର୍ଟ ଆଇନଜୀବୀ ହରିଶଙ୍କର ଜୈନ ମଧ୍ୟ ସାମିଲ ଅଛନ୍ତି। ପିଟିସନ୍ର ଶୁଣାଣି କରି ଅଦାଲତ ମସଜିଦରେ ସର୍ଭେ କାର୍ଯ୍ୟ ପାଇଁ ନିର୍ଦେଶ ଦେଇଥିଲେ।
କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ସପ୍ତାହରେ ଏହି ମସଜିଦର ସର୍ଭେ କରାଯାଇଥିଲା। ଏହି ନିର୍ଦ୍ଦେଶ କ୍ରମେ ନଭେମ୍ବର ୨୪ରେ ଦ୍ୱିତୀୟ ଥର ପାଇଁ ମସଜିଦର ସର୍ଭେ କରିବାକୁ ଟିମ୍ ପହଞ୍ଚିଥିଲା। କିନ୍ତୁ ଲୋକେ ଏହାକୁ ବିରୋଧ କରିଥିଲେ। ପ୍ରକୃତରେ, ଆଡଭୋକେଟ୍ କମିଶନରଙ୍କ ନେତୃତ୍ୱରେ ଏକ ଟିମ୍ ସର୍ଭେ କରିବା ପାଇଁ ପହଞ୍ଚିବା ମାତ୍ରେ ମସଜିଦ ଚାରିପାଖରେ ଭିଡ଼ ଜମିଥିଲା। ସର୍ଭେକୁ ବିରୋଧ କରି ପୋଲିସ ଉପରକୁ ଲୋକେ ପଥର ଫିଙ୍ଗିବା ଆରମ୍ଭ କରିଥିଲା।
ଏହାର ଜବାବରେ ପୋଲିସ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲା। ସର୍ଭେ ସମୟରେ ପୋଲିସ ଏବଂ ଲୋକେ ମୁହାଁମୁହିଁ ହୋଇଥିଲେ। ଫଳରେ ହିଂସା ଆରମ୍ଭ ହୋଇଥିଲା। ଏପରିକି ସର୍ଭେ ଟିମ ଉପରକୁ ପଥର ମାଡ କରିବା ଆରମ୍ଭ କରିଥିଲେ ଲୋକେ। ଫଳରେ ଏବେ ସୁଦ୍ଧା 5ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ସେଠାରେ ସ୍ଥିତି ଅଶାନ୍ତ। ଏହାକୁ ନେଇ ମସଜିଦ କମିଟି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ତେବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ପି.ଭି ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ସର୍ଭେ ସ୍ଥଗିତ ରଖିବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ସର୍ଭେ କମିଟିକୁ ରିପୋର୍ଟ ସିଲ୍ କଭରରେ ରଖିବାକୁ କହିଛନ୍ତି।