ଧିରେ ଧିରେ ଭୁଷୁଡୁଛି ବିଜେଡି ଗଡ । ନେତା ଓ କର୍ମୀଙ୍କ ଦଳ ଡିଆଁ ଶଙ୍ଖ ପାର୍ଟୀର ଚିନ୍ତା ବଢାଇଛି । ପଦ୍ମ ଦଳ ପ୍ରତି ଆକର୍ଷିତ ହେଉଛନ୍ତି ଶଙ୍ଖ ଦଳୀୟ ନେତା । ତେବେ ନେତାଙ୍କ ଦଳ ଡିଆଁ କୁ ନେଇ ବିଜେଡି ଦୁର୍ବଳ ହେବାରେ ଲାଗିଚି ବୋଲି କହିବା ଆରମ୍ଭ କରିଛନ୍ତି ସରକାରୀ ଗୋଷ୍ଠୀ । ଏସବୁ ଭିତରେ ଏହାର ଜବାବ ରଖିଛି ବିଜେଡି । ବିଜେଡି ନେତ୍ରୀ ପ୍ରମିଳା କହିଛନ୍ତି ଯେ ବିଜେଡି ରାଜ୍ୟର ଏକ ନମ୍ବର ଥିଲା ଏବଂ ଏକ ନମ୍ବର ହୋଇ ରହିବ। ବ୍ଲକ୍ ଅଧ୍ୟକ୍ଷମାନଙ୍କୁ ହଟାଇବା ପାଇଁ ସେମାନଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ବିଜେପି ଚକ୍ରାନ୍ତ କରୁଛି। ଯେଉଁମାନେ ଆମ ଦଳରୁ ବିଜେପିକୁ ଯାଇଛନ୍ତି, ସେମାନେ କ’ଣ ପାଇଛନ୍ତି ଆତ୍ମସମିକ୍ଷା କରନ୍ତୁ । ବିଜେପିରେ ଏବେ ଅଧିକ ବିଶୃଙ୍ଖଳା। ଜଣେ ମନ୍ତ୍ରୀ ଅନ୍ୟ ଏକ ବିଭାଗ କଥା କହୁଛନ୍ତି। ତାଙ୍କ ଦଳ ଭିତରେ ପ୍ରବଳ ବିଭ୍ରାଟ ଥିବା ବେଳେ ଆମ ଦଳକୁ ଭାଙ୍ଗିବାକୁ ସେମାନେ କରୁଥିବା ଚକ୍ରାନ୍ତରେ ସଫଳ ହେବେନି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ଜିଲ୍ଲା ଗସ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ବିଜେଡି ସୁପ୍ରିମୋ । ତେବେ ନବୀନଙ୍କ ଗସ୍ତ ପଞ୍ଚାୟତ ନିର୍ବାଚନରେ ବାଜି ପଲଟାଇବ ବୋଲି କହିଛନ୍ତି ରାଜନୀତି ସମୀକ୍ଷକ । କାରଣ ଏବେ ବି ଗାଁ ଗାଁ ରହିଛି ନବୀନ କ୍ରେଜ । ଆଉ ନବୀନଙ୍କ ଗସ୍ତ ସରକାରଙ୍କୁ ସମସ୍ୟାରେ ପକାଇବ ବୋଲି ଆକଳନ କରାଯାଉଛି ।
ବିରୋଧୀ ଗୋଷ୍ଠୀ ସରକାରଙ୍କ ପ୍ରତାରଣା ପୃଷ୍ଠା ନେଇ ଲୋକଙ୍କ ନିକଟରେ ପହଁଚିବେ । ସୁଭଦ୍ରା ଠାରୁ ଭତ୍ତା ପର୍ଯ୍ୟନ୍ତ ସମସ୍ତ ପ୍ରତିଶ୍ରୁତିର ସତତ୍ୟା କଣ ତାହା ଲୋକେ ଜାଣିବା ଦରକାର ବୋଲି କହିଛନ୍ତି ଶଙ୍ଖ ଦଳୀୟ ନେତା । ତେବେ ନବୀନଙ୍କ ଗସ୍ତ ସମୟରେ ଲୋକେ ପୁଣି ସରକାର ବିରୋଧୀ ହୋଇପାରନ୍ତି ବୋଲି କହିଛନ୍ତି ବରିଷ୍ଠ ସାମ୍ବାଦିକ । ଏବେ ବି ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଭାବନ୍ତି ଗ୍ରାମାଞ୍ଚଳ ଲୋକେ । ତେଣୁ ପଞ୍ଚାୟତ ନିର୍ବାଚନରେ ଓଡିଶା ରାଜନୀତିରେ ପୁଣି ଏକ ନୂଆ ପରିବର୍ତ୍ତନ ହୋଇପାରେ ବୋଲି ଆକଳନ ହେଉଛି । ଯଦି ପଞ୍ଚାୟତ ନିର୍ବାଚନରେ ବିଜେଡି ବାଜିମାରେ ତେବେ ଦଳଡିଆଁ ନେତାଙ୍କ ପାଇଁ ଏହା ସମସ୍ୟା ଆଣିପାରେ ବୋଲି ମତ ପ୍ରକାଶ ପାଉଛି ।