କିଛି ଦିନ ହେବ ବିଭିନ୍ନ ଘଟଣାକୁ ନେଇ ଅଶାନ୍ତ ହୋଇପଡିଛି ଯାଜପୁର । ରାଜନେତାଙ୍କ ଝଗଡା ଭିତେର ଦଳିମକଚି ହୋଇପଡୁଛନ୍ତି ସାଧାରଣ ଜନତା । ଯାଜପୁର ବିରଜା ମନ୍ଦିର ପ୍ରକଳ୍ପ, ହାଟ ହେଉ କି ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା । ସବୁ ଘଟଣାକୁ ନେଇ ଏବେ ରାଜନୀତି ତେଜିବାରେ ଲାଗିଛି । ରାଜ୍ୟରେ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଥିବା ବେଳେ କେନ୍ଦ୍ରାଞ୍ଚଳ ଡିଆଇଜି ଚରଣ ସିଂ ମୀନା ଯାଜପୁର ଆଇନ ଶୃଙ୍ଖଳା ସ୍ଥିତି ନେଇ ସମୀକ୍ଷା କରିଛନ୍ତି । ସେପଟେ ଯାଜପୁର ତାତିକୁ ନେଇ ରାଜନୀତିର ପାରଦ ବଢିବାରେ ଲାଗିଛି । ଯାଜପୁର ଘଟଣାକୁ ନେଇ ପୋଲିସ ଡିଜିଙ୍କୁ ଭେଟିଛି ବିଜେଡି ଟିମ୍ । ଯାଜପୁରରେ ବେଆଇନ ଭାବେ ଗିରଫଦାରୀ କରାଯାଇଛି । ପୋଲିସ ଶାସକ ବିଜେପିର ହାତବାରିସି ସାଜିଥିବା ଅଭିଯୋଗ କରିଛନ୍ତି ବିଜେଡି ନେତା । ଜାଣିଶୁଣି ବିଜେଡି ନେତାଙ୍କୁ ଗିରଫ କରାଯାଉଛି । ତେବେ ବିଜେଡି ଅଭିଯୋଗ କରିଥିଲେ ବି ସେନେଇ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଦଳ ଅଭିଯୋଗ କରିଛି। ସାରା ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ଭୁଶୁଡି ପଡିଥିବା ଦଳର ନେତା କହିଛନ୍ତି । ପୂର୍ବରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିରୋଧୀ ହେବାକୁ ବିଜେଡି ନେତା ମାନସିକ ଭାବେ ପ୍ରସ୍ତୁତ ହୋଇନଥିବା କହିଥିଲେ । ଜଣେ ବ୍ୟକ୍ତି ନିଜ ବ୍ୟକ୍ତିଗତ ସ୍ବାର୍ଥ ପାଇଁ ପ୍ରାୟୋଜିତ ଗଣ୍ଡଗୋଳ କରୁଥିବା କହିଥିଲେ । ଏପଟେ ଭାଇ ଭବ ଦାସଙ୍କ ଗିରଫଦାରୀକୁ ନେଇ ମୁହଁ ଖୋଲିଛନ୍ତି ବିଜେଡି ନେତା ପ୍ରଣବ ପ୍ରକାଶ ଦାସ। ମାଆ ବିରଜା ଓ ଯାଜପୁର ମାଟିର ଉନ୍ନତି ଲାଗି ଭାଇ ଜେଲ ଯାଇଥିବା କହିଛନ୍ତି। ମାଆ ବିରଜାଙ୍କ କ୍ଷେତ୍ରର ଉନ୍ନତି ଲାଗି ପୂର୍ବ ସରକାରରେ ଜମି ଅଧିଗ୍ରହଣ ସହ ସେବାୟତଙ୍କ ବିସ୍ଥାପନ ହୋଇଥିଲା। ପରେ ହାଟ ସ୍ଥାନାନ୍ତର ପରେ ଅନ୍ୟ ଜାଗାରେ କରାଯାଉଛି । ବ୍ୟବାସାୟୀ ଓ ଚାଷୀଙ୍କୁ ସେ ବିରୋଧ କରୁନାହାନ୍ତି। ପ୍ରଶାସନ ପୂର୍ବ ଡିପିଆର ଦେଖି ଆଲେଚନା କରିବା ଉଚିତ ବୋଲି ବବି କହିଛନ୍ତି । ଯାଜପୁରରେ ବିଜେଡି ଗଡ଼ ଭୁଶୁଡ଼ିବା ପରେ ଦଳ ରକ୍ତମୁଖା ବୋଲି କହିଛି ବିଜେପି । ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା ପଛରେ ସିଧାସଳଖ ବବିଙ୍କ ସଂପୃକ୍ତିକୁ ଇଙ୍ଗିତ କରୁଛି । ଆଇନ ଅନୁସାରେ ଆକ୍ରମଣରେ ସଂପୃକ୍ତ ସମସ୍ତଙ୍କୁ ଗିରଫ କରାଯିବ ବୋଲି ହିମାଂଶୁ ସାହୁ କହିଛନ୍ତି |