ପରୋକ୍ଷ ଭାବେ ରାଜନୀତି ଯୁଦ୍ଧରେ ଭାଇ ସହ ଛାଇ ଭଳି ରହିଥିବା କଂଗ୍ରେସର ମହାସଚିବ ପ୍ରିୟଙ୍କା ପ୍ରଥମ ନିର୍ବାଚନ ଲଢେଇରେ ନୂଆ ରେକର୍ଡ ତିଆରି କରିଛନ୍ତି । ପ୍ରତ୍ୟେକ୍ଷ ରାଜନୀତିରେ ବହୁ ଡେରିରେ ପାଦ ରଖିଥିଲେ ମଧ୍ୟ ପ୍ରିୟଙ୍କା ପୂର୍ବରୁ ମା ଏବଂ ଭାଇ ପାଇଁ ନିର୍ବାଚନ ପ୍ରଚାର କରିବା ସମୟରେ ଲୋକଙ୍କ ମନକୁ ଛୁଇଁ ସାରିଥିଲେ । ୨୦୦୪ ରେ ଲୋକସଭା ନିର୍ବାଚନରେ ମା ସୋନିଆ ଗାନ୍ଧୀଙ୍କ ନିର୍ବାଚନ ପ୍ରଚାର ପରିଚାଳକ ଥିଲେ ପ୍ରିୟଙ୍କା । ଭାଇ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ପରିଚାଳନାରେ ମଧ୍ୟ ସାହାଯ୍ୟ କରିଥିଲେ । ୨୩ ଜାନୁଆରୀ ୨୦୧୯ ରେ ପ୍ରିୟଙ୍କା ଔପଚାରିକ ଭାବେ ରାଜନୀତିରେ ସାମିଲ ହୋଇଥିଲେ । ଆଉ କଂଗ୍ରେସ ପାର୍ଟିର ମହାସଚିବ ଭାବେ ବଛା ଯାଇଥିଲେ । ଏଥିସହିତ ତାଙ୍କୁ ପୂର୍ବ ଉତ୍ତର ପ୍ରଦେଶର ପ୍ରଭାରୀ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା ।
୧୧ ସେପ୍ଟେମ୍ବର ୨୦୨୦ ରେ ପ୍ରିୟଙ୍କାଙ୍କୁ ସମ୍ପୂର୍ଣ୍ଣ ଉତ୍ତର ପ୍ରଦେଶର ପ୍ରଭାରି ଭାବେ ନିଯୁକ୍ତି ଦିଆଗଲା । ସକ୍ରିୟ ରାଜନୀତିରେ ନଥାଇ ମଧ୍ୟ ଅମେଥି ଏବଂ ରାୟବରେଲିରେ କଂଗ୍ରେସେକୁ ମଜଭୁତ କରିବାରେ ପ୍ରିୟଙ୍କାଙ୍କ ଥିଲା ବଡ ଭୂମିକା । ସବୁ ରେକର୍ଡ ଭାଙ୍ଗି ଚର୍ଚ୍ଚାରେ ରହିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଭାଇ ରାହୁଲଙ୍କୁ ପଛରେ ପକାଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି ପ୍ରିୟଙ୍କା । ଏନେଇ ଖୁବ୍ ଚର୍ଚ୍ଚା ସାଉଁଟୁଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ୱାଏନାଡ ଉପନିର୍ବାଚନ ଫଳାଫଳରେ ପ୍ରିୟଙ୍କାଙ୍କ ଲୋକପ୍ରିୟତା ରାହୁଲଙ୍କଠୁ ବି ଅଧିକ ପ୍ରମାଣିତ ହେଲା । ଏବେ ଭାଇ ରାହୁଲଙ୍କୁ ପଛରେ ପକାଇଦେଇଛନ୍ତି ପିୟଙ୍କା । ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି ସୋନିଆ ଗାନ୍ଧିଙ୍କ ଝିଅ ପ୍ରିୟଙ୍କା ଗାନ୍ଧୀ । ଭାଇ ରାହୁଲଙ୍କ ପାଇଁ ନିର୍ବାଚନୀ ପ୍ରଚାରରେ ସବୁବେଳେ ଆଗରେ ଥାନ୍ତି ସେ । ଛାଇ ଭଳି ଭାଇ ପାଖେ ପାଖେ ରହିଥାନ୍ତି । ୱାଏନାଡରୁ ବିଜୟୀ ହେବା ପରେ ଏବେ ଭାଇ ରାହୁଲଙ୍କ ସହ ପ୍ରିୟଙ୍କାଙ୍କୁ ଲୋକସଭାରେ ଦେଖିବାକୁ ମିଳିବ ।
ତେବେ ସଂସଦରେ ଗାନ୍ଧୀ ପରିବାରର ଏବେ ତିନି ସଦସ୍ୟ । ସେ ପୁଣି ମା, ପୁଅ ଏବଂ ଝିଅ । କିଏ କାହାଠାରୁ ବି କମ୍ ନୁହଁନ୍ତି । ୱାଏନାଡର ଉପନିର୍ବାଚନରେ ପ୍ରିୟଙ୍କା ଗାନ୍ଧୀ ସିପିଆଇର ସତ୍ୟମ ମୋକେରୀଙ୍କୁ ୪ ଲକ୍ଷ ୧୦ ହଜାର ଭୋଟ୍ ରେ ହରାଇଛନ୍ତି । ୨୦୨୨ ରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପ୍ରିୟଙ୍କାଙ୍କ ନେତୃତ୍ୱରେ ଲଢିଥିଲା ଦଳ । ୧୭ ଜୁନ୍ ୨୦୨୪ ରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଳିକାର୍ଜୁନ ଖଡଗେ ପିୟଙ୍କାଙ୍କୁ ୱାଏନାଡ ଉପନିର୍ବାଚନ ଲଢିବାକୁ ଘୋଷଣା କଲେ । ୱାଏନାଡର ଜନତା ପ୍ରିୟଙ୍କାଙ୍କୁ ତାଙ୍କ ସାଂସଦ ଭାବେ ବାଛିସାରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଗାନ୍ଧୀ ପରିବାରର ଲାଡଲି ଏବଂ ରାହୁଲଙ୍କ ଗେହ୍ଲୀ ଭଉଣୀ ସାଂସଦ ଭାବେ ତାଙ୍କର ଦାୟିତ୍ୱ କିପରି ନିଭାଉଛନ୍ତି ।