ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ। ଆଉ ଓଡ଼ିଶାରୁ ଜଣେ ଯିବେ ରାଜ୍ୟସଭା। ତେବେ ରାଜ୍ୟସଭା କିଏ ଯିବେ ତାକୁ ନେଇ ଆରମ୍ଭ ହୋଇଛି ମାନସମନ୍ଥନ । ଏବଂ ଗଣତି ହିସାବରେ ବିଜେପିରୁ ହିଁ ଜଣେ ରାଜ୍ୟସଭା ଯିବେ । ତେବେ ସେ ଜଣକ କିଏ ହେବେ । ତାକୁ ନେଇ ଏବେ ନାନା ଆଲୋଚନା ଆରମ୍ଭ ହୋଇଛି । ବିଜେଡିକୁ ଚେକ ଦେବାକୁ ସୁଜିତ କୁମାରଙ୍କ ନାଁ ଆସୁଥିବା ବେଳେ ଏହି ତାଲିକାରେ ମନମୋହନ ସାମଲ, ଗୋଲକ ମହାପାତ୍ର ଓ ସମୀର ମହାନ୍ତିଙ୍କ ନାଁ ମଧ୍ୟ ଉଠୁଛି । ଡିସେମ୍ବର ୨୦ରେ ରାଜ୍ୟସଭା ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ଡିସେମ୍ବର ୩ରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ବାହାରିବ। ଏହାକୁ ନେଇ ରାଜ୍ୟ ରାଜନୀତି ଚର୍ଚ୍ଚା ଜୋର ଧରିଛି। ନିକଟରେ ରାଜ୍ୟସଭା ଏମପି ପଦ ଏବଂ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ସୁଜିତ କୁମାର।
ବିଜେପିର କେନ୍ଦ୍ରୀୟ ନେତୃତ୍ବ ଏବଂ ରାଜ୍ୟ ନେତୃତ୍ବର ମିଳିତ ସହମତିରେ ଯଦି ସୁଜିତଙ୍କ ନାଁରେ ମୋହର ମାରନ୍ତି ତେବେ ଏଥିରେ କୌଣସି ଆଶ୍ଚର୍ଯ୍ୟ ହେବାର ନାହିଁ। କାରଣ ସମାନ ଷ୍ଟ୍ରାଟେଜୀରେ ମମତା ମହାନ୍ତଙ୍କୁ ରାଜ୍ୟସଭାକୁ ବିଜେପି ପଠାଇଥିଲା। ଅନ୍ୟପଟେ ବିଜେପି ଅନ୍ଦର ମହଲରୁ ଯାହା ଖବର ରହିଛି ସୁଜିତଙ୍କୁ ରାଜ୍ୟସଭା ପଠାଇ ବଡ ମେସେଜ ଦେବାକୁ ଚାହୁଁଛି ଦଳ । ଖାଲି ସେତିକି ନୁହେଁ ଏଭଳି ଗୋଟି ଚାଳନା କରି ବିରୋଧୀ ବିଜେଡିକୁ ମଧ୍ୟ ଚେକ ଦେବାକୁ ନେଇ ରଣନୀତି କରୁଥାଇ ପାରେ ବୋଲି ରାଜନୀତି ମହଲରେ ଆଲୋଚନା ହେଉଛି।
ସେପଟେ ରାଜ୍ୟସଭା ରେସରେ ଆଉ ତିନି ଜଣଙ୍କ ନାଁ ମଧ୍ୟ ଆଗରେ ରହିଛି। ସେମାନେ ହେଲେ ରାଜ୍ୟ ବିଜେପି ରାଜ୍ୟସଭାପତି ମନମୋହନ ସାମଲ, ଉପସଭାପତି ଗୋଲକ ମହାପାତ୍ର ଓ ପୂର୍ବତନ ସଭାପତି ସମୀର ମହାନ୍ତି। ଏସବୁ ଭିତରେ ମନମୋହନ ମଧ୍ୟ ପ୍ରମୁଖ ଦାବିଦାର । ୨୪ ନିର୍ବାଚନରେ ବିଜେପି ଓଡ଼ିଶାରେ ବାଜିମାତ ତଥା ପ୍ରଥମଥର ପାଇଁ ସରକାର କରିବା ପଛରେ ମନମୋହନ ପ୍ରମୁଖ ଭୂମିକା ନେଇଥିଲେ। ତେବେ ସେ ନିଜେ କମ ବ୍ୟବଧାନରେ ପରାଜିତ ହୋଇଥିଲେ । ଏହାକୁ ନେଇ ତାଙ୍କୁ ରାଜ୍ୟସଭା ପଠାଇ ପୁରସ୍କୃତ କରିପାରେ ଦଳ। ସେହିପରି ବିଜେପି ଏବଂ ସଂଘ ପରିବାରର ଗୁଡବୁକରେ ଥିବା ଗୋଲକ ମହାପାତ୍ରଙ୍କୁ ମଧ୍ୟ ରାଜ୍ୟସଭା ପଠାଇପାରେ। ତେବେ ଯଦି ମନମୋହନ ରାଜ୍ୟସଭା ଯାଆନ୍ତି ତେବେ ସୁଜିତଙ୍କ ଆଶାରେ ବିଜେପି ପାଣି ଢାଳିବା ପରି ହୋଇପାରେ ବୋଲି ଆଲୋଚନା ହେଉଛି ।