ମୁଁ ଆପଣଙ୍କ ଝିଅ ଉପାସନା ମହାପାତ୍ର । ମୋତେ ବିଜୟୀ କରାଇଲେ ମୁଁ ଆପଣଙ୍କ ସହ ସର୍ବଦା ରହିବି । ବୁଢୀ ମାଉସୀ ପାଖରେ ବସି ଏଭଳି ପ୍ରତିଶ୍ରୁତି ଦେଇଥିଲେ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର । ବାଘ ଛୁଆ ବାଘ ହେବ କହି ଚର୍ଚ୍ଚାକୁ ଆସିଥିଲେ ଉପାସନା । ମାତ୍ର ନିର୍ବାଚନର 6 ମାସରେ ଉପାସନା ନିଜର ରଙ୍ଗ ଦେଖାଇଥିବା କହିଛନ୍ତି ସାଧାରଣ ଲୋକେ । ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କ କାର୍ଯ୍ୟଶୈଳୀକୁ ନେଇ ଏବେ ପ୍ରଶ୍ନ ଉଠିଲାଣି । କ୍ଷମତାକୁ ଆସିବାର ମାତ୍ର ୬ମାସ ମଧ୍ୟରେ ଉପାସନା ଯେ କେବଳ ବିବାଦୀୟ ହେଉ ନାହାନ୍ତି ବରଂ ଲୋକଙ୍କ ଭରସା ବି ହରାଇବାକୁ ଯାଉଥିବା ଚର୍ଚ୍ଚା ହେଉଛି |
ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ହେଉଛନ୍ତି ଜଣେ ଉଦୀୟମାନ ରାଜନେତା । ରାଜନୀତିରେ ଲମ୍ବା ଭବିଷ୍ୟତ ରହିଛି ତାଙ୍କର । ବିଜେପି ଭଳି ଜାତୀୟ ଦଳରେ ସେ ବ୍ରେକ ପାଇବା ସହ ବିଜେଡିକୁ ହରାଇ ଜିତିଥିଲେ । ପୂରା ବିଜେପି ସଂଗଠନ ତାଙ୍କ ପାଇଁ ଲାଗିଥିଲା । ନିର୍ବାଚନ ବେଳେ ବିଜେପି ସଂଗଠନ ଶରଣରେ ଥିବା ଉପାସନା ଜିତିବା ପରେ କାଳେ ନିଜସ୍ୱ ସଂଗଠନ ଆରମ୍ଭ କରିଦେଲେଣି । ତାଙ୍କ ବାପା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କର କିଛି ସମର୍ଥକଙ୍କୁ ନେଇ ଗଢ଼ିଥିବା ଗୋଷ୍ଠୀକୁ ନେଇ ଚଳାଇଛନ୍ତି ରାଜନୀତି । ବିଜେପି ସଂଗଠନ ତାଙ୍କ ପାଇଁ ଗୁରୁତ୍ୱ ରଖୁନାହିଁ । ବିଶେଷ କରି ଆରଏସଏସ ମଧ୍ୟ ତାଙ୍କ ପାଇଁ ବ୍ରହ୍ମଗିରିରେ ସେପରି ସ୍ଥିତି ରଖୁନାହିଁ । ଯାହାକୁ ନେଇ ଆରଏସଏସ ସଦସ୍ୟମାନେ ବି ତାତିଲେଣି ।ଏବେ ତାଙ୍କ ଲୁଲୁ ସେନା ହିଁ ବ୍ରହ୍ମଗିରିରେ କାଳେ ସର୍ବେସର୍ବା । ସେମାନେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି । ଉପାସନା ବି ତାଙ୍କରି ପରାମର୍ଶରେ କାମ କରୁଥିବା କୁହାଯାଉଛି । ଏହା କରି ସେ କାଳେ ତାଙ୍କ ବାପାଙ୍କ ସଂଗଠନକୁ ପ୍ରାଧାନ୍ୟ ଦେଇ ବିଜେପିକୁ ତଳକୁ ଠେଲୁଛନ୍ତି । ଉପାସନାଙ୍କର ଏହି କାର୍ଯ୍ୟକୁ ନେଇ ଲୋକଙ୍କ ମଧ୍ୟରେ ପ୍ରତିକ୍ରିୟା ବଢ଼ିଲାଣି ।
ବିଜେପି ସରକାରରେ ଲୁଲୁ ଗୋଷ୍ଠୀ ବା ଉପାସନାଙ୍କ ସ୍ୱତନ୍ତ୍ର ଗୋଷ୍ଠୀଙ୍କ ପ୍ରଭାବ ବିଜେପିର ପୁରୁଣା କର୍ମକର୍ତ୍ତା, ସଂଗଠକ ମାନଙ୍କୁ ପ୍ରଭାବିତ କରୁଛି । ମାତ୍ର ଉପାସନା ବିଧାୟିକା ବୋଲି ସମସ୍ତେ ନୀରବ ରହୁଛନ୍ତି । ଉପସାନାଙ୍କ ବାପା ସ୍ୱର୍ଗତ ଲୁଲୁ ମହାପାତ୍ର ବ୍ରହ୍ମଗିରି ବାସୀଙ୍କ ପାଇଁ ବେଶ ତତ୍ପର ଥିଲେ । ବକ୍ସିଙ୍କ ପରିବାରର ଦାୟଦ ଭାବେ ଲୁଲୁ ସର୍ବଦା ଲୋକଙ୍କୁ ପ୍ରାଧାନ୍ୟ ଦେଉଥିଲେ । ମାତ୍ର ଏବେ ଉପାସନାଙ୍କ କାମ କାଳେ ଲୁଲୁ ଆଭିମୁଖ୍ୟକୁ ବିରୋଧ କରୁଥିବା କୁହାଯାଉଛି । ତେବେ ଉପାସନାଙ୍କ ଏଭଳି କାର୍ଯ୍ୟ ତାଙ୍କ ରାଜନୈତିକ ଜାବନରେ କି ପରିବର୍ତ୍ତନ ଆଣୁଛି ତାହା ଦେଖିବାକୁ ବାକି ରହିଲା ।